୪୨ ବର୍ଷ ପୂର୍ବର ଘଟଣା। ଉତ୍ତର ପ୍ରଦେଶର ମୌନିପୁରୀ ଜିଲାର ଗୋଟିଏ ଛୋଟିଆ ଗାଁ ସାଧୁପୁରା। ସେଠାରେ ଜଣେ ମାଆଙ୍କ ଅଖି ଆଗରେ ତାଙ୍କ ତିନିଟି ଛୁଆଙ୍କୁ ଗୁଳିକରି ହତ୍ୟା କରାଗଲା। ଅପରାଧୀଙ୍କୁ ଗିରଫ ମଧ୍ୟ କରାଗଲା। କୋର୍ଟରେ ମକଦମା ଚାଲିଲା; କିନ୍ତୁ ଅପରାଧୀଙ୍କୁ ଦଣ୍ଡ ଦେବାରେ ୪୨ବର୍ଷ ବିତିଗଲା। ତିନି ଜଣ ହତ୍ୟାକାରୀଙ୍କ ମଧ୍ୟରୁ ଦୁଇଜଣ ହତ୍ୟାକାରୀଙ୍କ ମୃତ୍ୟୁ ମକଦମା ଚାଲିଥିବା ସମୟରେ ହୋଇଯାଇଛି। ତୃତୀୟ ହତ୍ୟାକାରୀଙ୍କ ଦଣ୍ଡ ଏବେ ମିଳିଛି ଆଜୀବନ କାରାବାସ। ଛୁଆଙ୍କୁ ଗୁଳିକରି ମାରି ଦେଇଥିବା ହତ୍ୟାକାରୀ ଗଙ୍ଗା ଦୟାଲକୁ ଏବେ ୯୦ ବର୍ଷ। ତାର ତିନି ପୁଅଙ୍କୁ ହତ୍ୟା ଘଟଣା ଦେଖିଥିବା ମାଆ ପ୍ରେମବତୀକୁ ୯୦ ବର୍ଷ ହେଲାଣି। ତିନି ଗୁଳି ଚଳାଇଥିବା ନୃଶଂସ ଅପରାଧୀମାନେ ଘଟଣା ସ୍ଥଳରେ କହିଥିଲେ ଚାଲ, କାମ ଖତମ ହୋଇଗଲା। ଅପରାଧୀମାନଙ୍କ କାମ ଯଦିଓ ସରିଯାଇଥିଲା କିନ୍ତୁ ୯୦ ବର୍ଷୀୟା ମାଆଙ୍କୁ ନ୍ୟାୟ ମିଳିବାର କାମ ଆଜିଯାଏ ସରିନାହିଁ। ହତ୍ୟା ଘଟଣାର ୪୨ ବର୍ଷ ପରେ ଅପରାଧୀକୁ ଦଣ୍ଡ ମିଳିବାର ଅର୍ଥ କ’ଣ ନ୍ୟାୟ ଯଥାର୍ଥ ହେବ?
