www.samajalive.in
Thursday, December 11, 2025
23.1 C
Bhubaneswar

ସ୍ଥିତି ଜଟିଳ : ବିନାଶ ପଥରେ ବିଶ୍ବ

-୩ ଦିନରେ ୟୁକ୍ରେନ୍‌ ଦଖଲ ଥିଲା ପୁଟିନ୍‌ଙ୍କ ନିର୍ଦେଶ
-ପାକିସ୍ତାନୀଙ୍କ ସାହାରା ଭାରତୀୟ ତ୍ରିରଙ୍ଗା
-ମାଲଡୋଭାରେ ରୁଷ୍‌ର ଆକ୍ରମଣ ଯୋଜନା
-୩ୟ ବିଶ୍ବଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ: ବାଇଡେନ
-ଆମେରିକାର ଚେତାବନୀ ପରେ ରୁଷ୍‌ କଠୋର
-ୟୁକ୍ରେନ୍‌କୁ ବିଶ୍ବ ବ୍ୟାଙ୍କର ୩ ଶହ କୋଟି ସହାୟତା ଘୋଷଣା
-ଭିକ୍ଟରଙ୍କୁ ୟୁକ୍ରେନ୍‌ ରାଷ୍ଟ୍ରପତି କରିପାରନ୍ତି ପୁଟିନ୍‌

କିଭ୍‍(ୟୁକ୍ରେନ୍‌)/ନୂଆଦିଲ୍ଲୀ : ରୁଷ୍‌ର ୟୁକ୍ରେନ୍‌ ଆକ୍ରମଣ ବୁଧବାର ୭ମ ଦିନରେ ପହଞ୍ଚିଛି। ବିଗିଡ଼ିବାରେ ଲାଗିଛି ୟୁକ୍ରେନ୍‌ ପରିସ୍ଥିତି। ରୁଷ୍‌ର ଆକ୍ରମଣ ଯେଭଳି ପ୍ରଚଣ୍ଡ ହେବାରେ ଲାଗିଛି ତାହା ସ୍ଥିତିକୁ ଅଧିକ ବିଗାଡିବାରେ ଲାଗିଛି। ମାତ୍ର ୫ ଦିନ ଭିତରେ ୟୁକ୍ରେନ୍‌ ଦଖଲ କରିବା ନେଇ ରୁଷ୍‌ ଯେଉଁ ଲକ୍ଷ୍ୟ ସ୍ଥିର କରିଥିଲା ତାହା କ୍ରମଶଃ ବିଳମ୍ବିତ ହେଉଛି। ୟୁକ୍ରେନ୍‌ର ସେନା ଓ ନାଗରିକଙ୍କ ପକ୍ଷରୁ ରୁଷ୍‌ ସେନାକୁ ତୀବ୍ର ବିରୋଧର ସାମ୍ନା କରିବାକୁ ପଡୁଛି। ଏହାକୁ ଦୃଷ୍ଟିରେ ରଖି ରୁଷ୍‌ କ୍ରମଶଃ ଅଧିକ ଆକ୍ରମଣାତ୍ମକ ହୋଇପଡିଛି। ସେନାସ୍ଥଳ ଓ ଗୁରୁତ୍ବପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ଉପରେ ପୂର୍ବରୁ ଘନଘନ ଆକ୍ରମଣ କରୁଥିବାବେଳେ ଏବେ ଜନବସତି ଓ ସାଧାରଣ ନାଗରିକଙ୍କ ଉପରେ ବୋମାବର୍ଷା କରୁଛି ରୁଷ୍‌ ବାୟୁସେନା ଓ ସ୍ଥଳସେନାର ଟ୍ୟାଙ୍କ୍। ଆମେରିକା ସମେତ ୟୁରୋପୀ ରାଷ୍ଟ୍ରସଘ ଓ ନାଟୋ ୟୁକ୍ରେନ୍‌କୁ ପରୋକ୍ଷ ସହଯୋଗ କରୁଥିବାରୁ ୟୁକ୍ରେନ୍‌ ରୁଷ୍‌ ବିରୋଧୀ ଲଢେୃଇରେ ଏପର୍ଯ୍ୟନ୍ତ ତିଷ୍ଠି ରହିଛି। ଏହାକୁ ଦେଖି ଦୁଇଦିନ ତଳେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ୍‌ ପରମାଣୁ ଆକ୍ରମଣ ଧମକ ଦେଇଥିବାବେଳେ ଆଜି ଏହାର ବିଦେଶମନ୍ତ୍ରୀ ସେର୍ଗେଇ ଲାଭ୍‌ରୋଭ୍‌ ମଧ୍ୟ ଅନୁରୂପ ଚେତାବନୀ ଦେଇଛନ୍ତି। ମସ୍କୋ ଚଳାଇଥିବା ୟୁକ୍ରେନ୍‌ ଅଭିଯାନରେ ପଶ୍ଚିମୀ ରାଷ୍ଟ୍ର ଯେଭଳି ହସ୍ତକ୍ଷେପ କରୁଛନ୍ତି ତାହା ପରମାଣୁ ଯୁଦ୍ଧ ଆଡ଼କୁ ମୁହାଁଉଛି ଏବଂ ଏହାଦ୍ବାରା ତୃତୀୟ ବିଶ୍ବଯୁଦ୍ଧ ଆଡ଼କୁ ବିଶ୍ବକୁ ନେିପାରେ ବୋଲି ଲାଭରୋଭ୍‌ କହିଛନ୍ତି। ଏହି ତୃତୀୟ ବିଶ୍ବଯୁଦ୍ଧରେ ପରମାଣୁ ବୋମା ପ୍ରୟୋଗର ଆଶଙ୍କା ଥିବାରୁ ଏହା ବିଶ୍ବ ପାଇଁ ଭୟଙ୍କର ବିପର୍ଯ୍ୟୟ ଆଣିବ ବୋଲି ଲାଭରୋଭ୍‌ ଆମେରିକା ସମେତ ପଶ୍ଚିମୀ ରାଷ୍ଟ୍ରଙ୍କୁ ଚେତାବନୀ ଦେଇଛନ୍ତି।
ଅନ୍ୟପକ୍ଷରେ ୟୁକ୍ରେନ ଉପରେ ରୁଷ୍‌ର ଆକ୍ରମଣକୁ ବିରୋଧ କରି ପୂର୍ବରୁ ଜାତିସଙ୍ଘ ସୁରକ୍ଷା ପରିଷଦରେ ଆଗତ ନିନ୍ଦା ପ୍ରସ୍ତାବ କାଟ ଖାଇବା ପରେ ଆମେରିକା ଅାଜି ଜାତିସଙ୍ଘ ସାଧାରଣ ପରିଷଦ (ୟୁଏନ୍‌ଜିଏ)ରେ ନିନ୍ଦା ପ୍ରସ୍ତାବ ଆଗତ କରିଥିଲା। ରୁଷ୍‌ର ସାମରିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ୧୯୩ ରାଷ୍ଟ୍ରଙ୍କ ମଧ୍ୟରୁ ଏହି ପ୍ରସ୍ତାବ ସମର୍ଥନରେ ୧୪୧ ଓ ବିପକ୍ଷରେ ୫ ସଦସ୍ୟ ରାଷ୍ଟ୍ର ମତଦାନ କରିଥିବା ବେଳେ ଭାରତ ଓ ଅନ୍ୟ ୩୪ ରାଷ୍ଟ୍ର ଅନୁପସ୍ଥିତ ଥିଲେ।
ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଓ ଅର୍ଥନୈତିକ ପ୍ରାଣକେନ୍ଦ୍ର ଖାର୍କିଭ୍‌ ସହରରେ ରୁଷ୍‌ ସେନା ଘନଘନ କ୍ଷେପଣାସ୍ତ୍ର ମାଡ଼ ଅବ୍ୟାହତ ରହିଛି। ସେନା କାର୍ଯ୍ୟାଳୟଠାରୁ ଡାକ୍ତରଖାନା ଓ ଜନବସତି ଅଞ୍ଚଳ ଉପରେ ରୁଷ୍‌ ବୋମାବର୍ଷା କରିବା ଯୋଗୁଁ ପ୍ରଭୂତ ଧନଜୀବନ କ୍ଷତି ଘଟିଥିବା ଜଣାପଡିଛି। ୟୁକ୍ରେନ୍‌ର ରାସ୍ତାଘାଟ ଏବେ ଧ୍ବଂସସ୍ତୁପର ପାହାଡ଼ ସୃଷ୍ଟି କରିଛି। ୟୁକ୍ରେନ୍‌ ମଧ୍ୟ ଏହାର କଡ଼ା ଜବାବ ଦେଉଛି। ଇତିମଧ୍ୟରେ ୬ ହଜାରରୁ ଅଧିକ ରୁଷ୍‌ ସୈନ୍ୟଙ୍କ ପ୍ରାଣହାନି ଘଟିଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦାବି କରିଛନ୍ତି। ଅନ୍ୟପକ୍ଷରେ ଇତିମଧ୍ୟରେ ୟୁକ୍ରେନରେ ରୁଷ୍‌ର ୪୯୮ ସୈନ୍ୟ ମୃତ୍ୟୁବରଣ କରିଥିବାବେଳେ ୧୫୯୭ଜଣ ଆହତ ହୋଇଥିବା ରୁଷ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି। ରାତି ୯ଟା ସୁଦ୍ଧା ସମସ୍ତ ଭାରତୀୟ ୟୁକ୍ରେନ୍‌ ଛାଡିବାକୁ ଭାରତୀୟ ଦୂତାବାସ ପକ୍ଷରୁ ସତର୍କ ସୂଚନା ଜାରି କରାଯିବା ପରେ ରୁଷ୍‌ର ଆକ୍ରମଣ ଅଧିକ ଆକ୍ରାମକ ତଥା ନିର୍ଣ୍ଣାୟକ ହୋଇପାରେ ବୋଲି ଆଶଙ୍କା ବଢିଛି।
ଗତ ୨୪ ଘଣ୍ଟା ମଧ୍ୟରେ ଖାର୍କିଭ୍‌ରେ ରୁଷ୍‌ ସେନାର ବୋମା ବର୍ଷଣ ଫଳରେ ୟୁକ୍ରେନ୍‌ର ୨୪ ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ସହ ୧୨୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ବୁକା, ମାରିୟପୋଲ ଓ ଜିତ୍‌ମୋର ସହର ଜଳୁଛି। ରୁଷ୍‌ର ଧମକ ପରେ ୫ ଲକ୍ଷ ୟୁକ୍ରେନ୍‌ବାସୀ ଦେଶ ଛାଡ଼ିଛନ୍ତି। କିଭ୍‌ ଓ ଲିଭ୍‌ ସମେତ ଅନ୍ୟ ରେଳ ଷ୍ଟେସନରେ ଲୋକଙ୍କ ଲମ୍ବାଧାଡ଼ି ଦେଖିବାକୁ ମିଳୁଛି। ୟୁକ୍ରେନ୍‌ ସେନାର ପ୍ରତି ଆକ୍ରମଣରେ ପ୍ରାୟ ୬ ହଜାର ରୁଷ୍‌ ସୈନ୍ୟଙ୍କ ମୃତ୍ୟୁ ଘଟିଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର୍‌ ଜେଲେନ୍‌ସ୍କି ଦାବି କରିଛନ୍ତି। ଅନ୍ୟପ‌େ‌ଟ ଖର୍ସୋନ୍‌ ସହରକୁ ଅକ୍ତିଆର କରିଥିବା ରୁଷ୍‌ ସେନା ଦାବି କରିଛି। ପାଶ୍ଚାତ୍ୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ; ଆଜିର ଯୁଦ୍ଧରେ ରୁଷ୍‌କୁ ଜୋରଦାର୍‌ ଝଟକା ଲାଗିଛି। ୟୁକ୍ରେନ୍‌ର ୨ଟି ମିଗ୍‌-୨୯ ଯୁଦ୍ଧ ବିମାନ ରୁଷ୍‌ର ୨ ସୁଖୋଇ-୩୫ ଶକ୍ତିଶାଳୀ ଯୁଦ୍ଧ ବିମାନକୁ ମାରି ଖସାଇ ଦେଇଛି। ରୁଷ୍‌ର ବିଦେଶ ମନ୍ତ୍ରୀ ସର୍ଗଇ ଲାଭରୋଭ ୩ୟ ବିଶ୍ବ ଯୁଦ୍ଧ ଧମକ ଦେଇଛନ୍ତି। ଏହି ୩ୟ ବିଶ୍ବଯୁଦ୍ଧ ସବୁଠାରୁ ବିପଜ୍ଜନକ ହେବ। ୟୁକ୍ରେନ୍‌ରୁ ଆଣବିକ ଅସ୍ତ୍ର ସଫା କରିଦେବୁ ା ଏଥିପାଇଁ ଆମେରିକା ଓ ପାଶ୍ଚାତ୍ୟ ଦେଶ ଦାୟୀ ରହିବେ ବୋଲି ସେ କହିଛନ୍ତି। ଇତି ମଧ୍ୟରେ ୟୁକ୍ରେନ୍‌ରୁ ପ୍ରାୟ ୬ ଲକ୍ଷ ଶରାଣାର୍ଥୀ ପୋଲାଣ୍ଡ, ହଙ୍ଗେରୀ, ମାଲଡୋଭା, ରୋମାନିଆ ଓ ସ୍ଲୋଭାକିଆରେ ଶରଣ ନେଇଛନ୍ତି। ଯୁଦ୍ଧ ବିଧ୍ବସ୍ତ ୟୁକ୍ରେନ୍‌ ପାଇଁ ବିଶ୍ବ ବ୍ୟାଙ୍କ ୩ଶହ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛି।
ରୁଷ୍‌ ବିମାନ ପାଇଁ ଆମେରିକା ନିଜ ଆକାଶମାର୍ଗକୁ ବନ୍ଦ କରିଦେଇଛି। ୟୁରୋପୀୟ ରାଷ୍ଟ୍ର ଗୁଡିକ ମଧ୍ୟ ରୁଷ୍‌ ପାଇଁ ବାୟୁସୀମା ସିଲ୍‌ କରିଦେଇଛନ୍ତି। ସେହିପରି ରୁଷ୍‌ ଜାହଜକୁ ବନ୍ଦର ଛାଡ଼ିବାକୁ ବ୍ରିଟେନ୍‌ ନିର୍ଦେଶ ଦେଇଛି। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ୟୁରୋପକୁ ଖଣ୍ଡବିଖଣ୍ଡ କରିବା ପାଇଁ ଚାହୁଁଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି। ତୃତୀୟ ବିଶ୍ବଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସେ ଆମେରିକୀୟ ସଂସଦରେ ଉଦ୍‌ବୋଧନ ଦେବା ସମୟରେ ଏହା କହିଛନ୍ତି। ଏକଛତ୍ରବାଦୀ ଶାସକଙ୍କ ପତ୍ତନ ଖୁବ୍‌ଶୀଘ୍ର ବୋଲି ପୁଟିନ୍‌ଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି। ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧକୁ ନେଇ ଚୀନ୍‌ର ଐତିହାସିକମାନେ ଦେଶର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କୁ ଚିଠି ଲେଖି ରୁଷ୍‌ ରାଷ୍ଟ୍ରପତି ପୁଟିନ୍‌ ଚୀନ୍‌କୁ ମୂର୍ଖ ବନାଇଥିବା କହିଛନ୍ତି। ରୁଷ୍‌-ୟୁକ୍ରେନ ଯୁଦ୍ଧ ସମୟରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ନୂଆଦିଲ୍ଲୀସ୍ଥିତ ରୁଷର ରାଷ୍ଟ୍ରଦୂତ ଡେନିସ୍ ଅଲିପୋଭ। ଖାର୍କିଭରେ ଭାରତୀୟ ଛାତ୍ର ନବୀନଙ୍କ ମୃତ୍ୟୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ରୁଷ୍‌ ଏହାର ତଦନ୍ତ କରିବ ବୋଲି କହିଛନ୍ତି। ସେ କହିଛନ୍ତି; ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ଆମେ ପ୍ରାଧାନ୍ୟ ଦେଉଛୁ। ଖାର୍କିଭ ସମେତ ଉତ୍ତର-ପୂର୍ବ ଅଞ୍ଚଳର ଭାରତୀୟ ନାଗରିକଙ୍କ ସହ ଆମେ ଯୋଗାଯୋଗରେ ଅଛୁ। ଆମେ ଏକ ସୁରକ୍ଷିତ କରିଡର ତିଆରି କରିବା ପାଇଁ କାର୍ଯ୍ୟ କରୁଛୁ। ଜାତିସଂଘରେ ଭାରତର ସନ୍ତୁଳିତ ଆଭିମୁଖ୍ୟ ପାଇଁ ରୁଷ୍‌ ଖୁସି। ପରିସ୍ଥିତିର ଜଟିଳତାକୁ ଭାରତ ଭଲ ଭାବରେ ବୁଝିଛି। ଏ ପର୍ଯ୍ୟନ୍ତ ୧୯ଟି ଦେଶ ୟୁକ୍ରେନ୍‌କୁ ଯୁଦ୍ଧାସ୍ତ୍ର ଯୋଗାଇ ଦେଇଥିବା ସେ କହିଛନ୍ତି। ପୁଟିନ୍‌ ୟୁକ୍ରେନ୍‌ର ପୂର୍ବତନ ରାଷ୍ଟ୍ରପତି ଭିକ୍ଟର ୟାନୁକୋଭିକ୍‌ଙ୍କୁ ଦେଶର ଶାସନ ଡୋରି ଦେବାକୁ ସ୍ଥିର କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।
ବେଲାରୁଷର ରାଷ୍ଟ୍ରପତି ତଥା ପୁଟିନଙ୍କ ଘନିଷ୍ଠ ସହଯୋଗୀ ଆଲେକ୍‌ଜାଣ୍ଡାର୍ ଲୁକାଶେଙ୍କୋଙ୍କ କଥାବାର୍ତ୍ତା ‘ଡେଲି ମେଲ’ ଗଣମାଧ୍ୟମ ପ୍ରମୁଖତାର ସହ ପ୍ରକାଶ କରିଛି। ପୁଟିନ୍‌ଙ୍କ ଆଗାମୀ ଯୋଜନା ସଂକ୍ରାନ୍ତରେ ଏଥିରେ ପ୍ରକାଶ ପାଇଛି। ଉଭୟଙ୍କ ବାର୍ତ୍ତାଳାପରୁ ଜଣାପଡ଼ିଛି ଯେ; ୟୁକ୍ରେନ ପରେ ରୁଷର ପରବର୍ତ୍ତୀ ଲକ୍ଷ୍ୟ ପଡୋଶୀ ଦେଶ ମାଲଡୋଭା ହୋଇପାରେ। ବେଲାରୁଷ୍‌ ରାଷ୍ଟ୍ରପତି ନିଜ ସୁରକ୍ଷା ପରିଷଦର ଉଚ୍ଚ ପଦାଧିକାରୀଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରୁଥିଲେ। ସେ ଯୁଦ୍ଧ ମାନଚିତ୍ର ମାଧ୍ୟମରେ ୟୁକ୍ରେନରେ ରୁଷର ଆକ୍ରମଣର ରାସ୍ତା ବିଷୟରେ କହୁଥିଲେ। ଏହାର ସତ୍ୟତା ଅଛି କି ୟୁରୋପୀୟ ଗଣମାଧ୍ୟମଗୁଡ଼ିକର ଏହା ଅପପ୍ରଚାର ତାହା ଆଗାମୀ ଦିନରେ ଜଣାପଡ଼ିବ। ରୁଷର ସେନାକୁ ମଜଭୁତ କରିବା ପାଇଁ ପ୍ରାୟ ୧୦,୦୦୦ ଚେଚେନ୍ୟା ସୈନିକଙ୍କୁ ନିୟୋଜିତ କରାଯାଇଛି। ପ୍ରତି ଚେଚେନୀୟ ସୈନିକଙ୍କୁ ୟୁକ୍ରେନ ନେତା ଓ ଅଧିକାରୀଙ୍କ ଫଟୋ ସହ ସେମାନଙ୍କ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରାଯାଇଥିବା ‘ଡେଲି ମେଲ’ ପ୍ରକାଶ କରିଛି। ଅନ୍ୟପକ୍ଷରେ ଜାପାନର ୭୦ ହଜାର ସ୍ବେଚ୍ଛାସେବୀ ୟୁକ୍ରେନ୍‌ ପକ୍ଷରୁ ଲଢିବା ପାଇଁ ପ୍ରସ୍ତୁତ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ପୁଟିନ୍‌ ମାତ୍ର ୩ ଦିନରେ ୟୁକ୍ରେନ୍‌ ଅକ୍ତିଆର ପାଇଁ ଯୋଜନା କରିଥିବା ୟୁକ୍ରେନ୍‌ ସୈନ୍ୟଙ୍କ କବଳରେ ଥିବା ଜଣେ ରୁଷ୍‌ ସୈନ୍ୟ କହିଛନ୍ତି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories