ସମୟ ବା ମହାକାଳର ଅନ୍ୟ ଏକ ରୂପାନ୍ତରିତ ନାଁ ହେଲା ‘ପରିବର୍ତ୍ତନ’। ପ୍ରତି ମୁହୂର୍ତ୍ତରେ ଏ ସମୟ ବା ମହାକାଳ ବଦଳୁଛି। ଏଇ ମୁହୂର୍ତ୍ତରୁ ଆର ମୁହୂର୍ତ୍ତ ଭିନ୍ନ ହୋଇ ଯାଉଛି ବା ପରିବର୍ତ୍ତିତ ହୋଇଯାଉଛି। ମାତ୍ର ଏ ପରିବର୍ତ୍ତନର ପଦଧ୍ବନି ଏତେ ନିଃଶବ୍ଦ ଯେ ତାକୁ ଅନୁଭବ ବା ଅନୁଧ୍ୟାନ କରିବା ସମ୍ଭବ ହୁଏନି। ମଣିଷ ପିଲାରୁ ବୁଢ଼ା ହୋଇଯାଏ କେମିତି ଜାଣି ପାରେନି। ତା’ ଅତୀତ କଥା ମନେ ପକେଇଲା ବେଳେ କହେ, ‘‘ସତେ ମ ପାଣିପରି ଏ ଦିନଗୁଡ଼ା କେମିତି ବୋହିଗଲା କେଜାଣି!’’। କବିବର ଏ କଥାକୁ ହେଜି ଲେଖିଛନ୍ତି, ‘‘ବୃଥା ବହି ଏହି ଭଙ୍ଗୁର ରୋଗଭୁ, ମଣ ଆପଣାକୁ ଜଣେ ଜଣେ ପ୍ରଭୁ। ରୋଗ ବ୍ୟାଜେ କାଳ ଥରେ ଥରେ ଚୁଟି, ଝିଙ୍କିଦେଲେ ଏହି ଦର୍ପ ଯାଏ ତୁଟି। ଦର୍ପ ତୁଟେ କ୍ଷଣେ ଭେଟେ ବିପଦର, ହାବୋଡ଼େ ଆସି ଯେ ନ ଦେଇ ଖବର।’’ ମୃତ୍ୟୁର ଚରମ ଧକ୍କାରେ ମଣିଷ ହେଜିଥାଏ ଯେ, ସେତେବେଳକୁ ଜିଇବା ପରିବର୍ତ୍ତିତ ହୋଇଯାଇଛି ମରିବାରେ। ମାତ୍ର ତା’ ଭିନ୍ନ, ନିରଙ୍କୁଶ ବାପ ବା ଶାଶୂପଣିଆ ଯେତେବେଳେ ଅଙ୍କୁଶିତ ପୁଣି ପୁଅ କି ବୋହୂ ଜରିଆରେ ହୁଏ, ଏ ଜୀବ ବୁଝେ ତା’ ରାଜୁତିର ଦିନ ଗଡ଼ି ଯାଇଛି। ‘ବାନପ୍ରସ୍ଥ’ ତ ସେଇଥି ପାଇଁ ଏ ବୁଢ଼ାହଡ଼ାଙ୍କ ପାଇଁ ଏକ ସମ୍ମାନଜନକ ବ୍ୟବସ୍ଥା ଥିଲା। ମାତ୍ର ଆଜି କାଇଁ? ପୁଅଠାରୁ ବାପ ପ୍ରତି ଥିବା ଏ ଅଲେଖା କର୍ତ୍ତବ୍ୟକୁ ଲେଖେଇ ନେବାକୁ ସେ ଏଇଲେ ଅଦାଲତକୁ ଧାଉଁଛି, ଆଶ୍ରା କରୁଛି। ରାଜା ଭର୍ତ୍ତୃହରି ସେଦିନ ମାୟା ମସଲାରେ ଫେଣ୍ଟା ଏ ପ୍ରେମ, ପ୍ରୀତିର ପ୍ରକୃତ ରୂପ ଦେଖି ଚମକି ପଡ଼ିଥିଲେ। ସେ ଚମକା ଛାତିରେ ଛେପ ପକାଇବା ଚମକା ନଥିଲା। ଛାତି ଫାଟିଯିବାର, ଛେପ ତୁଣ୍ଡରୁ ଶୁଖି ଯିବାର ଥିଲା ବୋଧେ। ନୋହିଲେ କଥା ପଦକରେ ସେ ମୁଣ୍ଡରୁ ରାଜଗାଦି, ଐଶ୍ବର୍ଯ୍ୟର ମୁକୁଟ କାଢ଼ି ସେଇଠି ଥୋଇ ଲେଙ୍ଗୁଟିସର୍ବସ୍ବ ହୋଇ ଯାଇ ନ ଥା’ନ୍ତେ ବଣକୁ। ଯଜ୍ଞ ଶେଷରେ ମିଳିଥିବା ଚିରଯୌବନ ଲାଭର ଅପୂର୍ବ ଫଳ ଋଷି ତାଙ୍କୁ ଦେଇଥିଲେ। ସେ ବଡ଼ ଶ୍ରଦ୍ଧାରେ ପ୍ରିୟତମା ପତ୍ନୀଙ୍କୁ ସେଦିନ ଦେଇଥିଲେ। ରାଣୀଙ୍କୁ ଚିର ଯୌବନା ରଖି ତାଙ୍କ ଅନାହତ ଯୌବନକୁ ଆଜୀବନ ଆସ୍ବାଦିବାକୁ। ମାତ୍ର ସେ ଫଳ ବୁଲି ବୁଲି ରାଜ୍ୟର ସବୁଠୁ ଦାମୀ ବେଶ୍ୟା ହାତରେ ପଡ଼ିଲା। ସେ ଭାବିଲା ଏ ଯୌବନ ଥିବା ଯାଏ ଏ କୁତ୍ସିତ ବେପାର ଚାଲିଥିବ। ଶ୍ଳଥ ଚର୍ମର ବୀଭତ୍ସ ବାର୍ଦ୍ଧକ୍ୟ ତାକୁ କେବଳ ଏ ବେପାର ହାବୁଡ଼ରୁ ଖସେଇ ପାରିବ। ମାତ୍ର ଏ ଫଳ ଖାଇଲେ ଆଉ ଏ ଦିହ ବେପାରରୁ କୁ ମୁକ୍ତି ମିଳିବ? ପୁଣ୍ୟବାନ ନୀତିବାନ ଆମ ରାଜା ଏକୁ ଖାଇଲେ ସେ ବାର୍ଦ୍ଧକ୍ୟ ମୁକ୍ତ ହୋଇ ସଫଳ ଭାବେ ଶାସନ ଚଳାଇ ପାରିବେ। ଏଇ ଭାବରେ ବେଶ୍ୟା ଫଳଟି ରାଜାଙ୍କୁ ଦେଇଥିଲା। ତଟସ୍ଥ ରାଜାଙ୍କ ଧମକରେ ଏ ଫଳ ସେ ତା’ର ଜଣେ ଦେହଲଗା ଭୃତ୍ୟ ଭଣ୍ଡାରିଠାରୁ ଏବଂ ଭଣ୍ଡାରି ରାଜନଅରର ମାଳୁଣୀଠାରୁ ଓ ମାଳୁଣୀ ମହାପ୍ରତାପୀ ମନ୍ତ୍ରୀଙ୍କ ଠାରୁ ଓ ମନ୍ତ୍ରୀ ତାଙ୍କ ପ୍ରତି ପ୍ରେମାକର୍ଷିତ ରାଣୀଙ୍କ ଠାରୁ ପାଇଥିଲେ ବୋଲି କହିଲେ। ଅତି ଶ୍ରଦ୍ଧାରେ ନିଜ ପ୍ରିୟତମାଙ୍କୁ ଦେଇଥିବା ଏ ଫଳ ସେ ନ ଖାଇ, ଅଧିକ ଆକୃଷ୍ଟ ମନ୍ତ୍ରୀଙ୍କୁ ଦେଇ ଦେବାରେ ସେ ବିସ୍ମିତ କେବଳ ହୋଇ ନ ଥିଲେ ତାଙ୍କଠେଇ ସଂସାରଭାବ ତୁଚ୍ଛ ହୋଇ ଉଠିଲା। ନିଜର ତଥା ସାରା ଜୀବଜଗତର ମୋହାନ୍ଧତା କଥା ଏ ଘଟଣାରେ ହେଜି ସେ ପ୍ରାସାଦରୁ ଯାଇଥିଲେ ଯେ ଆଉ ଫେରି ନ ଥିଲେ। ହେଜିଥିଲେ ଯେ ଯୁଗ ବଦଳି ଯାଇଛି। ପ୍ରେମ, ପ୍ରୀତିର ସେ ପବିତ୍ରତା, ଅମୃତତା ଆଉ ନାହିଁ। ତାଙ୍କ ପାଇଁ ରାଜାର ସୁବର୍ଣ୍ଣ ଆଭରଣ ନୁହଁ; ସମ୍ପୂର୍ଣ୍ଣ ଉଲଗ୍ନର ଶେଷ କ୍ଷୀଣ ବାଡ଼ ଲେଙ୍ଗୁଟି ଅତ୍ୟାବଶ୍ୟକ ବନିଯାଇଛି। ସେମିତି ଯୁଧିଷ୍ଠିର ମହାରାଜଙ୍କ କଥା ଦେଖୁନା! ପାଞ୍ଚଖଣ୍ଡ ଗାଁ ମାଗି ନିରାଶାରେ ଗର୍ଜି ଉଠିଥିବା ଏ ପାଣ୍ଡବାଧୀଶ, ରାଜ୍ୟ ଜିଣି, ଶହେ ଭାଇ ଓ ଗୁରୁ ଗୁରୁଜନଙ୍କୁ ହତ୍ୟା କରି ରକ୍ତ ସଲବଲ ହୋଇ ରାଜମୁକୁଟ ଧରିଥିଲେ ସିନା, କ’ଣ ହେଲା ଯେ, ସେ ଦିନ ସେ ରାଜମୁକୁଟକୁ ସେଇଠି ଥୋଇ, ଦୀର୍ଘଶ୍ବାସଟିଏ ପକାଇ ନଅରରୁ ବାହାରିଗଲେ ଯେ ଗଲେ। ଆଉ ଲେଉଟି ନ ଥିଲେ। କୋଇଲି ଲୋ ଗଲାପୁତ୍ର ବାହୁଡ଼ି ନଇଲା। କୃଷ୍ଣ ବିନା ତେଜହୀନ ହୋଇପଡ଼ିଥିବା ଅର୍ଜୁନଠାରୁ କୃଷ୍ଣଙ୍କ ନିଧନ ଓ ତାଙ୍କୁ ବିଧା ଗୋଇଠା ମାରି, ତାଙ୍କ ଚୂର୍ଣ୍ଣକୁନ୍ତଳକୁ ଝିଙ୍କି ବିଦାରି କୃଷ୍ଣାଶ୍ରିତ ସହସ୍ର ରାଜକନ୍ୟାଙ୍କୁ ଉଦ୍ଧତ ଆଭୀରଗଣ ତାଙ୍କଠାରୁ କୃଷ୍ଣଙ୍କ ସମ୍ପତ୍ତି ସହ ଛଡ଼ାଇ ନେଇଥିବା ଶୁଣି ନିର୍ବାକ୍ ହୋଇଗଲେ ସେ। ସମଗ୍ର ମହାଭାରତ ଯୁଦ୍ଧରେ ଆତଙ୍କ ଥିବା, ଅଜେୟ ଥିବା ତାଙ୍କ ଗାଣ୍ଡିବକୁ ପିଲାଙ୍କ ବାଉଁଶ କଣିକାର ଖେଳନା କାଣ୍ଡଶର ଭଳି ଏ ଆଭୀର ଜାତୀୟ ଗୋପାଳବୃନ୍ଦ ଗୋଇଠା ମାରିବା ଶୁଣି କଳିକାଳ ଉପସ୍ଥିତ ହୋଇ ଯାଇଥିବା ଏ ମହୀ ଆଉ ବାସଯୋଗ୍ୟ ନୁହଁ କହି ବାନପ୍ରସ୍ଥେର ଚାଲିଯାଇଥିଲେ। ତାଙ୍କୁ ଦେଖି ଅନ୍ୟ ଚାରିଭାଇ, ଦ୍ୟୁତିକୃଷ୍ଣା ଦ୍ରୌପଦୀ ବି ତାଙ୍କୁ ବୃଥାନୁସରଣ କରିଥିଲେ। ସଭିଏଁ ହେଜିଥିଲେ ଯୁଗ ପରିବର୍ତ୍ତନର, ରୁଚି ପରିବର୍ତ୍ତନର କଥା ଓ ବାର୍ତ୍ତା। ସେଇଥିପାଇଁ ତ ଗୁଣ ଓ ଆଚାର ଭେଦରେ ଚାରିଯୁଗ ଓ ଦଶ ଅବତାର ବି ସୃଷ୍ଟି ହୋଇଛନ୍ତି। ଯୁଗ ପରିବର୍ତ୍ତନକୁ ଜୀର୍ଣ୍ଣ କରି ନ ପାରି ସେମିତିଆ ଜଣେ କବି ଲେଖିଥିଲେ, ‘‘ମୁଁ ତ ଦେଖି କଳିଯୁଗ ରୀତିକି, ମୋର ପଥର କଲିଣି ଛାତିକି। ରାଜାମାନେ ଛାଡ଼ି ଘୋଡ଼ା ହାତୀକି ରେଳ ମଟରରେ କଲେ ଗତିକି। ସେ ତ ଛାଡ଼ିଲେଣି ରାଜନୀତିକି, ରେଳ ମଟରରେ କଲେ ଗତିକି। ସାତ ଦିନ ଯାକେ ଚୁଲି ପଡ଼ିଆ, କୁଞ୍ଚି ମାରୁଛି ମରୀଚି ଧଡ଼ିଆ। କିଏ କାହାର କରୁଚି ପାଇଟି ହାତେ ଧରିଣ ବୁଲୁଚି ଲାଇଟି ଇତ୍ୟାଦି।’’ ଆରେ ଟର୍ଚ୍ଚ ଲାଇଟ ନ ଥିବା ଡିବି ଯୁଗର ଲୋକଙ୍କ ପାଇଁ ନିଆଁହୁଳା, କି ନିଆଁଖୁଣ୍ଟା ବ୍ୟବହୃତ ଥିଲା। ଟର୍ଚ୍ଚ ବାହାରିଲା ପରେ ସେମାନେ କ’ଣ ଡିବି ଧରି ପୋଖରୀ ପାଣି ଯିବେ? ଅଝାଡ଼ ଜଙ୍ଗଲରେ ଲେଙ୍ଗୁଟିମରା ତିନିପା’ ଅଧେ ଲଙ୍ଗଳା, ରାଜନଅରକୁ ଆସିଲାବେଳେ ବଳ୍କଳ ପିନ୍ଧି ଆସିଲା ପରି ଏବେ ତମେ ପିନ୍ଧୁଛ ବଳ୍କଳ? କିରେ ଏତେ ଗଛ ଆଉ ଏଇଲେ କାଇଁ ଯେ ତମେ ତା’ଠୁ ବଳ୍କଳ ବାହାର କରି ପିନ୍ଧିବ? ଆଜିକାଲି ପେଣ୍ଟ କମିଜିକୁ ଲେଙ୍ଗୁଟି ମାର୍କିଆ, ମାର୍ଗିଆ କରିବାକୁ ତାକୁ ଆଣ୍ଠୁଠୁ ଜଙ୍ଘଠୁ କାନ୍ଧ ଯାଏ କଣା ଫୁଟାଇଲା ପରି ଏ ବଳ୍କଳରେ ଏତେ ରଙ୍ଗ କୁଆଡ଼ୁ ସମ୍ଭେଇବ? ଛାଡ଼ନ୍ତୁ ସେ ବିକୃତି କି ସୁକୃତି କଥା। ବିଭାଘରେ ଏବେ ଗୋଦାନ, ଜମି, ସୁନା ଅଳଙ୍କାର ବଦଳରେ ମଟର ସାଇକଲ, ମୋବାଇଲ ଫୋନ୍, ଚେକ୍ ପ୍ରଦାନ ହେଉଛି। ସାତ ମଙ୍ଗଳା, ଚଉଠି ପାଳନର ଢଙ୍ଗ ବଦଳି ଗଲାଣି। ତେଣୁ ଏ ପରିବର୍ତ୍ତନ, ଭାବର ହେଉ ବା ଚଳନିର ହେଉ ତାକୁ ରୋକିବ କିଏ? ଭର୍ତ୍ତୃହରି, ଯୁଧିଷ୍ଠିରଙ୍କ ପରି ଘରଦ୍ବାର ଛାଡ଼ି ଯା’, ନଇଲେ, ‘‘ରାଜାର ନନ୍ଦିନୀ ପ୍ୟାରୀ ଯା କରେ ତା’ ଭାଲୋ’’ ବିଚାରରେ ପଡ଼ିରହ। ଭାରତ ସ୍ବାଧୀନ ପରେ ରାଜାମହାରାଜଙ୍କ ସ୍ବପ୍ନର ସ୍ବର୍ଗ ଭୁଶୁଡ଼ି ପଡ଼ିଲା। ପଟେଲ ତାଙ୍କଠାରୁ ରାଇଜ ଛଡ଼େଇ ନେଲେ। କିଛି ସମ୍ମାନ ଓ ଭତ୍ତା ତାଙ୍କୁ ସବୁ ଦେଇ ମାନ ଟିକେ ରଖିଲେ। ତଥାପି ମଧ୍ୟ ମଣିମା ଠାଣି ବାଣୀ ସହ ଯେଉଁମାନେ କାୟମନୋବାକ୍ୟରେ ଜଡ଼ି ଯାଇଥିଲେ, ଟିକଟ ପାଇ ଜିତି, ମନ୍ତ୍ରୀ ହୋଇ ପାରିଲେ ନାହିଁ ବା ମନକୁ ସେଇ ଆଡ଼ିଆ କରି ପାରିଲେ ନାହିଁ, ରାତି ପାହି ସକାଳ ହେଲା ବେଳକୁ କିଏ ନିକା ବୁଢ଼ା ତ କାହାର ହାର୍ଟଫେଲ। ତେଣୁ କଥା ଅଛି ‘‘କାଳକୁ କାଳ ଏହି ମତେ ପରମାନନ୍ଦ ଏ ଜଗତେ’’।
ସତରେ ଯେତେ କହିଲେ ବି ମନକୁ କୋଉ ବୁଝେଇ ହଉଛି ଏ କାଳମୟ ପରିବର୍ତ୍ତନ ସପକ୍ଷରେ? ଏବେ ଅଦାଲତର ମାନ୍ୟବର ନ୍ୟାୟାଧୀଶମାନେ ତାଙ୍କ ବିଚାର ପଦ୍ଧତିକୁ ଦେଶର ଏ କୋଣରୁ ସେ କୋଣ ସମସ୍ତେ ଦେଖନ୍ତୁର ଏକ ମହାଭାବରେ ଜଡ଼ି ଯାଇଛନ୍ତି। ଇନ୍ଦ୍ରସଭା ଭଳି ଅଦାଲତ ଆରେବା, ସେଥିରେ କାଠଗଡ଼ାରେ ଯୋଡ଼ହାତିଆ ଆସାମୀ କୃପାଭିକ୍ଷା ମୁଦ୍ରାରେ ଠିଆ, ରଜା ସାଆନ୍ତଙ୍କ କାଳିଆ ଷେଣ୍ଢ ପରି ଫଁ ଫଁ କଳା କୋଅଟର ଦୃପ୍ତ ଓକିଲ ବାବୁମାନଙ୍କ ମଧ୍ୟରେ ଉତ୍ସୁକ ଦେଖଣାହାରୀ ଓ ଏ ସବୁକୁ ବଳି ଧର୍ମାବତାର ନ୍ୟାୟାଧୀଶଙ୍କ ଆସନାସୀନର ଗମ୍ଭୀର ମୁଦ୍ରା ସମସ୍ତଙ୍କ ଘରେ ପିଲାପିଲି ବି ଦେଖିବେ। କେତେ କୁତୁକୁତୁ ଲାଗିବ ସଭିଙ୍କୁ ତା’ ତ ବିଜ୍ଞାନର ଦାନ। ଏଥିକୁ ଏତେ ଅସହଣିଆ କିଆଁ? ସେଠି ବି ଦେଖିବେ ନେତା ଫୌଜଦାରୀ ମୋକଦ୍ଦମାରେ ପରାସ୍ତ ଆଜୀବନ ସଜା କି ଫାଶୀ ଆଦେଶ ପ୍ରାପ୍ତ ଆସାମୀର ବିକଳ ଅବସ୍ଥା, ପରାଜିତ ଓକିଲ ବାବୁଙ୍କ ଠାଣି ବାଣୀ। ବଡ଼ ହୃଦୟଗ୍ରାହୀ ସତରେ!
ଜନନେତା, ଜନସେବକ କହୁଥିବା ସାଂସଦମାନେ ତ ତାଙ୍କ କାରଧାନି ଦେଖେଇବାକୁ ସଂସଦ ବୈଠକର ଆମୂଳଚୂଳ ଦୃଶ୍ୟକୁ ସିଧା ପ୍ରସାରଣ କରୁଛନ୍ତି। ରାସ୍ତା ଛକମାନଙ୍କରେ, କଡ଼ରେ ସରକାର କ୍ୟାମେରା ଖଞ୍ଜୁଛନ୍ତି। କିଏ ଜଣେ ଝିଅ କି ପୁଅ ଅତର୍ଛା ଏକ କି ଦୁଇ କରିଦେଲା ତ ସେ ଦୃଶ୍ୟ ଏ କ୍ୟାମେରାରେ ଉତ୍ତୋଳିତ ହେବ। ଏବର ମୋବାଇଲ ଫୋନ୍ରେ କଥା କଥାରେ ଫଟୋ ଉଠୁଛି ଓ ତା’ ନବପ୍ରସୂତ ସାମାଜିକ-ବୈଦ୍ୟୁତିକ ଗଣମାଧ୍ୟମରେ ନିରଙ୍କୁଶ ପ୍ରସାର ହେଉଛି। ଏ ମୋବାଇଲ ଫୋନ୍ ସେତେ ଅଧିକ ଯାହାର କ୍ୟାମେରା ଯେତେ ଦାମୀ, ଶକ୍ତିଶାଳୀ। ତା’ ପରେ ସ୍ପର୍ଶକାତର ବିଷୟର ବିଚାରଧାରା, ମାନ୍ୟବର ବିଚାରପତିଙ୍କ ପ୍ରକୋଷ୍ଠ ଶୁଣାଣି ଆଦି ଏ ଫଟୋଉଠା ଓ ପ୍ରସାର ଏଥିପାଇଁ ଅଙ୍କୁଶିତ କରାଯାଇଛି। ୟେ ସମୟର ଆବଶ୍ୟକତା। ଗୋଦାବରୀଶଙ୍କ ‘ମାଗୁଣିର ଶଗଡ଼’ କଥା ହେଜୁନ? ଚାରିଚକିଆ ଗାଡ଼ି ବାହାରିଲା ପରେ ଲୋକେ ମାଗୁଣିର ଶଗଡ଼ରେ ଆଉ ବସିଲେନି। ସେ ସେଥିରେ ନଡ଼ା ଓ ତା’ ଉପରେ ଗଦି ଆଦି ଯେତେ ବିଛେଇଲେ, ପଇସା ଯେତେ କମ୍ କଲେ ବି ବସ୍କୁ ଛାଡ଼ି ଖଲ୍ଲିକୋଟ ଷ୍ଟେସନରୁ ଗଡ଼କୁ ଶଗଡ଼ରେ କିଏ କିଆଁ ଆସିବ? ଆରେ ବସ୍ରେ ପଇସା କମ୍, ସମୟ ବି କମ୍। ବସ୍ ସୁଆଦ ଚାଖିଲା ପରେ ଶଗଡ଼ କୁ ପାସଙ୍ଗରେ ପଡ଼ିବ? ସେମିତି ସବୁ କଥା। ଦେଖାଯାଉ ଏମିତି ପ୍ରସାର ପ୍ରଚାରର ପ୍ରଭାବ କାହା ଉପରେ କେମିତି ପଡ଼ୁଛି।