ଓଡ଼ିଶାରେ ଛବିରାଣୀ ହତ୍ୟାକାଣ୍ଡ ଅପରାଧୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ତଥା ନ୍ୟାୟ ମିଳିବାରେ ୨୨ବର୍ଷ ବିତିଗଲା, ଅଞ୍ଜନା ମିଶ୍ର ଗଣଧର୍ଷଣରେ ଅପରାଧୀ ଧରିବାକୁ ୨୨ବର୍ଷ ଲାଗିଗଲା, ନଭେମ୍ବର ୨୯, ୧୯୪୭ରେ ବଲାଙ୍ଗିରରେ ସାମ୍ବାଦିକ ପରଶୁରାମ ଶତପଥୀ ହତ୍ୟା ଘଟଣାରେ ନ୍ୟାୟ ମିଳିବାରେ ମଧ୍ୟ ଦୀର୍ଘ ବର୍ଷ ଲାଗିଥିଲା। ସତ କଥା କହିବାକୁ ଗଲେ କୌଣସି ବି ମାମଲାରେ ନ୍ୟାୟ ମିଳିବାରେ ଏତେ ବିଳମ୍ବ ହେବା ଅର୍ଥ ଆମ ନ୍ୟାୟବ୍ୟବସ୍ଥାର ଔଚିତ୍ୟ ଉପରେ ପ୍ରଶ୍ନ ଚିହ୍ନ ଲାଗୁଛି। ଏଥିପାଇଁ ଦେଶରେ କୌଣସି ହଇଚଇ ନାହିଁ ତେବେ ସମାଜର ସମ୍ବେଦନଶୀଳତା ଉପରେ ମଧ୍ୟ ପ୍ରଶ୍ନ ଚିହ୍ନ ଆସୁଛି। ଏହି ସନ୍ଦର୍ଭରେ ଗଣମାଧ୍ୟମର ଉଦାସୀନତା ମଧ୍ୟ ହଇରାଣରେ ପକାଇଛି। ସେହି ଦିନ କେବଳ ଆଠ ଗୋଟି ସମ୍ବାଦପତ୍ରରେ “ବିଳମ୍ବିତ ନ୍ୟାୟ” ସମ୍ବାଦ ଶୀର୍ଷକ ପ୍ରକାଶ ପାଇଥିଲା। ଯଦି କୌଣସି ଭି.ଆଇ.ପି. କ୍ଷେତ୍ରରେ ଏଭଳି ଘଟଣା ହୋଇଥାନ୍ତା, ତେବେ ମିଡ଼ିଆେକତେ ତତ୍ପରତା ଦେଖାଇନଥାନ୍ତା। ଟି.ଆର.ପି. ଆଧାର ଉପରେ ସମ୍ବାଦ ପ୍ରକାଶ କରିବା ଏବେ ଗଣମାଧ୍ୟମର ନୀତି ହୋଇଯାଇଛି।
ଆମ ଅଦାଲତମାନଙ୍କରେ ଲମ୍ବିତ ମାମଲାର ସଂଖ୍ୟା କୋଟିଏ ହେବ। ୨୦୨୧ ମସିହାର ତଥ୍ୟ ଅନୁସାରେ ସାଢେ ୪କୋଟି ମାମଲା ଲମ୍ବିତ ହୋଇ ପଡ଼ି ରହିଛି। ୨ ବର୍ଷ ପୂର୍ବେ ୨୦୧୯ରେ ଏହି ସଂଖ୍ୟା ୩କୋଟି ୨୫ଲକ୍ଷ ଥିଲା। ଏହାର ଅର୍ଥ ଗୋଟିଏ ବର୍ଷ ମଧ୍ୟରେ ଅଦାଲତମାନଙ୍କରେ ପଡ଼ି ରହିଥିବା ମାମଲାମାନ ପ୍ରାୟ ୧କୋଟି ୨୫ଲକ୍ଷକୁ ବୃଦ୍ଧିପାଇଛି। ଗୋଟିଏ ଅନୁମାନ ଅନୁସାରେ ଆମ ଦେଶରେ ଆଜି ପ୍ରତି ମିନିଟ୍ରେ ୨୩ଗୋଟି ମାମଲା ଲମ୍ବିତ ହୋଇପଡ଼ିଥିବା ସୂଚୀରେ ଯୋଡ଼ି ହୋଇଯାଉଛି। ୨୦୨୨ରେ ଉଚ୍ଚତ୍ତମ ନ୍ୟାୟାଳୟରେ ଲମ୍ବିତ ମାମଲାଗୁଡ଼ିକର ସଂଖ୍ୟା ୭୧ ହଜାର ୪୧୧ ଥିଲା।
