ଲୋକ ଚରିତ୍ରର ସ୍ଖଳନ

ମୁଁ ଡ଼ାକ୍ତର ହେବି, ଗରିବଙ୍କ ସେବାରେ ନିଜକୁ ଉସତ୍ସର୍ଗୀକୃତ କରିବି, ମୁଁ ଆଇ.ଏ.ଏସ୍‍ ହୋଇ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ସମାଜର ଶେଷଧାଡ଼ିରେ ଥିବା ମଣିଷମାନଙ୍କ ନିକଟରେ ପହଞ୍ଚାଇବି,ମୁଁ ଭବିଷ୍ୟତରେ ଜଣେ ଜନସେବକ ହୋଇ ଜନତାଙ୍କ ହିତ କରିବି…ଏମିତି କେତେକେତେ ମହତ୍‍ କଥା କେବଳ ମୁଁ ନୁହେଁ, ଆପଣମାନେ ମଧ୍ୟ ଶୁଣିଥିବେ ବହୁ ସମୟରେ। କେତେବେଳେ ହାଇସ୍କୁଲ୍‍ ପରୀକ୍ଷା ଟପ୍ପରଙ୍କ ମୁହଁରୁ ତ’,ଆଉ କେବେ ନିଟ୍‍,ଜେ.ଇ.ଇ. ପରି ପ୍ରବେଶିକା ପରୀକ୍ଷାର ସଫଳ ଶିକ୍ଷାର୍ଥୀ କିମ୍ବା ଆଇ.ଏ.ଏସ୍‍, ଆଇ.ପି.ଏସ୍‍, ପଦ ହାସଲ କରିଥିବା ପ୍ରତିଯୋଗୀଙ୍କ ମୁହଁରୁୁ। ପରେ ପୁଣି ଶୁଣାଯାଏ ଅମୁକ ଡ଼ାକ୍ତର ବାବୁଙ୍କ କ୍ଲିନିକ୍‍ ଓ ଘର ଉପରେ ଭିଜିଲାନ୍‍ସ ଚଢ଼ାଉ, ସମୁକ ଇଞ୍ଜିନିୟର, ଜନସେବକ, ପୁଲିସ୍‍ କିମ୍ବା ସରକାରୀ ବାବୁଙ୍କ ଘରୁ ନଗଦ କୋଟି କୋଟି ଟଙ୍କା, ବହୁମୂଲ୍ୟ ସୁନା ଅଳଙ୍କାର ଓ ଜମିବାଡ଼ି କାଗଜପତ୍ର ଜବତ, ପୁଣି କେଉଁ ବଡ଼ ପ୍ରଶାସନିକ ଅଫିସର ରେଡ୍‍ ସମୟରେ ଅନ୍ୟର କୋଠା ଉପରକୁ ଟଙ୍କା ପେଟି ଫୋପାଡ଼ି ଦେବାର ଖବର ଇତ୍ୟାଦି ଇତ୍ୟାଦି। ପୂର୍ବ କଥନ ଓ ଆଦର୍ଶ ‘ସେବା’ ପଦବୀ ହାସଲ ପରେ ‘ନେବା’ରେ ଖୁବ୍‍ଶୀଘ୍ର କିପରି ବଦଳିଯାଏ ତାହା ଅନୁଶୀଳନ କଲେ ମନ ଆନ୍ଦୋଳିତ ହୁଏ। ବିଶ୍ୱର ଦ୍ୱିତୀୟ ଜନବହୁଳ ରାଷ୍ଟ୍ର ତଥା ଆମଠାରୁ ଦୁଇବର୍ଷ ପରେ ସ୍ୱାଧୀନତା ହାସଲ କରିଥିବା ଚୀନ୍‍ ଭିତ୍ତିଭୂମି ବିକାଶ, ପ୍ରଯୁକ୍ତି ବିଦ୍ୟା ଓ ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଆଜି କେଉଁଠି ଓ ଆମେ କେଉଁଠି, ତାହା ଚିନ୍ତାକଲେ ମନରେ ଘୋର ନୈରାଶ୍ୟ ଜାତ ହୁଏ।