ପିଲେ ମୋବାଇଲ ବାଇ ପରି ଏ ଦୃଶ୍ୟରେ ଦିନସାରା ଘରଟା ମଜ୍ଜି ଯିବ ନାହିଁ ତ? ଏ ବ୍ୟବସ୍ଥା ବିଚାରାଳୟର ଗାମ୍ଭୀର୍ଯ୍ୟ ଓ ପବିତ୍ର ଭାବକୁ ବ୍ୟାହତ, ଆହତ କି ବ୍ୟାପ୍ତ କରିବ ତା’ ତର୍କାଧୀନ। କଅଣ ମିଳିବ ଛେନାରୁ ଚୋପା ଛଡ଼ା ସେ ଅଲଣା କଥାରୁ। ଝିଅ ବାହାବେଳେ ଦେଖୁନା କେମିତି ଭିଡିଓ ହେଉଛି। କାଇଁ ସେଥିରେ ନନା ବୋଉ ସାଥି ସାଙ୍ଗକୁ କୁଣ୍ଢେଇ ଝିଅର ବାହୁନା ଚିତ୍ର? ତାପସୀର ଏ ଭିଡିଓ ଛବିକି ଦେଖି ତା’ ଆଈ ଯାହା ହେଲା ତା’ ଦେଖିବା କଥା। ‘‘ଛ୍ୟା ଛ୍ୟା ଏ କି ଅଲାଜୁକୀ କଥା ମ। ମୁଣ୍ଡରୁ ଓଢ଼ଣି ଟେକି ବରହାତ ଧରି କେମିତି ଠିଆ ହୋଇଛି ମ! ସବୁ ଲାଜ ତା’ଠୁ ସରିଗଲା ନା କ’ଣ ମ! ତମେ ସବୁ ନିର୍ଲଜିଆଏ, ଫଟୋ ଉଠଉଚ ପୁଣି ବୁଲି ବୁଲି ଏକୁ ଦେଖଉଛ। ପଳାପଳା ଏଠୁ।’’ ତାପସୀ ଏ କଥା ତା’ ଭଉଣୀ ରାଣୀଠାରୁ ଶୁଣି, ଆଇ ମଲା ପଛେ ଦେଖିବାକୁ ଯାଇ ନ ଥିଲା। କହୁନା କିଏ ଠିକ୍ କିଏ ଭୁଲ? ଜଜ୍ ଥିଲେ ସାର୍ ଆଶୁତୋଷ ମୁଖାର୍ଜୀ, ଓକିଲ ଏ.ସି. ଚାରୀ ଥିଲେ, ଏମ୍.ସି. ଚଗଲା ଥିଲେ। ତାଙ୍କର ଭିଡିଓ ହେଲେ କେତେ ନ ହେଲେ କେତେ। ମହାକାଳ ୟେ। ସବୁ ପୋଡ଼ି ଖାଇଦେବ। ବାନରବଳ, କାଣ୍ଡଶର, ଗୋପୀ ଓ ଯମୁନା କଥା କାଇଁ?
‘‘ଯଦୁପତେଃ କ୍ବ ଗତା ମଥୁରାପୁରୀ
ରଘୁପତେଃ କ୍ବ ଗତୋତ୍ତର କୋଶଳଃ
ଇତି ବିଚିନ୍ତ୍ୟ କୁରୁ ସ୍ବମନଃ ସ୍ଥିରଂ
ନ ସଦିଦଂ ଜଗତିତ୍ୟବଧାରୟ’’।
ସମୟ ସମୟର କଥା
Popular Categories



