www.samajalive.in
Monday, December 8, 2025
17.1 C
Bhubaneswar

ଯୁଦ୍ଧ ବନ୍ଦ ପାଇଁ ଚୀନ୍‌ର ପ୍ରସ୍ତାବକୁ ରୁଷ୍‌ର ସ୍ବାଗତ

ବେଜିଂ : ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ଏହାକୁ ବନ୍ଦ କରିବାକୁ ଚୀନ୍‌ ତରଫରୁ ପ୍ରସ୍ତାବ ଦିଆଯାଇଛି। ଚୀନ୍‌ର ଏହି ପ୍ରସ୍ତାବକୁ ରୁଷ୍‌ ତରଫରୁ ସ୍ବାଗତ କରାଯାଇଛି। ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ରୁଷ୍ ଗସ୍ତରେ ଯାଇ ସେଠାକାର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଯୁଦ୍ଧ ବନ୍ଦ ପାଇଁ ଆଲୋଚନା କରିଥିଲେ। ଦୁଇ ନେତାଙ୍କ ତରଫରୁ ମିଳିତ ଭାବେ ଜାରି ବିବୃତିରେ ଯୁଦ୍ଧ ବନ୍ଦ ପାଇଁ ବାର୍ତ୍ତାଳାପକୁ ଗୁରୁତ୍ବ ପ୍ରଦାନ କରାଯାଇଛି। ବାର୍ତ୍ତାଳାପ ଦ୍ବାରା ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ବନ୍ଦ କରାଯାଇ ପାରିବ ବୋଲି ବିବୃତିରେ ଦର୍ଶାଯାଇଛି।
ୟୁକ୍ରେନ୍‌ ସହ ଯୁଦ୍ଧ ବନ୍ଦ କରିବାକୁ ଚୀନ୍ ତରଫରୁ ଯେଉଁ ଗଠନମୂଳକ ପରାମର୍ଶ ପ୍ରଦାନ କରାଯାଇଛି ତାହାକୁ ରୁଷ୍‌ ତରଫରୁ ସ୍ବାଗତ କରାଯାଇଛି। ଆଲୋଚନା ମାଧ୍ୟମରେ ଯୁଦ୍ଧ ବନ୍ଦ ହୋଇପାରିବ, ତେବେ ଏହି ଯୁଦ୍ଧରୁ ଅନ୍ୟ କୌଣସି ଦେଶ ବା ଗୋଷ୍ଠୀ ଯେପରି କୌଣସି ଅନୁଚିତ୍‌ ଲାଭ ଉଠାଇ ନ ପାରିବେ ସେଥିପ୍ରତି ଦୃଷ୍ଟି ରଖାଯିବା ଉଚିତ୍‌ ବୋଲି ମିଳିତ ବିବୃତରେ ଉଲ୍ଲେଖ କରାଯାଇଛି। ସେହିପରି ପ୍ରତି ରାଷ୍ଟ୍ରର ସୁରକ୍ଷା ପ୍ରତି ଗୁରୁତ୍ବ ପ୍ରଦାନ କରାଯିବା ସହ କୌଣସି ଗୋଷ୍ଠୀ ଦୁଇ ଦେଶ ମଧ୍ୟରେ ବିବାଦ ସୃଷ୍ଟି କରାଇବାରୁ ଦୂରେଇ ରହିବା ଉଚିତ୍‌ ବୋଲି ବିବୃତିରେ ଦର୍ଶାଯାଇଛି। ୟୁକ୍ରେନ୍‌ ସହ ଯୁଦ୍ଧକୁ ନେଇ ଆମେରିକା, ୟୁରୋପର ଏକାଧିକ ଦେଶ, ଜାପାନ ପ୍ରମୁଖ ଦେଶଙ୍କ ତରଫରୁ ରୁଷ୍‌ ଉପରେ ଅର୍ଥନୈତିକ ପ୍ରତିବନ୍ଧକ ଲଗାଇଥିବାରୁ ତାହାକୁ ମିଳିତ ବିବୃତିରେ ନାପସନ୍ଦ କରାଯାଇଛି।
ସେହିପରି ଯେକୌଣସି ପ୍ରକାର ଅପରାଧକୁ ରୋକିବା ଦିଗରେ ମିଳିତ ଭାବେ କାମ କରିବାକୁ ରୁଷ୍‌ ଓ ଚୀନ୍‌ ସମ୍ମତି ପ୍ରକାଶ କରିଥିବା ମିଳିତ ବିବୃତିରୁ ଜଣାପଡ଼ିଛି। କରୋନା ଭୂତାଣୁ ଉତ୍ପତ୍ତିକୁ ନେଇ କେତେକ ଦେଶ ରାଜନୀତି କରୁଥିବାରୁ ମିଳିତ ବିବୃତିରେ ତାହାକୁ ବିରୋଧ କରାଯାଇଛି।