ଆମ ନ୍ୟାୟ ବ୍ୟବସ୍ଥା ଏହି ଅଧାରରେ ଠିଆ ହୋଇଛି ଯେ ଶହେ ଅପରାଧୀ ବରଂ ଖସିଯାଆନ୍ତୁ କିନ୍ତୁ ଜଣେ ନିରପରାଧକୁ ଦଣ୍ଡ ନମିଳୁ। ଏହା ସତ କିନ୍ତୁ ୪୨ ବର୍ଷ ପର୍ଯ୍ୟନ୍ତ କୌଣସି ଅପରାଧୀ ଆମ ନ୍ୟାୟ ପ୍ରଣାଳୀର ଦୁର୍ବଳତାର ଫାଇଦା ନ ଉଠାଉ। ନିକଟ ଅତୀତର ଉଦାହରଣ ଅଟେ ଦିଲ୍ଲୀର “ଉପହାର” ସିନେମା କାଣ୍ଡକୁ ୧୮ବର୍ଷ ପରେ ଅପରାଧୀଙ୍କୁ ଦଣ୍ଡ ମିଳିଲା। ନିର୍ଭୟା ଘଟଣାରେ ଅପରାଧୀଙ୍କୁ ଦଣ୍ଡ ଦେବାରେ ୮ବର୍ଷ ଲାଗିଗଲା।
ପ୍ରଶ୍ନ ଉଠୁଛି ନ୍ୟାୟ ମିଳିବା ପାଇଁ ପରେ ଏତେ ସମୟ କାହିଁକି ଲାଗୁଛି? ଉତ୍ତର ଏହା ଯେ ନ୍ୟାୟ ପ୍ରଣାଳୀ ଏପରି ଅଛି କିଛି ନିରପରାଧମାନଙ୍କୁ ବଞ୍ଚାଇବା ପ୍ରକ୍ରିୟାରେ ଅପରାଧୀ ମଧ୍ୟ ଲାଭ ଉଠାଇ ନେଉଛନ୍ତି। ଦ୍ୱିତୀୟ ଉତ୍ତର ଆମ ଅଦାଲତମାନଙ୍କରେ ବିଚାରପତିମାନଙ୍କ ସଂଖ୍ୟା ଆବଶ୍ୟକତାଠାରୁ କମ ରହିଛି। ପଡ଼ିରହିଥିବା ମାମଲା ବିଷୟ ସମାଧାନ ପାଇଁ ସମିତିମାନ ମଧ୍ୟ ଗଠନ କରାଯାଇଛି। ବିଳମ୍ବିତ ନ୍ୟାୟ ହିଁ ଅପରାଧୀମାନଙ୍କୁ ଅପରାଧ କରିବାରେ େପ୍ରାତ୍ସାହନ ଯୋଗାଉଛି। ମାର୍ଟିନ ଲୁଥର କିଙ୍ଗ କହିଥିଲେ “ଅନ୍ୟାୟ କେଉଁଠି ବି ହେଉ, ସବୁ ସ୍ଥାନରେ ଏହା ନ୍ୟାୟ ପାଇଁ ବିପଦ”। ଆଜି ଏହି ବିପଦକୁ ବୁଝିବାର ଆବଶ୍ୟକତା ରହିଛି। ବିଳମ୍ବିତ ନ୍ୟାୟ ଏହିଭଳି ଏକ ବିପଦର ନାଁ ଅଟେ।
ସାଧୁପୁରାର ଛୁଆମାନଙ୍କୁ ହତ୍ୟା କରିଥିବା ଦବଙ୍ଗ ଜାତିର ଲୋକେ ଆଜି ମଧ୍ୟ ଧମକ ଦେଉଛନ୍ତି “ଭୁଲିଗଲ କି ସେଇ ଦିନ? ଏହି ପାଞ୍ଚଗୋଟି ଶବ୍ଦ ଯଦିଓ ଧମକ ହେଉ କିନ୍ତୁ ସତକଥା ଯେ ସାଧୁପୁରା କାଣ୍ଡ କେବେ ଭୁଲିବାର ନାହିଁ। ମନେ ରଖିବାକୁ ହେବ ଅନ୍ୟାୟ ବିରୋଧରେ ଛିଡ଼ା ହୋଇ ନ୍ୟାୟ ପାଇବାକୁ ଆମେ ଆଶା ରଖିବୁ। ନ୍ୟାୟ ପାଇବାକୁ ସାଧାରଣ ଜନତାଙ୍କ ଶେଷ ଭରସା ରହିଛି ନ୍ୟାୟପାଳିକା ଉପରେ। ଏହି ଭରସାକୁ ହରାଇବା ଉଚିତ୍ ନୁହଁ।
ପଞ୍ଚାନନ ଅଗ୍ରୱାଲା
ରାଧିକା ଟାୱାର, ଟଙ୍କପାଣି ରୋଡ଼ ଭୁବନେଶ୍ବର ଦୂରଭାଷ:୯୭୭୭୭୪୪୦୭୧