ଏବେ ଟିକେ ନଜର ପକାଇବା ୨୦୨୨ ମସିହରେ ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସ୍‍ନାଲ (ଆନ୍ତର୍ଜାତିକ ସ୍ୱଚ୍ଛତା ସଂସ୍ଥା) ପ୍ରକାଶ କରିଥିବା ଦୁର୍ନୀତି ଉପଲବ୍ଧି ସୂଚକାଙ୍କ (କରପ୍‍ସନ ପରସେପସନ୍‍ ଇଣ୍ଡେକ୍ସ) ଉପରେ। ୧୮୦ଟି ଦେଶକୁ ନେଇ କରାଯାଇଥିବା ଏହି ସ୍ୱଚ୍ଛତା ସର୍ବେକ୍ଷଣ ତାଲିକାରେ ୟୁରୋପୀୟ ଦେଶ ଡେନମାର୍କ ୧୦୦ରୁ ସର୍ବାଧିକ ୯୦ଅଙ୍କ ପ୍ରାପ୍ତକରି ବିଶ୍ୱର ସବୁଠୁ ସ୍ୱଚ୍ଛରାଷ୍ଟ୍ର ହେବାର ଗୌରବ ଅର୍ଜନ କରିଛି। ଏହା ପଛକୁ ଫିନ୍‍ଲ୍ୟାଣ୍ଡ୍‍ ଓ ନ୍ୟୁଜିଲ୍ୟାଣ୍ଡ ରହିଛନ୍ତି; କିନ୍ତୁ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଏହା ଯେ, ଆମ ଦେଶ ଭାରତ ୧୦୦ ରୁ ମାତ୍ର ୪୦ ଅଙ୍କ ପାଇ ସ୍ୱଚ୍ଛତା କ୍ରମରେ ୮୫ତମ ସ୍ଥାନରେ ରହିଛି। ଏପରି କି ଜନସଂଖ୍ୟା ଦୃଷ୍ଟିରୁ ନିକଟରେ ଆମେ ପରାଜିତ କରିଥିବା ଆମ ପଡୋଶୀ ଦେଶ ଚୀନ୍‍ ୪୫ ଅଙ୍କ ପାଇ ଆମଠୁ ଉପରେ ଅର୍ଥାତ୍‍ ୬୫ତମ ସ୍ଥାନରେ ରହିଛି। ସ୍ୱଚ୍ଛତା ତାଲିକାରେ ଆମେ ବହୁ ପଛରେ ଅଛେ,ଏହା ଆମ ପାଇଁ ଘୋର ଲଜ୍ଜା ଓ ପରିତାପର ବିଷୟ ନୁହେଁ କି? ନିଜକୁ ବିଶ୍ୱର ସର୍ବବୃହତ୍‍ ଗଣତାନ୍ତ୍ରିକ ରାଷ୍ଟ୍ରର ଅଧିବାସୀ ବୋଲିି ଆମେ ଡ଼ିଣ୍ଡିମ କରୁଥିବା ବେଳେ, ଏହି ତାଲିକା ଆମ ଲୋକଚରିତ୍ରର ସ୍ଖଳନକୁ ଜଳଜଳ ଦର୍ଶାଉ ନାହିଁ କି ? ଦୁର୍ନୀତି ସଂପ୍ରତି କେବଳ ଯେ ଏକ ମହାମାରୀର ରୂପ ନେଇ ଗରିବର ପେଟକୁ ଲାତ ମାରୁନାହିଁ, ବରଂ ବଣୁଆ ନିଅାଁ ସଦୃଶ ଆମ ଦେଶର ଆର୍ଥିକ ଅଭିବୃଦ୍ଧିକୁ ଗ୍ରାସ କରିଚାଲିଛି। ବେକାରୀ ସମସ୍ୟାକୁ ଉତ୍କଟତର କରିବା ସହ ବିକଶିତ ରାଷ୍ଟ୍ର ସୂଚୀରେ ସାମିଲ ହେବା ନିମନ୍ତେ ଆମ ଦୀର୍ଘଦିନର