ମୁମ୍ବଇ : ପ୍ରସିଦ୍ଧ ଗାୟକ କିଶୋର କୁମାରଙ୍କ ପ୍ରଥମ ପତ୍ନୀ ତଥା ଲୋକପ୍ରିୟ ବେଙ୍ଗଲୀ ଅଭିନେତ୍ରୀ ରୁମା ଗୁହା ଠାକୁର୍ତାଙ୍କର ସୋମବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ରୁମା ତାଙ୍କ ଘର ବାଲୀଗଙ୍ଗେ ପ୍ଲେସରେ ନିଜର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ନିକଟରେ ମୁମ୍ବଇରେ ତାଙ୍କ ପୁଅ ଅମିତ କୁମାରଙ୍କୁ ଭେଟି କୋଲକତା ଫେରିଥିଲେ। ରୁମା ବୟସଗତ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିଲେ।

ସୂଚନାଯୋଗ୍ୟ, ରୁମା ୩ ନଭେମ୍ବର ୧୯୩୪ରେ କୋଲକତାରେ ଜନ୍ମ ଗ୍ରହଣ କରିଥିଲେ। ୧୯୫୧ ମସିହାରେ ସେ କିଶୋର କୁମାରଙ୍କୁ ବିବାହ କରିଥିଲେ। ମାତ୍ର ତାଙ୍କର ଏହି ସମ୍ପର୍କ ଅଧିକ ଦିନ ତିଷ୍ଠି ରହି ନଥିଲା। ପ୍ରାୟ ୬ ବର୍ଷ ମଧ୍ୟରେ ଛାଡ଼ପତ୍ର ନେଇ ଦୁହେଁ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ଏହାପରେ ୧୯୬୦ ମସିହାରେ ରୁମା ଅରୁପ ଗୁହା ଠାକୁର୍ତାଙ୍କୁ ବିବାହ କରିଥିଲେ। ଜଣେ ଭଲ ଅଭିନେତ୍ରୀ ହେବା ସହ ସେ ଜଣେ ଜଣାଶୁଣା କଣ୍ଠଶିଳ୍ପୀ ମଧ୍ୟ ଥିଲେ।



