ଭୁବନେଶ୍ୱର : କୋଭିଡ୍-୧୯ ସଂକ୍ରମଣ ମୁକାବିଲା ପାଇଁ ଲକ୍ ଡାଉନ୍ ଏବଂ ଭୁବନେଶ୍ୱରରେ ୬ରୁ ଊର୍ଦ୍ଧ୍ବ ଅଞ୍ଚଳ ସିଲ୍ ହେବା ଫଳରେ ଅନେକ ସଫେଇ କର୍ମଚାରୀ କାମରେ ଯୋଗଦେଇ ପାରୁ ନାହାନ୍ତି। କାମ ମିଳୁ ନଥିବାରୁ ଘରେ ହାତବାନ୍ଧି ବସିଛନ୍ତି। ମଜୁରି ଆଣିଲେ ପରିବାର ଚଳାଉଥିବା ସଫେଇ କର୍ମଚାରୀ ଏବେ ଦୁର୍ଦିନରେ ସମୟ କାଟୁଥିବା ଅଭିଯୋଗ କରିଛନ୍ତି। ସେମାନଙ୍କୁ ସଫେଇ ଠିକା ସଂସ୍ଥା ତରଫରୁ କିମ୍ବା ବିଏମ୍ସି ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବା ବ୍ୟବସ୍ଥା କରାଯାଉ ବୋଲି କାମ ବନ୍ଦରେ ଥିବା ସଫେଇ କର୍ମଚାରୀ କହିଛନ୍ତି।
ଭୁବନେଶ୍ୱର ଅସ୍ଥାୟୀ ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ନାୟକ କହିଛନ୍ତି, ଗାଡ଼ିମୋଟର ନମିଳିବାରୁ ପାଖାପାଖି ୧୦୦୦ ସଫେଇ କର୍ମଚାରୀ କାମରେ ଯୋଗ ଦେଇପାରୁ ନାହାନ୍ତି। ଠିକା ସଂସ୍ଥା ପକ୍ଷରୁ ସେମାନଙ୍କୁ ନେବା ଆଣିବା ପାଇଁ କିଛି ବ୍ୟବସ୍ଥା କରାଯାଉ ନାହିଁ। ସେହିପରି ଆବଦ୍ଧାଞ୍ଚଳରେ ବହୁ ସଫେଇ କର୍ମଚାରୀ ରହିଥିବାରୁ ସେମାନଙ୍କୁ ବାହାରକୁ ଆସିବା ବ୍ୟବସ୍ଥା ନାହିଁ। ଅନ୍ୟପଟେ କାମରେ ଯୋଗ ଦେଇ ନଥିବାରୁ ସେମାନଙ୍କ ମଜୁରି କଟାଯାଉଛି। ଦୈନିକ ମଜୁରିରେ ଚଳୁଥିବା ସଫେଇ କର୍ମଚାରୀ କିପରି ପରିବାର ଚଳେଇବେ। ଆସନ୍ତା ୧୭ ତାରିଖ ଯାଏଁ ବିଏମ୍ସି କିମ୍ବା ଠିକା ସଂସ୍ଥା ପକ୍ଷରୁ କୌଣସି ପଦକ୍ଷେପ ନନେଲେ ଯାହା ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ବିଏମ୍ସି କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ସହଦେବ ଚେତାବନୀ ଦେଇଛନ୍ତି। ଅପରପକ୍ଷେ ଠିକା ସଂସ୍ଥା ରାମ୍କୀ ପକ୍ଷରୁ କୁହାଯାଇଛି, ସଫେଇ କର୍ମଚାରୀଙ୍କ ପାଇଁ ମେସ୍ କରାଯାଇଛି। ଯେଉଁମାନେ ଇଚ୍ଛା କରୁଛନ୍ତି ସେମାନେ ସେଠାରେ ରହୁଛନ୍ତି। ବିଭିନ୍ନ ଅଞ୍ଚଳରୁ ସଫେଇ କର୍ମଚାରୀ ଆସୁଛନ୍ତି, ବ୍ୟକ୍ତିଗତ ଭାବେ ଗାଡ଼ି ଯୋଗାଇବା ସମ୍ଭବ ନୁହେଁ। ଯଦି ସମୂହ ଭାବେ କିଛି କର୍ମଚାରୀ ଗାଡ଼ି ଆବଶ୍ୟକ କରନ୍ତି, ତେବେ ସେମାନଙ୍କ ପାଇଁ ବ୍ୟବସ୍ଥା କରାଯିବ। ସଫେଇ କର୍ମଚାରୀଙ୍କୁ ସ୍ୱତନ୍ତ୍ର ପାସ୍ ଦିଆଯାଇଛି, ସେମାନେ କାମରେ ଯୋଗଦେବାରେ କୌଣସି ସମସ୍ୟା ନାହିଁ। ସଫେଇ କର୍ମଚାରୀଙ୍କୁ ସହାୟତା ଦେବା ପାଇଁ ବିଏମ୍ସି କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ପରେ ଯାହା ପଦକ୍ଷେପ ନିଆଯିବ। ଅଧିକାଂଶ ସଫେଇ କର୍ମଚାରୀ କାର୍ଯ୍ୟରେ ଯୋଗଦେଉ ନଥିବା ଅଭିଯୋଗ ମିଥ୍ୟା ବୋଲି ଠିକା ସଂସ୍ଥା ପକ୍ଷରୁ କୁହାଯାଇଛି।



