ପାଟନା ହାଇକୋର୍ଟଙ୍କ ରାୟ ରଦ୍ଦ, ବିହାରର ୩.୫ ଲକ୍ଷ ଠିକା ଶିକ୍ଷକଙ୍କୁ ନିୟମିତ କରିବାକୁ ମନାକଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ସମାନ କାର୍ଯ୍ୟ ପାଇଁ ସମାନ ଦରମା ପ୍ରଦାନ ଦାବି କରି ଆସୁଥିବା ବିହାରର ୩.୫ ଲକ୍ଷ ଠିକା ସରକାରୀ ଶିକ୍ଷକଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟରୁ ଝଟକା ଲାଗିଛି। ସୁପ୍ରିମକୋର୍ଟ ବିହାର ସରକାରଙ୍କ ସପକ୍ଷରେ ରାୟ ଦେବା ପୂର୍ବକ ପାଟନା ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିଦେଇଛନ୍ତି। ସୁପ୍ରିମକୋର୍ଟ ବିହାରର ୩.୫ ଲକ୍ଷ ସରକାରୀ ଠିକା ଶିକ୍ଷକଙ୍କୁ ନିୟମିତ ଅର୍ଥାତ ସ୍ଥାୟୀ କରିବାକୁ ମନା କରିଦେଇଛନ୍ତି।
ପ୍ରକାଶ ଯେ ପାଟନା ହାଇକୋର୍ଟ ୩.୫ ଲକ୍ଷ ଠିକା (କଣ୍ଟ୍ରାକଚୁଆଲ) ସରକାରୀ ଶିକ୍ଷକଙ୍କୁ ନିୟମିତ କରି ସମାନ ଦରମା ଦେବା ପାଇଁ ରାୟ ଦେଇଥିଲେ। ଏହି ରାୟ ବିରୋଧରେ ବିହାର ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେତେବେଳେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଆଦେଶ ଉପରେ ରହିଦାଦେଶ ଲଗାଇବାକୁ ମନା କରିଦେଇଥିଲେ। ଫଳରେ ବିହାର ସରକାର ବିଶେଷ ଅନୁମତି ଆବେଦନ କରି ଜଣାଇଥିଲେ ଯେ ନିଯୁକ୍ତ ଶିକ୍ଷକ ପଞ୍ଚାୟତରାଜ ସମିତିର କର୍ମୀ ଅଟନ୍ତି ଓ ସେମାନେ ବିହାର ସରକାରଙ୍କ କର୍ମଚାରୀ ନୁହନ୍ତି। ତେଣୁ ସେମାନଙ୍କୁ ସରକାରୀ ଶିକ୍ଷକଙ୍କ ଭଳି ନିୟମିତ କରି ସମାନ ଦରମା ଦେଇହେବ ନାହିଁ। ସୁପ୍ରିମକୋର୍ଟ ଏହି ମାମଲାର ୧୧ଟି ଆବେଦନ ଉପରେ ଶୁଣାଣି କରି ୨୦୧୮ ଅକ୍ଟୋବର ୩ରେ ରାୟ ସଂରକ୍ଷିତ ରଖିଥିଲେ। ବିହାରର ୩ ଲକ୍ଷ ୫୬ ହଜାର ଶିକ୍ଷକଙ୍କ ନଜର ସୁପ୍ରିମକୋର୍ଟଙ୍କ ରାୟ ଉପରେ ଥିଲା। ଠିକାରେ ନିଯୁକ୍ତ ଏହି ଶିକ୍ଷକମାନେ ସରକାରୀ ଶିକ୍ଷକଙ୍କ ଭଳି ସମାନ ଦରମା ଦାବିରେ ଆନ୍ଦୋଳନ କରିଆସୁଥିଲେ। ୨୦୧୮ ଜୁଲାଇ ୨୧ରେ କେନ୍ଦ୍ର ସରକାର ବିବହାର ସରକାରଙ୍କୁ ସମର୍ଥନ ଜଣାଇ ଠିକା ଶିକ୍ଷକଙ୍କୁ ନିୟମିତ କରିବାକୁ ବିରୋଧ କରିଥିଲେ।
ପ୍ରକାଶ ଯେ ୨୦୦୬ରେ ଏକ ଆଇନ ଅନୁସାରେ ପଞ୍ଚାୟତରାଜ ଏବଂ ଜିଲା ପରିଷଦ ଭଳି ଅନୁଷ୍ଠାନ ଅଧୀନରେ ଏହି ଶିକ୍ଷକଙ୍କୁ ଠିକାରେ ନିଯୁକ୍ତି ଦିଆଯାଇଥିଲା। ବିହାରରେ ନିୟମିତ ସରକାରୀ ଶିକ୍ଷକ ନିଯୁକ୍ତି ପାଇଁ ଗ୍ରହଣ କରାଯାଉଥିବା ପ୍ରକ୍ରିୟା ଅନୁସାରେ ଏହି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇନଥିଲା ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଏକ ସତ୍ୟପାଠ ସୁପ୍ରିମକୋର୍ଟରେ ଦାଖଲ କରିଥିଲା। ତେଣୁ ସେମାନଙ୍କୁ ନିୟମିତ କରିବା ଠିକ୍ ହେବ ନାହିଁ ବୋଲି କେନ୍ଦ୍ର ଯୁକ୍ତି ବାଢିଥିଲା। ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ବିହାର ସରକାରଙ୍କ ସପକ୍ଷରେ ରାୟ ଦେଇଛନ୍ତି।
Comments are closed.