www.samajalive.in
Monday, December 8, 2025
27.1 C
Bhubaneswar

୧୦ ନମ୍ବର ରାଜ୍ୟ ରାଜପଥର ସାତଗଛିଆରୁ ଠେଲକୋଲୋଇ ରାସ୍ତା ଡେଞ୍ଜର ଜୋନ୍‌

ରେଙ୍ଗାଲି: ସମ୍ବଲପୁରରୁ ରାଉରକେଲାକୁ ସଂଯୋଗ କରୁଥିବା ୧୦ ନମ୍ବର ରାଜ୍ୟ ରାଜପଥ(ବିଜୁ ଏକ୍ସପ୍ରେସ ୱେ)ର ଲପଙ୍ଗା ସାତଗଛିଆରୁ ଠେଲକୋଲୋଇ ପର୍ଯ୍ୟନ୍ତ ରାସ୍ତା ଯାତ୍ରୀମାନଙ୍କ ପାଇଁ ଡେଞ୍ଜର୍‌ ଜୋନ୍‌ ପାଲଟି ଯାଇଛି । ରାଜ୍ୟର ଅନ୍ୟତମ ବ୍ୟସ୍ତ ବହୁଳ ସଡକ କୁହାଯାଉଥିବା ଏହି ରାସ୍ତାରେ ନିୟମିତ ବ୍ୟବଧାନରେ ଛୋଟବଡ ସଡକ ଦୁର୍ଘଟଣା ଘଟି ଲୋକେ ମୃତାହତ ହେଉଥିଲେ ମଧ୍ୟ ପ୍ରଶାସନ କିମ୍ବା ପରିବହନ ବିଭାଗ ଦୁର୍ଘଟଣାର ସ୍ଥାୟୀ ନିରାକରଣ ଦିଗରେ କୌଣସି ଫଳପ୍ରସୂ ପ୍ରତିକାର କରୁନାହାନ୍ତି । ଗତ ୧୧ ତାରିଖ ଦିନ ସକାଳୁ ଖିଣ୍ଡା ଛକରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣା ଏହାର ସଦ୍ୟତମ ଉଦାହରଣ। ଦୁର୍ଘଟଣାରେ ଜଣେ ବସ୍‌ ଯାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଥିଲେ । ସେଥିମଧ୍ୟରୁ ଏବେ ମଧ୍ୟ ୬ଜଣ ଭିମସାରରେ ଚିକିତ୍ସିତ ହୋଇ ଜୀବନ ପାଇଁ ସଂଗ୍ରାମ କରୁଛନ୍ତି । ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚେତାଶୂନ୍ୟ ଥିବା ନେହା ଦୁବେ(୧୭) ନାମକ ଜନୈକ କଲେଜ ଛାତ୍ରୀ ବରଗଡ଼ର ଏକ ଘରୋଇ ଡାକ୍ତରଖାନା ଚିକିତ୍ସିତ ହେଉଛନ୍ତି । ଏପର୍ଯ୍ୟନ୍ତ ଚେତା ଫେରି ପାଇ ନଥିବା ନେହାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ସୂଚନା ମିଳିଛି ।

ଏହାପୂର୍ବରୁ ଗତ ଅକ୍ଟୋବର ୧୦ ତାରିଖ ଦିନ ଏଜ କୋଇଲା ବୋଝେଇ ଟ୍ରକ୍‌ ଚାପାରେ ଜନୈକ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ହୋଇଥିଲା । ଏହାବ୍ୟତୀତ ଆହୁରି ଅନେକ ଛୋଟବଡ ଦୁର୍ଘଟଣା ଘଟି ଲୋକେ ଆହତ ହୋଇ ଭିନ୍ନକ୍ଷମ ହେଉଥିବାର ନଜିର ରହିଛି । ସାତଗଛିଆରୁ ଠେଲକୋଲୋଇ ପାଖରେ ଥିବା ସିଟିଆର ରୋଡ୍‌ ପର୍ଯ୍ୟନ୍ତ କୋଇଲା ପରିବହନକାରୀ ଟ୍ରକମାନଙ୍କର ବେଆଇନ ପାର୍କିଂ ଯୋଗୁଁ ରାସ୍ତା ସଙ୍କୁଚିତ ହୋଇପଡୁଛି । ଏହାବ୍ୟତୀତ ଏ ଅଞ୍ଚଳରେ ଥିବା କଳକାରଖାନା ଓ ଖଣି ଖଦାନରୁ ନିର୍ଗତ ଧୂଆଁ, ଧୁଳି, କୋଇଲା ଗୁଣ୍ଡ ଉଡି ଆକାଶରେ ପ୍ରଦୂଷଣର କଳାବାଦଲ ଢାଙ୍କି ରହୁଥିବାରୁ ସକାଳ ଏବଂ ସନ୍ଧ୍ୟାରେ କୃତ୍ରିମ ଅନ୍ଧକାର ସୃଷ୍ଟି ହେବା ଦୁର୍ଘଟଣାର ଏକ ପ୍ରମୁଖ କାରଣ ବୋଲି ସଚେତନ ନାଗରିକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି । ରାସ୍ତା ପାର୍ଶ୍ବରେ ବେଆଇନ୍‌ ପାର୍କିଂ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଖିଣ୍ଡା ଅଞ୍ଚଳର ବିଭିନ୍ନ ସଙ୍ଗଠନ ଏବଂ ଜନପ୍ରତିନିଧି ଜିଲ୍ଲାପାଳଙ୍କୁ ବାରମ୍ବାର ଲିଖିତ ଦାବି କରିବା ସହିତ ଏସଂକ୍ରାନ୍ତ୍‌ରେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରି ଆସୁଥିଲେ ହେଁ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି । ପ୍ରଶାସନର ଚରମ ନିଷ୍କ୍ରିୟତା ଯୋଗୁଁ ଏହି ସାତଗଛିଆରୁ ଠେଲକୋଲଇ ଯାତ୍ରୀମାନଙ୍କ ପାଇଁ ଡେଞ୍ଜର ଜୋନ୍‌ ତଥା ମରଣଯନ୍ତା ସାଜିଛି ବୋଲି ଅସନ୍ତୁଷ୍ଟ ଜନସାଧାରଣରେ ମତପ୍ରକାଶ ପାଉଛି । ଅଞ୍ଚଳର ଜଳ ଜମି ଜଙ୍ଗଲ ହାତେଇ ନେଇ ଅଜସ୍ର ମୁନାଫା କରୁଥିବା କଳ କାରଖାନା, ଖଣି ଖାଦାନ କର୍ତ୍ତୃପକ୍ଷ ନିଜସ୍ୱ ପାର୍କିଂ ଜୋନ୍‌ ନିର୍ମାଣ କରିବାର ନିୟମ ରହିଛି । କିନ୍ତୁ ଏହି ନିୟମକୁ ଆଖିଠାର ମାରି ସଂପୃକ୍ତ ଶିଳ୍ପାନୁଷ୍ଠାନକୁ ଆସୁଥିବା ଭାରି ଯାନଗୁଡିକ ରାଜ୍ୟ ରାଜପଥକୁ ପାର୍କିଂ ଜୋନ୍‌ ରୂପେ ବ୍ୟବହାର କରୁଥିଲେ ମଧ୍ୟ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ପ୍ରଶ୍ନ ହେଉଛି । ଅକାଶରେ ପ୍ରଦୂଷିତ ଧୂଳି, ଧୁଆଁରେ କୃତ୍ରିମ କଳାବାଦଲ ଏବଂ ରାସ୍ତାକଡରେ ବେଆଇନ ପାର୍କିଂ ଏ ଅଞ୍ଚଳରେ ଦୁର୍ଘଟଣାକୁ ହାତ ଠାରି ଆମନ୍ତ୍ରଣ କରୁଛି । ଯାତ୍ରୀମାନଙ୍କ ସୁରକ୍ଷା ତଥା ଜୀବନ ରକ୍ଷା ପାଇଁ ଏହାର ଫଳପ୍ରସୂ ନିରାକରଣ ଅତି ଜରୁରୀ ହୋଇ ପଡିଛି । ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଗୁରୁତ୍ୱ ଦେବାକୁ ଦାବି ହେଉଛି ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories