ସମାଜ ଡିଜିଟାଲ ଡେସ୍କ: ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର ପାକିସ୍ତାନ ସହିତ ସାଉଦି ଆରବ ପ୍ରତିରକ୍ଷା ଚୁକ୍ତି ସ୍ଵାକ୍ଷର କରିଛି। ଯଦି ଏହି ଦୁଇ ରାଷ୍ଟ୍ର ମଧ୍ୟରୁ କୌଣସିଟି ଉପରେ ବାହ୍ୟ ଆକ୍ରମଣ ହୁଏ, ତେବେ ତାହା ଉଭୟ ରାଷ୍ଟ୍ର ଉପରେ ଆକ୍ରମଣ ବୋଲି ବିବେଚନା କରାଯିବ, ଯାହା ଚୁକ୍ତିରେ ଉଲ୍ଲେଖ ରହିଛି। ଏଠାରେ ପ୍ରଶ୍ନ ଉଠୁଛି, ଯଦି ଆଗାମୀ ଭବିଷ୍ୟତରେ ଭାରତ-ପାକ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହୁଏ, ତା’ହେଲେ ସାଉଦି ଆରବ କ’ଣ କରିବ ? ଭାରତ ସହିତ ସାଉଦିର ଘନିଷ୍ଠ ସମ୍ପର୍କ ରହିଛି। ଏଭଳି କ୍ଷେତ୍ରରେ ପାକିସ୍ତାନ ସହ କରିଥିବା ଚୁକ୍ତି ଅନୁସାରେ ସାଉଦି ଭାରତ ଉପରେ ଆକ୍ରମଣ କରିବ କି ?
ପାକିସ୍ତାନ ଏବଂ ସାଉଦି ଆରବ ମଧ୍ୟରେ ହୋଇଥିବା ଏହି ନୂତନ ଚୁକ୍ତିକୁ ନେଇ ପାକିସ୍ତାନ ବେଶ୍ ଉତ୍ସାହିତ ରହିଛି। ଭାରତ ସହ ଯୁଦ୍ଧରେ ଧୂଳି ଚାଟୁଥିବା ପାକିସ୍ତାନକୁ ଗୋଟିଏ ନୂଆ ବଳ ମିଳିଛି ବୋଲି ସେ ଭାବୁଛି। କିନ୍ତୁ ବାସ୍ତବତା କିଛି ଭିନ୍ନ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ କହୁଛନ୍ତି। ସାଉଦି ପକ୍ଷରୁ ପାକ୍ ସହିତ ଏହି ଚୁକ୍ତି କରାଯିବା ପଛର ମୂଳ ଉଦ୍ଦେଶ୍ୟ ହେଉଛି ଇସ୍ରାଏଲ। ଇସ୍ରାଏଲ ଯଦି କେବେଳ ପାକିସ୍ତାନ ଉପରେ ଆକ୍ରମଣ କରେ, ସେ କ୍ଷେତ୍ରରେ ସାଉଦି ପାକିସ୍ତାନ ସହିତ ଛିଡ଼ା ହୋଇପାରେ, କିନ୍ତୁ ଭାରତ କ୍ଷେତ୍ରରେ ତାହା ହୋଇପାରିବ ନାହିଁ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।
ନାଟୋ ଦେଶ ଭଳି ଏହି ଦୁଇ ଦେଶ ପ୍ରତିରକ୍ଷା ଚୁକ୍ତି କରିଛନ୍ତି। ଏଥିରେ ଏଭଳି ଶବ୍ଦ ବ୍ୟବହାର କରାଯାଇଛି, ଯାହା ଅନେକ ଦେଶକୁ ଆଶ୍ଚର୍ଯ୍ୟ କରିଛି। ଯେମିତି କି, ଜଣକ ଉପରେ ଆକ୍ରମଣ ହେଲେ, ଉଭୟଙ୍କ ଉପରେ ଆକ୍ରମଣ ସହ ସମାନ ବୋଲି ଚୁକ୍ତିରେ ଲିଖିତ ରହିଛି। ଇସଲାମାବାଦ ଏହାକୁ ଏକ ବଡ଼ କୂଟନୈତିକ ବିଜୟ ବୋଲି ଭାବୁଛି। କାରଣ ଭାରତ ବିରୋଧରେ ଯୁଦ୍ଧ ହେଲେ ତା’କୁ ସାଉଦିଠାରୁ ପ୍ରତିରକ୍ଷା ସହଯୋଗ ମିଳିବ ବୋଲି ପାକିସ୍ତାନ ମନେ ମନେ ସ୍ଥିର କରିସାରିଛି।
ପ୍ରତିରକ୍ଷା ବିଶେଷଜ୍ଞ ଏବଂ ଭୂରାଜନୈତିକ ବିଶ୍ଳେଷକମାନେ କହିଚନ୍ତି, ଏହି ଚୁକ୍ତିର ଅର୍ଥ ନୁହେଁ ଯେ, ସାଉଦି ଆରବ ପାକିସ୍ତାନ ପାଇଁ ଭାରତ ସହିତ ଯୁଦ୍ଧ କରିବ। ଏହାର ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ।
ସାଉଦି ଆରବର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପାକିସ୍ତାନ ସହିତ ହୋଇଥିବା ନୂତନ ପ୍ରତିରକ୍ଷା ଚୁକ୍ତି କେତେକ ନିର୍ଦ୍ଦିଷ୍ଟ ଦେଶ ପାଇଁ ପ୍ରଯୁର୍ଯ୍ୟ ନୁହେଁ। ଭାରତ ସହିତ ଆମର ସମ୍ପର୍କ ସବୁଠୁ ସୁଦୃଢ଼। ଆମେ ଏହି ସମ୍ପର୍କକୁ ଆଗକୁ ନେବୁ ଏବଂ ଆଞ୍ଚଳିକ ଶାନ୍ତି ପ୍ରତିଷ୍ଠା ଦିଗରେ ଯଥାସମ୍ଭବ ପ୍ରଚେଷ୍ଟା କରିବୁ।
ସାଉଦି ଆରବ ଭାରତର ୪ର୍ଥ ବୃହତ୍ତମ ବାଣିଜ୍ୟିକ ଅଂଶୀଦାର। ସେହିପରି ଭାରତ ସାଉଦି ଆରବ ପାଇଁ ୨ୟ ବୃହତ୍ତମ ବାଣିଜ୍ୟିକ ଅଂଶୀଦାର। ଉଭୟ ଦେଶ ମଧ୍ୟରେ ଗଭୀର ଅର୍ଥନୈତିକ ଏବଂ ସାଂସ୍କୃତିକ ସମ୍ପର୍କ ରହିଛି। ୨୦୨୪-୨୫ରେ ଦୁଇ ଦେଶ ମଧ୍ୟରେ ଦ୍ଵିପାକ୍ଷିକ ବାଣିଜ୍ୟ ପରିମାଣ ୪୧.୮୮ ବିଲିଅନ ଡଲାର ରହିଥିଲା।
ଅନ୍ୟପଟେ ପାକିସ୍ତାନ ସହିତ ସାଉଦି ଆରବର ବ୍ୟବସାୟ ମାତ୍ର ୩ରୁ ୪ ବିଲିଅନ ଡଲାର। ତେଣୁ ସାଉଦି ଆରବ କେବେ ବି ଭାରତ ବିରୋଧରେ ଯିବ ନାହିଁ।



