ସମ୍ବଲପୁର : ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ଏକ ଭବ୍ୟ ରୂପା ଓ ଛତ୍ର ନିର୍ମାଣ କରାଯିବ ବୋଲି ଦଶହରାର ପବିତ୍ର ମହାଷ୍ଟମୀ ତିଥିରେ ସଂକଳ୍ପ କରାଯାଇଛି। ମଙ୍ଗଳବାର ଅପରାହ୍ନରେ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଭାପତି ସଞ୍ଜୟ ବାବୁ ସୁଚନା ଦେଇ କହିଛନ୍ତି ଯେ, ଏହି କାର୍ଯ୍ୟ ନିମନ୍ତେ ପ୍ରାୟ ୧୦୦ କିଗ୍ରାର ରୂପାର ଆବଶ୍ୟକତା ରହିଛି। ଏବେ ଟ୍ରଷ୍ଟ ବୋର୍ଡ ନିକଟରେ ବିଭିନ୍ନ ଆକୃତିର ୧୧ କିଗ୍ରା ୯୮୧ ଗ୍ରାମ ଓଜନର ରୂପା ଗଚ୍ଛିତ ରହିଛି। ଏଣୁ ବାକି ଆବଶ୍ୟକତା ରହିଥିବା ରୂପା ପାଇଁ ଭକ୍ତ ମାନେ ମାଁଙ୍କ ନିମନ୍ତେ ଦାନ କରନ୍ତୁ ବୋଲି ଟ୍ରଷ୍ଟ ବୋର୍ଡ ପକ୍ଷରୁ ଆହ୍ୱାନ କରାଯାଇଛି। ଯଦି ଠିକ ସମୟରେ ରୂପା ମିଳେ, ତାହା ହେଲେ ଆଗାମୀ ଜାନୁଆରୀ ନବ ବର୍ଷ ଅବସରରେ ମାଁ ଙ୍କ ନିକଟରେ ଏହି ନୂତନ ପରଭା ଓ ଛତ୍ର ଅର୍ପଣ କରାଯିବ।

ମାଁ ଙ୍କ ରୂପା ପାଇଁ ଟଙ୍କା କିମ୍ବା ରୂପା ଆକାରରେ ଦାନ କରିବାକୁ ଇଚ୍ଛୁକ ବ୍ୟକ୍ତି ମାନେ କେବଳ ଟ୍ରଷ୍ଟ ବୋର୍ଡ କାର୍ଯ୍ୟାଳୟ କିମ୍ବା ବୋର୍ଡର ଆଧିକାରିକ ବ୍ୟାଙ୍କ ଖାତାରେ ଜମା କରି ଉପଯୁକ୍ତ ରସିଦ ନେବାର ସୁବ୍ୟବସ୍ଥା କରାଯାଇଛି। ଟ୍ରଷ୍ଟ ବୋର୍ଡ ବ୍ୟତିତ ଅନ୍ୟ କାହାରିକୁ କୌଣସି ସୂତ୍ରରେ ମଧ୍ୟ ମାଁ ଙ୍କ ରୂପା ପାଇଁ ଦାନ ପ୍ରଦାନ ନ କରିବାକୁ ଭକ୍ତ ମାନଙ୍କୁ ବୋର୍ଡ ପକ୍ଷରୁ ଅନୁରୋଧ କରାଯାଇଛି। ଏହା ସହିତ ମାଁ ବ୍ୟବହାର କରୁଥିବା ସୁନା, ରୂପା ଅଳଙ୍କାର ସମେତ ଅନ୍ୟାନ୍ୟ ସାମଗ୍ରୀ ଗୁଡିକୁ ଆଗାମୀ ଦିନରେ ଏକ ସଂଗ୍ରାହଳୟ କରାଯାଇ ଭବିଷ୍ୟତ ପିଢ଼ିର ଅବଗତି ନିମନ୍ତେ ପ୍ରଦର୍ଶନ କରାଯିବାର ଯୋଜନା ରହିଛି ବୋଲି ସଭାପତି ବାବୁ କହିଛନ୍ତି।