ସ୍ୱପ୍ନକୁ ଧୂଳିସାତ୍‍ କରୁଛି। ଏହା ଏଭଳି ଆର୍ଥିକ ବୈଷମ୍ୟ ସୃଷ୍ଟି କରିଛି ଯେ ଆଜି ଆମ ଦେଶ ଭାରତ ଓ ଇଣ୍ଡିଆ, ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। ଅଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତଙ୍କ ତୁଳନାରେ ସିଂହଭାଗ ଦୁର୍ନୀତିରେ ଉଚ୍ଚଶିକ୍ଷିତ ବର୍ଗ ସଂଶ୍ଳିଷ୍ଟ ହେବା ଦେଖାଯାଏ, ଯାହା ସବୁଠୁ ବିଡ଼ମ୍ବନାର ବିଷୟ। ଏହା ଆମ ଶିକ୍ଷା ଓ ସାମାଜିକ ବିଧିବ୍ୟବସ୍ଥାର ଅସଫଳତାର ସ୍ପଷ୍ଟ ପ୍ରମାଣ ନୁହେଁ କି ? ତେବେ ଏସବୁର ମୂଳ କାରଣ କ’ଣ? ପ୍ରଥମେ ଆମେ ନଜର ପକାଇବା ଆମ ଶିକ୍ଷାବ୍ୟବସ୍ଥା ଉପରେ। ଆମ ଶିକ୍ଷା ବ୍ୟବସ୍ଥାରେ ନୈତିକ ଶିକ୍ଷା ଓ ଦକ୍ଷତା ବିକାଶ ଠାରୁ ପରୀକ୍ଷା ନମ୍ବର ପ୍ରତିଶତ ଅଧିକ ଗୁରୁତ୍ୱ ବହନ କରେ। କାଁ ଭାଁ କିଛି ଆଦର୍ଶବାଦୀ ଶିକ୍ଷକ ପିଲାଙ୍କୁ କିଛିମାତ୍ରାରେ ନୈତିକ ଶିକ୍ଷା ଦେଉଥିଲେ ମଧ୍ୟ ଅଧିକାଂଶ ସିଲାବସ୍‍ ସାରିବାରେ ବ୍ୟସ୍ତ ରହନ୍ତି। ପ୍ରାୟ ଅଭିଭାବକ ଚାହାନ୍ତି ପିଲା ଶୁଆପରି ପାଠ ସବୁ ଘୋଷି ପରୀକ୍ଷାରେ ଅଧିକ ନମ୍ବର ଆଣୁ। ଚାରିଆଡ଼ୁ଼ୁ ଚାପଗ୍ରସ୍ତ ହୋଇ ପିଲାଟି ସ୍କୁଲ୍‍ ଟିଉସନ୍‍ ଓ କୋଚିଂରେ ବୁଡ଼ି ରହେ। ଘରେ ମାତାପିତା ଓ ଗୁରୁଜନଙ୍କ ଠାରୁ ଯେତିକି ସଂସ୍କାର ଓ ନୈତିକ ମୂଲ୍ୟବୋଧ ପାଇବା କଥା, ପିଲା ତାହା ଆଜି ପାଇପାରୁନି। ମୋବାଇଲ୍‍ ଘର ଭାଙ୍ଗିସାରିଲାଣି, ଗୋଟେ ଛାତ ତଳେ ଭିନ୍ନ ଭିନ୍ନ ପୃଥିବୀ, ପିଲା ପାଇଁ ସମୟ ଅଭାବ। ପୁଣି ଅମୁକ ଅମୁକ ବୃତ୍ତି କିମ୍ବା ଚାକିରି କଲେ ବଡ଼ ଘର ଗାଡ଼ି କରି ଭବିଷ୍ୟତରେ ସୁଖମୟ ଜୀବନ ଜିଇହେବ ବୋଲି ଛୋଟବେଳୁ ପିିଲାଙ୍କ ମୁଣ୍ଡରେ ଭରି ଦିଆଯାଉଛି। ପିଲାର ଇଚ୍ଛା କିମ୍ବା ଦକ୍ଷତାକୁ ଆକଳନ ନକରି ଅଭିଭାବକମାନେ ନିଜ ଉଚ୍ଚାଭିଳାଷ ପୂରଣ ନିମନ୍ତେ ଲକ୍ଷଲକ୍ଷ ଟଙ୍କା କୋଚିଂ ବିନିମୟରେ ତା’କୁ ବିଭିନ୍ନ ପ୍ରବେଶିକା କିମ୍ବା ଉଚ୍ଚବେତନ ଭିତ୍ତିକ ଚାକିରି ପ୍ରତିଯୋଗିତାରେ ଲଗାଇବାର ଦେଖାଯାଏ, ଠିକ୍‍ ରେସ୍‍ର ଘୋଡ଼ା ପରି। ପିଲାକୁ ପଢ଼ାଇବା କିମ୍ବା ତା’ପାଇଁ ପଇସା ଖର୍ଚ୍ଚ କରିବା ଆଦୌ ମନ୍ଦ ନୁହେଁ; କିନ୍ତୁ ତୋ’ ପିଛାରେ ଏତେ ଏତେ ପଇସା ଖର୍ଚ୍ଚ ହେଉଛି, ତତେ ଯେମିତି ହେଉ ଅମୁକ ପ୍ରବେଶିକା କିମ୍ବା ନିଯୁକ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡିବ,-ଏକଥା ବାରମ୍ବାର ଚେତାଇବା, କେତେ ଦୂର ଯୁକ୍ତିଯୁକ୍ତ ? ଆମେ ଯେଉଁ ଆଦର୍ଶ ଦେଉଛେ, ପିଲା ଭବିଷ୍ୟତରେ ବସ୍ତୁବାଦୀ ତଥା ସମ୍ବେଦନ ବିହୀନ ଟଙ୍କା ମେସିନ୍‍ଟିଏ ହେବନି ତ ଆଉ କ’ଣ ହେବ? ତା ଠାରୁ କ’ଣ ଦୟା, କରୁଣା, କର୍ତ୍ତବ୍ୟନିଷ୍ଠା ଓ ସାଧୁତା ପରି ଉତ୍ତମ ମାନବୀୟ ମୂଲ୍ୟବୋଧ ଆଶା କରାଯାଇ ପାରିବ? ସେ କ’ଣ ପିତାମାତାଙ୍କ ବୃଦ୍ଧାବସ୍ଥାରେ ଶ୍ରବଣ କୁମାର ପରି ଆଶାବାଡ଼ି ସାଜି ପାରିବ? ଦିଅଁ ଗଢ଼ୁ ଗଢ଼ୁ ମାଙ୍କଡ଼ ଗଢ଼ୁନେ ତ’ ଆମେ? ଏବେ ନଜର ପକାଇବା ଆମ ଆଇନ ବ୍ୟବସ୍ଥା ଉପରେ। ଦୁର୍ନୀତି ଧରାହେବା ହେବା ପରେ ଲମ୍ବା ଆଇନଗତ ପ୍ରକ୍ରିୟା ଓ ଆଇନର ଗଳାବାଟ ଦେଇ ଅନେକଙ୍କୁ ମୁକୁଳି ଯିବାର ଦେଖାଯାଏ। ଯଦି ତୁରନ୍ତ ବିଚାର ପ୍ରକ୍ରିୟା ଶେଷହୋଇ ଦୋଷୀକୁ କଠୋର ଦଣ୍ଡ ମିଳନ୍ତା, ତେବେ ହୁଏତ ଦୁର୍ନୀତିକୁ ଅନେକାଂଶରେ ରୋକି ହୁଅନ୍ତା। ରାଜ୍ୟ ସରକାର କିଛିବର୍ଷ ହେବ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଉଛନ୍ତି, ଯାହାକି ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏଥିସହ କଡ଼ାଗଣ୍ଡା ହିସାବ କରି ଦୁର୍ନୀତିମୂଳକ ଭାବେ ଉପାର୍ଜିତ ସମୁଦାୟ ଅର୍ଥରାଶି ଆଦାୟ ସହ ସମ୍ପତ୍ତି ବାଜ୍ୟାପ୍ତି କଲେ ଆହୁରି ଭଲ ହୁଅନ୍ତା। କିନ୍ତୁ ଏତେ ସବୁ ଭିତରେ ବି ଆମ ସମାଜରୁ ନୀତି ନୈତିକତା ଓ ସାଧୁତା ହଜିଯାଇ ନାହିଁ। ଆଜି ବି ସେହି ଡ଼ାକ୍ତରଙ୍କ ସଂଖ୍ୟା କମ୍‍ ନୁହେଁ, ଯେଉଁମାନେ ରୋଗୀଙ୍କ ପାଇଁ ଭଗବାନ୍‍ଙ୍କ ଦ୍ୱିତୀୟ ଅବତାର। ଇଞ୍ଜିନିୟର, ଆଇ.ଏ.ଏସ୍‍, ଆଇ.ପି.ଏସ୍‍, ପୁଲିସ୍‍, ଆଇନଜୀବୀ, ସରକାରୀ କର୍ମଚାରୀ ଓ ଜନସେବକ ଅଛନ୍ତି ଯେଉଁମାନଙ୍କ ସେବା ମନୋବୃତ୍ତି ଅତୁଳନୀୟ ଓ ଅନ୍ୟମାନଙ୍କ ପାଇଁ ଉଦାହରଣୀୟ। ସେହିମାନେ ହିଁ ତ’ ଖୁଣ୍ଟ ସଦୃଶ ସମାଜକୁ ଧରି ରଖିଛନ୍ତି। ସାମାଜିକ ମୂଲ୍ୟବୋଧର ଅବକ୍ଷୟକୁ ରୋକିବାକୁ ହେଲେ ପିଲାଙ୍କୁ ଭଲମଣିଷ କରି ଗଢ଼ିବା ଉଭୟ ଅଭିଭାବକ ଓ ଶିକ୍ଷକ ସମାଜର ପ୍ରାଥମିକ ଲକ୍ଷ୍ୟ ହେବା ଉଚିତ୍‍। ସେଥିପାଇଁ ବହି ପାଠ ସହ ସେମାନଙ୍କୁ ଉପଯୁକ୍ତ ସଂସ୍କାର ଓ ନୈତିକ ମୂଲ୍ୟବୋଧ ଶିକ୍ଷା ଦେବା ଆବଶ୍ୟକ। ପିଲା ଭଲମଣିଷ ହୋଇଗଲେ, ସବୁଥିରେ ସଫଳ ହେବ, ଯେ କୌଣସି ବୃତ୍ତିରେ ମଧ୍ୟ ଶ୍ରେଷ୍ଠତା ପ୍ରଦର୍ଶନ କରିପାରିବ,ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ସେହିପରି ସିଲାବସ୍‍ରେ ନୈତିକ ଶିକ୍ଷାକୁ ଅନ୍ତର୍ଭୁକ୍ତ କରାଗଲେ ନୈତିକତାର ଅବକ୍ଷୟକୁ ବହୁମାତ୍ରାରେ ହ୍ରାସ କରାଯାଇପାରନ୍ତା। କ’ଣ କଲେ ଆମ ଲୋକଚରିତ୍ରର ସ୍ଖଳନକୁ ରୋକି ହେବ, ତାହା ଏବେ ଆପଣମାନେ ଚିନ୍ତା କରିପାରନ୍ତି।

ଅଶୋକ କୁମାର ଶତପଥୀ
ପ୍ରଧାନଶିକ୍ଷକ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ,କଟକ
ଦୂରଭାଷ: ୯୪୩୭୨୬୮୦୬୮

Comments are closed.