ଅନ୍ୟପକ୍ଷରେ ଚୀନ୍‌ ଉପରେ ରୁଷ୍‌ର ନିର୍ଭରଶୀଳତା ବଢ଼ୁଥିବା ନେଇ ଚର୍ଚ୍ଚା ହେଉଛି। ରୁଷ୍‌ ଠାରୁ ଚୀନ୍‌ ଅଧିକ ମାତ୍ରାରେ ତେଲ ଓ ଗ୍ୟାସ୍‌ କ୍ରୟ କରୁଛି। ଫଳରେ ରୁଷ୍‌ର ମୁଦ୍ରାଭଣ୍ଡାର ଭଲ ସ୍ଥିତିରେ ରହିଛି। ଆମେରିକା ସହ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ର ରୁଷ୍‌ ଉପରେ କଟକଣା ଜାରି କରିଥିଲେ ମଧ୍ୟ ଏହାର ବିଶେଷ ପ୍ରଭାବ ଅନୁଭୂତ ହେଉ ନାହିଁ। ଚୀନ୍‌ ଉପରେ ବଢ଼ୁଥିବା ନିର୍ଭରଶୀଳତାକୁ ନେଇ ରୁଷ୍‌ର କେତେକ ମହଲ ଚିନ୍ତାବ୍ୟକ୍ତ କରିଥିଲେ ମଧ୍ୟ ଅନ୍ୟ ପନ୍ଥା ନ ଥିବା ସାଂଘାଇ ବିଶ୍ବବିଦ୍ୟାଳୟର ନିର୍ଦେଶକ ଲି ଜିନ୍ ମତ ଦେଇଛନ୍ତି। ରୁଷ୍‌ ଓ ଚୀନ୍‌ ମଧ୍ୟରେ ସମ୍ପର୍କ ବେଶ୍‌ ପୁରୁଣା ହୋଇଥିବା ବେଳେ ଏହାକୁ ଅଧିକ ମଜଭୁତ୍‌ କରିବାକୁ ଉଭୟ ପକ୍ଷ ଆଗ୍ରହୀ ଅଛନ୍ତି। ଆମେରିକା ଓ ତା’ର ମିତ୍ର ରାଷ୍ଟ୍ରଙ୍କୁ ପ୍ରତିରୋଧ କରିବା ଦିଗରେ ଚୀନ୍‌ ଉପରେ ରୁଷ୍‌ ଅଧିକ ନିର୍ଭରଶୀଳ ରହୁଛି। ଅନ୍ୟପକ୍ଷରେ ୟୁକ୍ରେନ୍‌ ବିପକ୍ଷ ଯୁଦ୍ଧରେ ରୁଷ୍‌କୁ ଅସ୍ତ୍ରଶସ୍ତ୍ର ଯୋଗାଇ ସହାୟତା ପ୍ରଦାନ କ୍ଷେତ୍ରରେ ଚୀନ୍‌ ପଛଘୁଞ୍ଚା ଦେଉଛି। ରୁଷ୍‌କୁ ସାମରିକ ସହାୟତା ପ୍ରଦାନ କଲେ ଚୀନ୍‌ ତାହାର କୁପରିଣାମ ଭୋଗିବ ବୋଲି ଆମେରିକା ସହ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶ ଚେତାବନୀ ଦେଇ ସାରିଛନ୍ତି।
ଚୀନ୍‌ର ଅର୍ଥନୈତିକ ଅଭିବୃଦ୍ଧି ରୁଷ୍‌ ଠାରୁ ଅଧିକ। ୨୦୨୦ରେ ଚୀନ୍‌ର ଅର୍ଥନୀତି ରୁଷ ଠାରୁ ପାଖାପାଖି ୧୦ ଗୁଣା ଅଧିକ ରହିଥିବା ବେଳେ ମୁଣ୍ଡପିଛା ଆୟ କ୍ଷେତ୍ରରେ ରୁଷ୍‌ ଠାରୁ ଚୀନ୍‌ ବହୁ ଆଗରେ ରହିଛି। ଅନ୍ତର୍ଜାତୀୟ ସ୍ତରରେ ନିଜ ପ୍ରାଧାନ୍ୟ ବଜାୟ ରଖିବା ସହ ଅର୍ଥନୈତିକ କ୍ଷେତ୍ରକୁ ମଜଭୁତ୍‌ କରିବା ଦିଗରେ ଚୀନ୍‌ ଉପରେ ରୁଷ୍‌ର ନିର୍ଭରଶୀଳତା ବଢ଼ିବା ସ୍ବାଭାବିକ ବୋଲି ବିଶେଷଜ୍ଞ ମହଲରେ ଚର୍ଚ୍ଚା ହେଉଛି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories