ରେଙ୍ଗାଲି: ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ହୋଇ ପୁନର୍ବସତି ସ୍ଥାପନ କରି ରହୁ ଥିବା ରେଙ୍ଗାଲି ବ୍ଲକର ଝାରମୁଣ୍ଡା, ବାବୁଚକୁଲି,ବାଉଁସେନ, ଥୁଣ୍ଟି କତରବଗା ଗ୍ରାମରୁ ରେଙ୍ଗାଲି କୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ର ୫ଶହ ମିଟର ଜମି ଅଧିଗ୍ରହଣ ହେଉ ନଥିବାରୁ ରାସ୍ତା ଅଧାପନ୍ତରିଆ ରେ ଦୀର୍ଘ ଦଶନ୍ଧି ହେଲା ପଡି ରହିଛି। ଗମନାଗମନ ପାଇଁ ଅଞ୍ଚଳବାସୀ ଏଥିପାଇଁ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ନଦୀବନ୍ଧ ଯୋଜନା କାର୍ଯ୍ଯକ୍ଷମ ହେବାର ୭ଦଶନ୍ଧି ବିତିଗଲା। ଅଞ୍ଚଳବାସୀ ଅସଂଖ୍ୟ ଥର ଜିଲାପାଳ, ଉପଜିଲାପାଳ, ତହସିଲଦାର ଓ
ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିଲେ ମଧ୍ୟ ଏ ସମସ୍ୟାର ସମାଧାନ ହେଉନାହିଁ। ଏହି ଅସମାହିତ ମୌଳିକ ସମସ୍ୟାର ସମାଧାନ ପାଇଁ ଜମି ଅଧିଗ୍ରହଣ କରାଯିବା ସକାଶେ ଜନସାଧାରଣ ପୁଣି ଜିଲାପାଳ ଓ ଉପ-ଜିଲାପାଳଙ୍କ ଦ୍ବାରସ୍ତ ହୋଇଛନ୍ତି ।
ରାସ୍ତାଦେଇ ଉପରୋକ୍ତ ଗ୍ରାମ ଗୁଡିକ ର ଅସଂଖ୍ୟ ଛାତ୍ର ଛାତ୍ରୀ, କର୍ମଚାରୀ ଓ ଜନସାଧାରଣ ସ୍କୁଲ କଲେଜ, ବ୍ଲକ,ତହସିଲ, ଜିଲ୍ଲା ସଦର ମହକୁମା ତଥା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ କୁ ଯାତାୟତ ପାଇଁ ନିର୍ଭର କରିଥାନ୍ତି। ତେବେ ରେଙ୍ଗାଲି ବ୍ଲକ କାର୍ଯ୍ୟାଳୟ ପାଖରୁ ଉପରୋକ୍ତ ଅଞ୍ଚଳ କୁ ସଂଯୋଗ କରୁଥିବା ଏହି ପୂର୍ତ୍ତ ବିଭାଗ ରାସ୍ତା ୪ ଟି ସ୍ଥାନରେ ପ୍ରାୟ ୫ଶହ ମିଟର ରୟତି ଜମି ରହିଛି। ବାରମ୍ବାର ଦାବି ସତ୍ତ୍ବେ ରୟତି ଜମି ଅଧିଗ୍ରହଣ କରାଯାଇ ନଥିବାରୁ ଦୋହରୀକରଣ କାମ ଅସମ୍ପୂର୍ଣ୍ଣ ହୋଇ ପଡିଛି। ରାସ୍ତାର ବାକି ଅଂଶର ଦୋହରୀକରଣ କାମ ସମ୍ପୂର୍ଣ୍ଣ ହୋଇ ସାରିଥିବା ବେଳେ ୫ଶହ ମିଟର ରୟତି ଜମି ଖାଳଖମା ରେ ପରିପୂର୍ଣ୍ଣ ହୋଇ ପଡିଛି।
ଜନସାଧାରଣଙ୍କ ଗମନାଗମନ ଦୁର୍ବିସହ ହୋଇ ପଡୁଛି। ଆମ୍ବୁଲାନ୍ସ ଆଦି ଚାରିଚକିଆ ଯାନ ଯାତାୟତ ହେଉ ନାହିଁ। ଏପରିକି ଦୁଇଟି ବାଇକ୍ ଏକା ସାଙ୍ଗରେ ଯାତାୟତ ମୁସ୍କିଲ୍ ହେଉଛି। ରାସ୍ତାର ଏଭଲି ଦୟନୀୟ ଅବସ୍ଥା ଯୋଗୁଁ ଉପରୋକ୍ତ ୪ଟି ଗ୍ରାମ ର ଅଧିବାସୀ ଅକଥନୀୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ହୀରାକୁଦ ନଦୀବନ୍ଧ ଯୋଜନା ରେ ବିସ୍ଥାପିତ ପରିବାର ବର୍ଗ ଙ୍କୁ ସମସ୍ତ ମୌଳିକ ସୁବିଧାସୁଯୋଗ ଦିଆଯିବ ବୋଲି ତତ୍କାଳୀନ ସରକାର ଘୋଷଣା କରିଥିଲେ। ତେବେ ବିଡମ୍ବନାର ବିଷୟଯେ ନଦୀବନ୍ଧ ଯୋଜନାର ସାତ ଦଶନ୍ଧି ପରେ ବି ରେଙ୍ଗାଲିବ୍ଲକର ଝାରମୁଣ୍ଡା, ବାବୁଚକୁଲି, ଥୁଣ୍ଟି କତରବଗା, ବାଉଁସେନ ଭଲି ପୁନର୍ବସତି ସ୍ଥାପନ କରିରହୁଥିବା ବିସ୍ଥାପିତ ଗାଁ କୁ ରାସ୍ତା ପାଇଁ ଜମି ବାଧକ ସାଜିଛି। ସରକାର ଓ ପ୍ରଶାସନ ଏଦିଗରେ ଗୁରୁତ୍ବ ର ସହିତ ଦୃଷ୍ଟି ଦେଇ ରାସ୍ତା ପାଇଁ ବାଧକ ସାଜିଥିବା ୫ ଶହ ମିଟର ରୟତି ଜମି ଅଧିଗ୍ରହଣ କରି ଅଧାପନ୍ତରିଆ ରେ ପଡିଥିବା ରାସ୍ତା କାମ ଯୁଦ୍ଧ କାଳୀନ ଭିତ୍ତି ରେ ସମ୍ପୂର୍ଣ୍ଣ କରିବାକୁ ଦାବୀ ହେଉଛି।
ରାସ୍ତା ପାଇଁ ରୟତି ଜମି ଅଧିଗ୍ରହଣ ସମସ୍ୟା ସଂକ୍ରାନ୍ତରେ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ସୁମନ୍ତ କୁମାର ପରେଖ କହିଛନ୍ତି ଯେ ଜମି ଅଧିଗ୍ରହଣ ପ୍ରକ୍ରିୟା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି। ଇତିମଧ୍ୟରେ ସାଧାରଣ ବର୍ଗଙ୍କ ପଟ୍ଟା ଓ ଦଖଲରେ ଥିବା ଜମି ଅଧିଗ୍ରହଣ କରାଯାଇ ସେମାନଙ୍କୁ କ୍ଷତିପୂରଣ ଦିଆଯାଇ ସାରିଛି। ଆଉ କିଛି ଜମିର ପଟ୍ଟା ଆଦିବାସୀ ବର୍ଗଙ୍କ ନାମରେ ରହିଛି । ଜମି ଅଧିଗ୍ରହଣ ପାଇଁ ସଂପୃକ୍ତ ଜମି ମାଲିକଙ୍କୁ ନୋଟିସ୍ ଜାରି କରାଯାଇଛି। ଜମି ଅଧିଗ୍ରହଣ ପରେ ବାକି ପଡିଥିବା ରାସ୍ତା କାମ ସମ୍ପୂର୍ଣ୍ଣ କରାଯିବା ବୋଲି କନିଷ୍ଠ ଯନ୍ତ୍ରୀ ଶ୍ରୀ ପରେଖ କହିଛନ୍ତି।
Comments are closed.