ଗଣତନ୍ତ୍ରର ଦୁଇଟି ମୁଖ୍ୟ ଆଧାର ହେଲା ଜନସାଧାରଣଙ୍କ ଭୋଟ ଉପରେ ବିଶ୍ୱାସ ଏବଂ ସେହି ବିଶ୍ୱାସକୁ ସୁରକ୍ଷିତ ରଖୁଥିବା ନିର୍ବାଚନ ଆୟୋଗ ଭଳି ସଂସ୍ଥା ଉପରେ ଭରସା। ନିକଟରେ ହରିଆଣାରୁ ଆସିଥିବା କିଛି ଅଭିଯୋଗ ଏହି ଦୁଇଟି ମୂଳଦୁଆ ଉପରେ ଗଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗ ଯଦି ସତ ହୁଏ, ତେବେ ଏହା ଗଣତନ୍ତ୍ର ପ୍ରତି ଏକ ବିଶ୍ୱାସଘାତକତା ହେବ; କିନ୍ତୁ ପ୍ରଶ୍ନ ହେଉଛି, ଏହି ଅଭିଯୋଗ କେବଳ ରାଜନୈତିକ ନାଟକ ନା ଏହାର କିଛି ପ୍ରମାଣ ରହିଛି?
କିଛି ନିରପେକ୍ଷ ତଥ୍ୟରୁ ଜଣାପଡ଼ିଛି ଯେ ଅନେକ ଭୋଟରଙ୍କ ପରିଚୟପତ୍ରରେ ଏକା ଫଟୋ ବାରମ୍ବାର ବ୍ୟବହାର କରାଯାଇଛି। ଆଶ୍ଚର୍ଯ୍ୟର କଥା ଯେ, ଗୋଟିଏ ମାମଲାରେ ଭୋଟରଙ୍କ ଫଟୋ ବୋଲି ଯାହା ଦେଖାଯାଇଛି, ତାହା ବିଦେଶର ଜଣେ ମଡେଲଙ୍କ ଅନ୍ଲାଇନ ଫଟୋ। ଏହା ଆହୁରି ଚିନ୍ତାଜନକ ଯେ, ନକଲି ନାମ ଧରିବା ପାଇଁ ନିର୍ବାଚନ ଆୟୋଗ ଦ୍ବାରା ପ୍ରସ୍ତୁତ ହୋଇଥିବା ସଫ୍ଟୱେୟାର ନିୟମିତ ଭାବରେ ବ୍ୟବହାର ହେଉନାହିଁ। ଏହି ବୈଷୟିକ ଏବଂ ପ୍ରଶାସନିକ ତ୍ରୁଟିଗୁଡ଼ିକ ଉପରେ ନିର୍ବାଚନ ଆୟୋଗ ତୁରନ୍ତ ସ୍ପଷ୍ଟୀକରଣ ଦେବା ଉଚିତ। ତେବେ, ଅଭିଯୋଗ ଆଣିବା ପାଇଁ କେବଳ ସନ୍ଦେହ କିମ୍ବା ଚିନ୍ତା ଯଥେଷ୍ଟ ନୁହେଁ। ପ୍ରତ୍ୟେକ ଉଦାହରଣକୁ ଯାଞ୍ଚ କରିବା ସହ ପ୍ରତ୍ୟେକ ଦାବିକୁ ପ୍ରମାଣ କରିବା ଆବଶ୍ୟକ। ଅଭିଯୋଗରେ ନାମ ଥିବା କିଛି ଲୋକ କହିଛନ୍ତି ଯେ ଦେଖାଯାଇଥିବା କାର୍ଡ ସେମାନଙ୍କର ନୁହେଁ। ନିର୍ବାଚନ ଆୟୋଗ ମଧ୍ୟ କହିଛି ଯେ କିଛି ଅଭିଯୋଗର ଜବାବ ଦେବା ପାଇଁ ସେମାନଙ୍କ ପାଖରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅଛି।
