ତଣ୍ଟିରେ ଅଟକିଛି କଣ୍ଟା : ୫ ବର୍ଷ ହେଲା ସରୁନି ସମ୍ବଲପୁର ଫ୍ଲାଇଓଭର ନିର୍ମାଣ
ପ୍ରକଳ୍ପ ବ୍ୟୟ ବଢ଼ିଲାଣି ୨୫%
୨୦୧୭ରେ ସରିବାର ଥିଲା, ୨୦୨୦ରେ ଅଧା ହୋଇନାହିଁ
ସମ୍ବଲପୁର: ୫ ବର୍ଷ ହେଲା ସମ୍ବଲପୁର ଫ୍ଲାଇଓଭର ନିର୍ମାଣ ସରୁନାହିଁ। ସହରର ମୁଖ୍ୟରାସ୍ତାକୁ ଅବରୋଧ କରି ଏହି ଫ୍ଲାଇଓଭର ୫ ବର୍ଷ ହେଲା ଛିଡ଼ା ହୋଇଛି। ଲୋକଙ୍କ ଗମନାଗମନରେ ସୁବିଧା ପାଇଁ ନିର୍ମାଣ କରାଯାଉଥିବା ଏହି ସେତୁ ଲୋକଙ୍କ ସମସ୍ୟାର କାରଣ ହୋଇପଡ଼ିଛି। ୫ ବର୍ଷ ହେଲା ସମ୍ବଲପୁର ମୁଖ୍ୟରାସ୍ତା ଅବରୋଧ ହୋଇଛି। ନା ନିର୍ମାଣ ସରୁଛି ନା ବାଟ ଫିଟୁଛି। ସମ୍ବଲପୁର ଫ୍ଲାଇଓଭର ସମ୍ବଲପୁରବାସୀଙ୍କ ପାଇଁ ତଣ୍ଟିରେ ଅଟକିଲା କଣ୍ଟା ଭଳି ହୋଇଛି।
ମୁଖ୍ୟ ସହରରେ ଟ୍ରାଫିକ ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ୨୦୧୫ରେ ଫେବୃଆରୀରେ ଏହି ଯୋଜନା ମଞ୍ଜୁର ହୋଇଥିଲା। ଭୁବନେଶ୍ବରର ପଣ୍ଡା ଇନ୍ଫ୍ରା ଏହି ଫ୍ଲାଇଓଭର ନିର୍ମାଣ କରୁଛି। ଇତି ମଧ୍ୟରେ ପାଖାପାଖି ୫ ବର୍ଷ ହେବାକୁ ବସିଲାଣି; ଅଥଚ ନିର୍ମାଣ ସରୁନାହିଁ। ମୁଖ୍ୟରାସ୍ତା ଅବରୋଧ ହୋଇଥିବାରୁ ୫ ବର୍ଷ ହେଲା ସହରରେ ଗମନାଗମନ କ୍ଷେତ୍ରରେ ବଡ଼ ଧରଣର ବିଭ୍ରାଟ ଲାଗିରହିଛି। ୨୦୧୫ ମସିହାରୁ ଏ ଯାବତ ଫ୍ଲାଇଓଭର ଡିଜାଇନରେ ତିନି ତିନି ଥର ପରିବର୍ତ୍ତନ କରାଯାଇଛି। ପୀରବାବା ଛକରେ ପାଖାପାଖି ପଡ଼ୁଥିବା ୩ଟି ଧର୍ମାନୁଷ୍ଠାନ ଭଙ୍ଗାକୁ ଏଡ଼ାଇବା ପାଇଁ ଦୁଇପଟେ ଏହାକୁ ପରିବର୍ଦ୍ଧିତ କରାଯାଇଛି। ୨୦୧୬ ମସିହା ଫେବୃଆରୀ ୧୨ ତାରିଖ ଫ୍ଲାଇଓଭର ନିର୍ମାଣ ଆରମ୍ଭ ହୋଇଥିଲା।
୨୦୧୭ ମସିହା ମଇ ୧୧ ତାରିଖ ସୁଦ୍ଧା ନିର୍ମାଣ ଶେଷ ହେବା କଥା। କିନ୍ତୁ ନିର୍ଦ୍ଧାରିତ ସମୟରେ କାମ ନସରିବାରୁ ଅବଧିକୁ ୨୦୧୮ ମସିହା ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ସମ୍ପୃକ୍ତ ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନ୍ଫ୍ରା ପକ୍ଷରୁ ନିର୍ମାଣ କରାଯାଉଥିବା ଭୁବନେଶ୍ୱରର ବମିଖାଲରେ ସେପ୍ଟେମ୍ବର ୧୦ ତାରିଖ ଫ୍ଲାଇଓଭର ଭାଙ୍ଗିଯିବାରୁ ଜଣେ ମୃତ ଓ ୧୨ ଜଣ ଆହତ ହୋଇଥିଲେ। ତେଣୁ ଉକ୍ତ ସଂସ୍ଥା ନିର୍ମାଣ କରୁଥିବା ସମ୍ବଲପୁର ଫ୍ଲାଇଓଭର ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯାଇଥିଲା। ୨୦୧୮ ମଇ ୮ ତାରିଖ ପୁଣି ଲୁହାରଡ଼ରେ ଚାପି ହୋଇ ଜଣେ ଶ୍ରମିକ ମୃତ୍ୟୁବରଣ ଓ ଅନ୍ୟ ଜଣେ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ଏହି ସଂସ୍ଥା ବମିଖାଲ ବ୍ୟତୀତ ଜଟଣୀ ଓ ସମ୍ବଲପୁରରେ ଦୁଇଟି ଓଭରବ୍ରିଜ ନିର୍ମାଣ କରୁଛି। ଜଟଣୀ କାମର ଭିଜିଲାନ୍ସ ପକ୍ଷରୁ ତଦନ୍ତ ହୋଇଥିଲା। ବମିଖାଲ ପରେ ଅନ୍ୟତମ ମୁଖ୍ୟ ପ୍ରକଳ୍ପ ଭାବରେ ସମ୍ବଲପୁରରେ ନିର୍ମାଣ ହେଉଛି ସୁଦୀର୍ଘ ଫ୍ଲାଇଓଭର। ତେବେ, ଏଠାରେ ନିର୍ମାଣର ମନ୍ଥର ଗତି ଓ ନିମ୍ନମାନର କାର୍ଯ୍ୟ ଅଭିଯୋଗ ହୋଇଥିଲେ ମଧ୍ୟ ଏନେଇ କୌଣସି ପଦକ୍ଷେପ ନିଆଯାଇନାହିଁ। ବମିଖାଲ ଅଘଟଣ ପରେ ସମ୍ବଲପୁରରେ କାର୍ଯ୍ୟ ବନ୍ଦ କରିବା ସହ ପୂର୍ତ୍ତ ବିଭାଗର ଉଚ୍ଚସ୍ତରୀୟ ବୈଷୟିକ ଟିମ ଆସି କାମର ମାନ ପରୀକ୍ଷା କରି ସରକାରଙ୍କୁ ରିପୋର୍ଟ ଦେବା ପରେ ପ୍ରାୟ ୨ ମାସ ପରେ ପୁଣି କାର୍ଯ୍ୟ ଆରମ୍ଭ ହୋଇଥିଲା। ଫ୍ଲାଇଓଭର ରାସ୍ତାରେ ଏକାଧିକ ଧର୍ମାନୁଷ୍ଠାନ ଓ ଆପ୍ରୋଚ ରାସ୍ତାକୁ ନେଇ ଲାଗି ରହିିବା ବିବାଦର ସମାଧାନ ହୋଇ ପାରୁନାହିଁ।
ଏହି ଫ୍ଲାଇଓଭର ଦୈର୍ଘ୍ୟ ୧୫୪୦ ମିଟରରୁ ୧୮୮୦ ମିଟର ଓ ବ୍ୟୟ ଅଟକଳ ୬୨.୩୮ କୋଟି ଟଙ୍କାରୁ ୮୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଧୁଚୁରା ପଡ଼ା ଛକରୁ କଚେରୀ ଛକ ପର୍ଯ୍ୟନ୍ତ ଲୋକେ କେତେବେଳେ ବଡ଼ ବଡ଼ ଖାତ, ଫ୍ଲାଇଓଭରର ବିରାଟ ପିଲର୍ ତଳେ ବିପଦସଂକୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି। ଫ୍ଲାଇଓଭର ମୁଖ୍ୟ ଡିଜାଇନରେ ତିନିଥର ପରିବର୍ତ୍ତନ କରାଯିବା, ଭୁବନେଶ୍ୱରରେ ଦୁର୍ଘଟଣା ପରେ ପଣ୍ଡା ଇନ୍ଫ୍ରାକୁ କଳା ତାଲିକାଭୁକ୍ତ କରାଯିବା ଓ ଚାରିଥର ନିର୍ମାଣ କାର୍ଯ୍ୟ ବନ୍ଦ ରହିବା ଓ ଆଶାପାଲି ସ୍କୁଲ ପାଖରେ ସ୍ଲୋପିଂ ହ୍ରାସ ଜନିତ ବିବାଦ ଫ୍ଲାଇଓଭର ନିର୍ମାଣର ଗତିକୁ ମନ୍ଥର କରିଛି। ଗତ ଜୁନ ୨୫ ତାରିଖରେ ଆଶାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାନ୍ଥ ଓ ଅଙ୍ଗନବାଡ଼ି କୋଠାର ଛାତକୁ କାଟି ସେହି ଜାଗା ଅଧିଗ୍ରହଣ ହୋଇ ନଥିବାରୁ ସର୍ଭିସ ରୋଡ଼ ତିଆରି ହୋଇ ପାରୁନାହିଁ। ଏହିଭଳି ଏହି ମହତ୍ବାକାଂକ୍ଷୀ ପ୍ରକଳ୍ପ ନାନା ବିବାଦରେ ଛନ୍ଦି ହୋଇ ରହିଥିବାରୁ ଏହାର ନିର୍ମାଣ ଗୁରୁତର ବାଧାପ୍ରାପ୍ତ ହୋଇଆସୁଛି।
Comments are closed.