ମୁମ୍ବାଇ: ନିର୍ଦେଶକ ଏସଏସ୍ ରାଜାମୌଲୀଙ୍କ ଚଳଚ୍ଚିତ୍ର ‘ଆରଆରଆର’ ପ୍ରେକ୍ଷାଳୟରେ ହଇଚଇ ସୃଷ୍ଟି କରିଛି। ରାମଚରଣ, ଜୁନିଅର ଏନଟିଆର, ଆଲିଆ ଭଟ୍ଟ ଅଭିନୀତ ଏହି ଚଳଚ୍ଚିତ୍ରକୁ ଦର୍ଶକ ଅନେକ ଦିନ ଧରି ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। ଏବେ ଫିଲ୍ମ ମୁକ୍ତିଲାଭ ହେବା ପରେ ଲୋକେ ଏହାକୁ ଖୁବ୍ ଭଲପାଇବା ଦେଉଥିବା ଦେଖିବାକୁ ମିଳିଛି। ସିନେମାହଲରେ ହାଉସଫୁଲ ଶୋ’ ସହ ‘ଆରଆରଆର’ ଜବରଦସ୍ତ ଓପନିଂ କରିଥିଲା। ପ୍ରଥମ ଦିନ ୧୫୬ କୋଟି ଟଙ୍କା ସହ ଖାତା ଖୋଲିବା ପରେ ଆସନ୍ତୁ ଜାଣିବା ଦ୍ବିତୀୟ ଦିନର ଆୟ ବିଷୟରେ।
ଟ୍ରେଡ଼୍ ଆନାଲିଷ୍ଟ ତରଣ ଆଦର୍ଶ ‘ଆରଆରଆର’ର ହିନ୍ଦୀ ଭର୍ସନର ବକ୍ସ ଅଫିସ ଆୟ ସମ୍ବନ୍ଧୀୟ ସୂଚନା ଦେଇଛନ୍ତି। ଫିଲ୍ମ ଶୁକ୍ରବାର ୨୦.୦୭ କୋଟି, ଶନିବାର ୨୩.୭୫ କୋଟି ଟଙ୍କା ଆୟ କରିଛି। ଏହାକୁ ମିଶାଇ ଫିଲ୍ମର ହିନ୍ଦୀ ଭର୍ସନ ଦୁଇ ଦିନରେ ମୋଟ୍ ୪୩.୮୨ କୋଟି ଟଙ୍କା ଆୟ କରିଛି। ରବିବାର ଫିଲ୍ମ ବହୁଗୁଣା ଅଧିକ ଆୟ କରିବା ବୋଲି ଆଶା ପ୍ରକାଶ କରିଛନ୍ତି ତରଣ।
ପ୍ରଥମ ଦିନରେ ବିଶ୍ବବ୍ୟାପୀ ବକ୍ସ ଅଫିସ ଆୟ ୨୦୦ କୋଟି ପାର୍:
ତରଣ ଶନିବାର ଭିନ୍ନ ଭିନ୍ନ ସହର ଓ ବିଦେଶୀ ବକ୍ସ ଅଫିସରେ ଚଳଚ୍ଚିତ୍ରର ଆୟ ବିଷୟରେ ସୂଚନା ଦେଇଥିଲେ। ପ୍ରଥମ ଦିନରେ ‘ଆରଆରଆର’ ଭାରତରେ ୧୫୬ କୋଟି, ଆମେରିକାରେ ୪୨ କୋଟି, ଅଣ-ଆମେରିକୀୟ ବିଦେଶରେ ୨୫ କୋଟି ଟଙ୍କା ଆୟ କରିଥିଲା। ପ୍ରଥମ ଦିନରେ ଫିଲ୍ମ ବିଶ୍ବବ୍ୟାପୀ ମୋଟ୍ ୨୨୩ କୋଟି ଟଙ୍କା ଆୟ କରିଛି।