ଏହି ବିବାଦୀୟ ପରିସ୍ଥିତିରୁ ବାହାରିବା ପାଇଁ ଦୁଇଟି ପଦକ୍ଷେପ ନିଆଯାଇପାରେ। ପ୍ରଥମତଃ, ନିର୍ବାଚନ ଆୟୋଗ ଏକ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ବୈଷୟିକ ଅଡିଟ୍ କରାଇବା ଉଚିତ୍। ଏହି ଅଡିଟ୍ରେ ବିବାଦୀୟ ଭୋଟର ତାଲିକା ଏବଂ ଏହାକୁ ପ୍ରସ୍ତୁତ ଓ ସଂଶୋଧନ କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଯାଞ୍ଚ କରାଯିବ। ନକଲି ନାମ ଚିହ୍ନଟ କରୁଥିବା ସଫ୍ଟୱେୟାର କେବେ, କିପରି ଏବଂ କାହିଁକି ବ୍ୟବହାର ହେଲା ନାହିଁ, ସେ ସବୁ ତଥ୍ୟ ବାହାରକୁ ଆସିବା ଆବଶ୍ୟକ। ଏହି ଅଡିଟ୍ର ଫଳାଫଳ ଶୀଘ୍ର ଓ ସ୍ୱଚ୍ଛ ଭାବରେ ଜନସାଧାରଣଙ୍କ ସାମ୍ନାରେ ପ୍ରକାଶ କରାଯିବା ଉଚିତ୍। ଦ୍ୱିତୀୟତଃ, ରାଜନୈତିକ ନେତାମାନଙ୍କର ଦାୟିତ୍ୱ ହେଉଛି, କେବଳ ଗଣମାଧ୍ୟମରେ ନାଟକୀୟ ପ୍ରଦର୍ଶନୀ ନ କରି ଯଦି ସେମାନଙ୍କ ପାଖରେ ପ୍ରକୃତରେ ଯଦି ବଳିଷ୍ଠ ପ୍ରମାଣ ଅଛି, ତେବେ ସେମାନେ ଅଦାଲତକୁ ଯିବା ଉଚିତ୍। କେବଳ ଗଣମାଧ୍ୟମରେ ପ୍ରଚାର କଲେ ସତ୍ୟ ପଦାକୁ ଆସେ ନାହିଁ, ବରଂ କେବଳ ଶବ୍ଦ ପ୍ରଦୂଷଣ ହୁଏ।
ଯେତେବେଳେ ବିନା ପ୍ରମାଣରେ ଏବଂ ବିନା ସତ୍ୟାନୁସନ୍ଧାନରେ, କେବଳ ରାଜନୈତିକ ଲାଭ ପାଇଁ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକୁ କଳଙ୍କିତ କରାଯାଏ, ସେତେବେଳେ ତାହା ସେହି ସଂସ୍ଥା ପ୍ରତି ଲୋକଙ୍କ ବିଶ୍ୱାସକୁ ନଷ୍ଟ କରିଦିଏ। ନିର୍ବାଚନ ଆୟୋଗ ଭଳି ଅନୁଷ୍ଠାନ ଉପରେ ଯଦି ଲୋକେ ବିଶ୍ୱାସ ହରାଇବେ, ତେବେ ଗଣତନ୍ତ୍ର ବିପଦରେ ପଡ଼ିବ। ଅନ୍ୟପକ୍ଷରେ, ଆୟୋଗ ମଧ୍ୟ ନିଜର ପ୍ରଶାସନିକ ବିଫଳତାକୁ ଲୁଚାଇବା ଅନୁଚିତ୍। ଯଦି ଭୋଟର ତାଲିକାରେ ପ୍ରକୃତରେ ତ୍ରୁଟି ଅଛି, ନକଲି ନାମ ଅଛି, ଏକା ଫଟୋ ବାରମ୍ବାର ବ୍ୟବହାର ହେଉଛି କିମ୍ବା ସଫ୍ଟୱେୟାର ବ୍ୟବହାର ହେଉନାହିଁ, ତେବେ ଏସବୁକୁ ସ୍ୱୀକାର କରି ତୁରନ୍ତ ସଂଶୋଧନ କରିବା ଆବଶ୍ୟକ। ଏହା ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ଏକାନ୍ତ ଜରୁରୀ।
ସମ୍ପାଦକୀୟ : ରାହୁଲଙ୍କ ଅଭିଯୋଗ ,ସତ ନା ରାଜନୀତିକ ନାଟକ?
Popular Categories



