www.samajalive.in
Monday, December 8, 2025
20.1 C
Bhubaneswar

ଅନୁଗୁଳରେ ଆଦିବାସୀ ଓ ତଫସିଲଭୁକ୍ତ ଜାତି ଜମି ହଡପ ଅଭିଯୋଗ

ଭୁବନେଶ୍ୱର :  ଅନୁଗୁଳ ଜିଲ୍ଲାରେ ଗତ ୧୦ ବର୍ଷ ଭିତରେ ଆଦିବାସୀ ଏବଂ ତଫସିଲଭୁକ୍ତ ଜାତି ଲୋକମାନଙ୍କର ୭୦୦ ଏକରରୁ ଉର୍ଦ୍ଧ୍ୱ ଜମି ଏକ ନିର୍ଦ୍ଦିଷ୍ଟ ପରିବାର ହଡପ କରିଥିବାର ବିରଳ ଦୃଷ୍ଟାନ୍ତକୁ ଆଜି ଲୋକଲୋଚନକୁ ଆଣିବା ସହିତ ଏଥିରେ ସଂପୃକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ରାଜସ୍ୱ ଅଧିକାରୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପିସିସି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଦାବି କରିଛନ୍ତି।

ଆଦିବାସୀ ଓ ତଫସିଲଭୁକ୍ତ ଜାତି ଲୋକଙ୍କର ଜମି କିଣିଲା ବେଳେ ଯେଉଁ ନିୟମ କାନୁନ୍ ଅଛି ସେଗୁଡିକୁ ପାଦରେ ଦଳିଦେଇ ଚଞ୍ଚକତା ଓ ମିଥ୍ୟାର ଆଶ୍ରୟ ନେଇ ତତ୍କାଳୀନ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଅଧିକାରୀମାନେ ଜମି ବିକ୍ରୀର ପଞ୍ଜିକରଣ କରିଛନ୍ତି । ଏହି ଜମିର ଆନୁମାନିକ ମୂଲ୍ୟ ୨୫୦ କୋଟି ଟଙ୍କାରୁ ଅଧିକ ହେବ। ଯେଉଁ ପରିବାର ଏହି ଜମି କିଣିଛନ୍ତି ତାଙ୍କର ଆର୍ଥିକ ସାମର୍ଥ୍ୟକୁ ନେଇ ପ୍ରଶ୍ନ ଉଠାଇବା ସହିତ ଏହି ପରିବାର କୋଭିଡ୍ ସମୟରେ ସରକାରଙ୍କୁ ବିଭିନ୍ନ ଜିନିଷପତ୍ର ଯୋଗାଣରେ ଦଲାଲି କରୁଥିବା ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି । ରାଜ୍ୟରେ ରାଜସ୍ୱ ମନ୍ତ୍ରୀ ଭାବରେ ଜଣେ ଆଦିବାସୀ ନେତା ଥିବାବେଳେ ଏଭଳି ଘଟଣା କେମିତି ଘଟିଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ପ୍ରକାଶଥାଉକି ସୁଶିଲ୍ କୁମାର ଅଗ୍ରୱାଲଙ୍କ ପରିବାରର ବିଭିନ୍ନ ସଦସ୍ୟଙ୍କ ନାମରେ ଉପରୋକ୍ତ ୭୦୦ ଏକର ଜମି କିଣା ଯାଇଛି । ଶ୍ରୀ ଅଗ୍ରୱାଲଙ୍କର ୨୦୧୦ ମସିହାରେ କୌଣସି ଆର୍ଥିକ ସ୍ୱଚ୍ଛଳତା ନଥିଲା।  ଅରବିନ୍ଦ ଅଗ୍ରୱାଲ୍ ଅନୁଗୁଳ ଜିଲ୍ଲାପାଳ ଥିବା ସମୟରେ ଯୋଗାଣ ବିଭାଗ ଅଧିନରେ ଜଣେ ପରିବହନ ଏଜେଣ୍ଟ ଭାବରେ ବ୍ୟବସାୟ ଆରମ୍ଭ କରିଥିଲେ ଶ୍ରୀ ଅଗ୍ରୱାଲ । ଏହି ୧୦ ବର୍ଷ ଭିତରେ ସେ ୨୫୦ କୋଟି ଟଙ୍କାର ସମ୍ପତ୍ତି କେମିତି କିଣିଲେ ତାହା ଏକ ଆଶ୍ଚର୍ୟ୍ୟର ବିଷୟ। ଏହି ସୁଶିଲ ଅଗ୍ରୱାଲ ମାଲକାନଗିରି ଜିଲ୍ଲା ସମେତ କଟକ, ଅନୁଗୁଳ ଇତ୍ୟାଦି ଜିଲ୍ଲାମାନଙ୍କୁ ନିମ୍ନମାନର ଲେବର କିଟ୍ ଯୋଗାଣ କରି କୋଟି କୋଟି ଟଙ୍କା ଆତ୍ମସାତ୍ କରିବାର ଅଭିଯୋଗ ଏହା ପୂର୍ବରୁ ଶ୍ରୀ ମାଝୀ କରିଥିଲେ। ସୁଶିଲ ଅଗ୍ରୱାଲ ନିଜେ ବିଭିନ୍ନ ଜିନିଷପତ୍ର ଯୋଗାଣ କରିବା ସହିତ ଅନ୍ୟ ଯୋଗାଣକାରୀ ସଂସ୍ଥାମାନଙ୍କର ଦଲାଲ ଭାବରେ ମଧ୍ୟ କାର୍ଯ୍ୟ କରୁଥିବାର ସ୍ପଷ୍ଟ ପ୍ରମାଣ ରହିଛି । ଉଲ୍ଲେଖଯୋଗ୍ୟ ଯେ ସୁଶିଲ ଅଗ୍ରୱାଲ ହେଉଛନ୍ତି ଅରବିନ୍ଦ ଅଗ୍ରୱାଲଙ୍କ ସଂପର୍କୀୟ ଏବଂ ଅରବିନ୍ଦ ଅଗ୍ରୱାଲ, ରଂଜିତ ମହାନ୍ତି, ସଚିନ୍ ଯାଦବ ପ୍ରମୁଖ ଅନୁଗୁଳର ଜିଲ୍ଲାପାଳ ଥିବାବେଳେ ଚଞ୍ଚକତାପୂର୍ଣ୍ଣ ପଦ୍ଧତିକୁ ଅନୁକରଣ କରି ଏହି ଜମି ହଡପ କରିଛନ୍ତି । ଏଥିରେ ସେହି ସମୟରେ ଅନୁଗୁଳର ୬ ଜଣ ଉପଜିଲ୍ଲାପାଳ ଯଥା ସୁଦର୍ଶନ ପରିଡା, ଅଭୟ ନାୟକ,ଏ. କେର୍କେଟା, ପ୍ରସନ୍ନ ଦାସ, ସରୋଜ ମହାନ୍ତି, ବାସୁଦେବ ଶତପଥି ପ୍ରମୁଖ ଏଥିରେ ସଂପୃକ୍ତ ଥିବାର ପ୍ରମାଣ ମିଳେ। ଆଦିବାସୀ ଏବଂ ଦଳିତମାନଙ୍କ ଜମି କିଣିଲା ବେଳେ ଯେଉଁ ଡାକ୍ତରୀ ସାର୍ଟିଫିକେଟ୍ ଗୁଡିକୁ ବ୍ୟବହାର କରାଯାଇଛି ତାହା ମିଥ୍ୟା ଦସ୍ତାବିଜ ଉପରେ ଆଧାରିତ । ଆଇନ୍‌ତଃ ଜଣେ ଆଦିବାସୀ ବା ତଫସିଲଭୁକ୍ତ ଜାତିର ଲୋକକୁ ବର୍ଷରେ ଥରେ ଜମି ବିକିବାର ବ୍ୟବସ୍ଥା  ଥିଲାବେଳେ ଏ କ୍ଷେତ୍ରରେ ତାକୁ ମଧ୍ୟ ଅବମାନନା କରାଯାଇ ଗୋଟିଏ ବର୍ଷରେ ବାରମ୍ବାର ତା’ ଠାରୁ ଜମି କିଣାଯାଇଛି । ସୁଶିଲ ଅଗ୍ରୱାଲ ଶହ ଶହ କୋଟି ଟଙ୍କାର ମାଲିକ ହେବା ଏବଂ ଏତେ ପରିମାଣରେ ଜମି କିଣିବା ପଛରେ କିଛି ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ରାଜନେତାମାନଙ୍କର ସଂପୃକ୍ତି ଅଛି ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି ।
ରାଜ୍ୟ ସରକାର ଆଦିବାସୀ ଏବଂ ତଫସିଲଭୁକ୍ତ ଜାତିର ଲୋକଙ୍କର ସ୍ୱାର୍ଥର ପ୍ରହରୀ ବୋଲି ଡିଣ୍ଡିମ ପିଟୁଥିବା ବେଳେ ଏହି ଘଟଣା ବିଜେଡି ସରକାରର ଅସଲ ମୁଖାକୁ ପଦାରେ ପକାଇ ଦେଇଛି । ପଞ୍ଜିକରଣ ମାଧ୍ୟମରେ ଯେଉଁ ଜମି କିଣାଯାଇଛି ତାକୁ ତୁରନ୍ତ ବାତିଲ କରି ସେମାନଙ୍କ ଜମି ଫେରାଇବା ସହିତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀକୁ କଠୋର ଦଣ୍ଡ ବିଧାନ କରିବା ପାଇଁ ଦାବି କରାଯାଇଛି । ରାଜସ୍ୱ ମନ୍ତ୍ରୀ ହିସାବରେ ଶ୍ରୀ ସୁଦାମ ମାର୍ଣ୍ଡି ଏହାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ସରକାର ଯଦି ଏ ଦିଗରେ ଦୃଢ଼ ପଦକ୍ଷେପ ନ ନିଅନ୍ତି ତେବେ ନ୍ୟାୟିକ ରାସ୍ତାରେ ଯିବା ପାଇଁ ମଧ୍ୟ ଶ୍ରୀ ମାଝୀ ଚେତାବନୀ ଦେଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସ ପ୍ରବକ୍ତା ସୁଦର୍ଶନ ଦାସ, ପୂର୍ବତନ ସାଂସଦ ନକୁଳ ନାୟକ, ସନ୍ତୋଷ ପଟ୍ଟନାୟକ, ଟିକନ ବେହେରା, ଜୟନ୍ତ ସାହୁ, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories