ସମ୍ବଲପୁର : ସମ୍ବଲପୁର ଜିଲାପାଳ ସିଦେ୍ଧଶ୍ୱର ବଳିରାମ ବୋନ୍ଦର ମଙ୍ଗଳବାର ଧନକଉଡା ବ୍ଲକ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଛନ୍ତି। କଳାମାଟି ଗ୍ରାମରେ ହେଉଥିବା ଡ୍ରାଗନ ଫଳ ଚାଷ, ଗୋଡଭଗାର ଯୁକ୍ତ ୩ କଲେଜ, ବସନ୍ତପୁର ଗ୍ରାମ ପଞ୍ଚାୟତର ସାହାଜବାହାଲ ଗ୍ରାମର ଟେରାକୋଟା କଳାକୃତି ଘର, ଆୟୁଷ ଆରୋଗ୍ୟ କେନ୍ଦ୍ର ଆଦି ପରିଦର୍ଶନ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ। ଜିଲାପାଳ ଡ୍ରାଗନ ଫଳ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ କ୍ଲଷ୍ଟର ଆଧାରିତ ପ୍ରଣାଳୀ ଗଠନ ଓ କୃଷି ପର୍ଯ୍ୟଟନ ଉନ୍ନତି ପାଇଁ ପରାମର୍ଶ ଏହି ଅବସରରେ ଦେଇଥିଲେ । ଓଡିଶା ଜୀବିକା ମିଶନ ଏବଂ ଓଡିଶା ରୁରାଲ ଡେଭଲମେଣ୍ଟ ଓ ମାର୍କେଟିଂ ସୋସାଇଟିଙ୍କୁ ଏହି ଉଦ୍ୟମରେ ସଂଯୁକ୍ତ ରୂପେ କାର୍ଯ୍ୟ କରିପାରିବେ ବୋଲି ଶ୍ରୀ ବୋନ୍ଦର କହିଥିଲେ । ଗୋଡଭଗା ଯୁକ୍ତ ୩ କଲେଜରେ ଚାଲିଥିବା ବିକାଶ ମୂଳକ କାର୍ଯ୍ୟକୁ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲାପାଳ ଟେରାକୋଟା କଳାକୃତି ଘର ଗୁଡିକୁ ପରିଦର୍ଶନ କରି ସ୍ଥାନୀୟ କାରିଗରମାନଙ୍କୁ ଉନ୍ନତ ପ୍ରଶିକ୍ଷଣ ସୁବିଧା ପାଇଁ ପ୍ରସ୍ତାବ ଦେଇଥିଲେ ଏବଂ ଗ୍ରାମରେ ପାନୀୟ ଜଳ, ମୌଳିକ ସୁବିଧା ସମେତ ସମସ୍ତ ସୁବିଧା ଯୋଗାଇ ଦେବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ।
Popular Categories



