ରେଙ୍ଗାଲି: ସମ୍ବଲପୁର ଜିଲାର ଲଇଡା ଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଉ ନଥିବା ଏବଂ ରୋଗୀମାନଙ୍କ ପ୍ରତି କେତେଜଣ ଡାକ୍ତର ଙ୍କ ବ୍ୟବହାର ତଥା ଡାକ୍ତର ଅନୁପସ୍ଥିତ ରହିବା ଆଦି ବିଭିନ୍ନ ସମସ୍ୟାକୁ କେନ୍ଦ୍ର କରି ଜନ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆଜି ଜିଲା ପରିଷଦ ସଭ୍ୟ ଦେନାରାୟଣ ତିଓାରୀଙ୍କ ନେତୃତ୍ୱରେ ଅସନ୍ତୁଷ୍ଟ ଜନସାଧାରଣ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଘେରାଉ କରି ଆନ୍ଦୋଳନ କରିଥିଲେ। ଡାକ୍ତରଖାନାରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡା.ଆଶିଷ ମାଝିି ଏବଂ ଅନ୍ୟ ଡାକ୍ତରଙ୍କ ସହିତ ଯୁକ୍ତିତର୍କ ହୋଇ ଏହାର ପ୍ରତିକାର କିମ୍ବା କାର୍ଯ୍ୟାନୁଷ୍ଠାନ କାହିଁକି କରାଯାଉ ନାହିଁ ବୋଲି ଜିଲା ପରିଷଦ ସଭ୍ୟ ଶ୍ରୀ ତିଓାରୀ ପ୍ରଶ୍ନ କରିଥିଲେ।
ଅଭିଯୋଗ ଅନୁଯାୟୀ ଏହି ଡାକ୍ତରଖନାରେ ୪ଜଣ ଡାକ୍ତର ଅବସ୍ଥାପିତ ଅଛନ୍ତି। କିନ୍ତୁ ନୁଅାଁଖାଇରେ ଜଣେ ଫର୍ମାସିଷ୍ଟ ଡାକ୍ତର ଦାୟିତ୍ୱରେ ଥିଲେ। ଫଳରେ ଉକ୍ତଦିନ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସା ଆସିଥିବା ରୋଗୀ ଉପଯୁକ୍ତ ଡାକ୍ତର ଅଭାବରୁ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହୋଇ ଘୋର ଅସୁବିଧାର ସମ୍ମୁଖିନ ହୋଇଥିଲେ। ଡାକ୍ତରଖାନାରେ କାର୍ଯ୍ୟରତ କେତେଜଣ ଡାକ୍ତର ରୋଗୀମାନଙ୍କୁ ଦୁର୍ବବ୍ୟବହାର ପ୍ରଦର୍ଶନ କରୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ଏସଂକ୍ରାନ୍ତରେ ପୁର୍ବରୁ ଅଭିଯୋଗ ହୋଇଥିଲେ ମଧ୍ୟ ସଂପୃକ୍ତ ଡାକ୍ତର ମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ଅନ୍ଦୋଳନକାରୀମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଡାକ୍ତରଖାନାକୁ ଆସୁଥିବା ଅନେକ ରୋଗୀଙ୍କୁ ଠିକ୍ ଭାବରେ ଯାଞ୍ଚ ନକରି ସମ୍ବଲପୁର, ବୁର୍ଲା, କୁଚିଣ୍ଡା ଡାକ୍ତରଖନାକୁ ରେଫର୍ କରି କାହିିଁକ ପଠାଇ ଦିଆଯାଇଛି ବୋଲି ଆନ୍ଦୋଳକାରୀମାନେ ପ୍ରଶ୍ନ କରିଥିଲେ।
ରୋଗୀ କଲ୍ୟାଣ ସମିତି ଠିକ୍ ଭାବରେ କାର୍ଯ୍ୟ କରୁନଥିବାରୁ ସମିତିର ସଭ୍ୟା ମାନେ ଇସ୍ତାଫା ଦିଅନ୍ତୁ ଏବଂ ନୂତନ ରୋଗୀ କଲ୍ୟାଣ ସମିତି ଗଠନ କରଯାଉ ବୋଲି ଜିଲା ପରିଷଦ ସଭ୍ୟ ଶ୍ରୀ ତିଓାରୀ ଦାବୀ କରିଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡା.ମାଝି ହେଡକ୍ୱାର୍ଟରରେ ରହୁ ନଥିବା ତଥା ଡାକ୍ତରଖାନାରେ ଦେଖାଦେଇଥିବା ସମସ୍ୟାର ସମଧାନ କରିବାରେ ବିଫଳ ହୋଇ ଥିବାରୁ ବଦଳି ପାଇଁ ଦାବୀ ହୋଇଥିଲା। ରୋଗୀ କଲ୍ୟାଣ ସମିତି ପୁର୍ନଗଠନ ଦାବୀ ହେବାରୁ ସେଠାରେ ଉପସ୍ଥିତି ଥିବା ରୋଗୀ କଲ୍ୟାଣ ସମିତି ସଭ୍ୟ ହରିହର ନାଥ ସମିତି ର ସଦସ୍ୟ ପଦରୁ ଇସ୍ତାଫା ଦେଇଥିଲେ। ଆନ୍ଦୋଳନ ଏବଂ ଆଲୋଚନାରେ ଜିଲା ପରିଷଦ ସଭ୍ୟଙ୍କ ସହିତ ପିଣ୍ଟୁ ସାହୁ, ଅବନୀରଞ୍ଜନ କର, ବଣ୍ଟି ସାହୁ, ନିର୍ମଳ ସାହୁ, ତପନ ବେହେରା, ପରକ୍ଷିତ ସିଂହ, ନମିତା ପଟେଲ, ମଞ୍ଜରୀ ତିଓାରୀ, ଜ୍ୟୋତି ତିଓାରୀ ପ୍ରମୁଖ ବହୁ ସଂଖ୍ୟକ ସଦସ୍ୟ ଅଂଶ ଗ୍ରହଣ କରିଥିଲେ।
ଜିଲାପାଳ କିମ୍ବା ସିଡିଏମଓ ଏଠାକୁ ଆସି ସମସ୍ୟାର ସମାଧାନର ବ୍ୟବସ୍ଥା ନକରିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନାକାରୀ ମାନେ ଜିଦ୍ ଧରି ବସି ଥିଲେ। ତେବେ ଆସନ୍ତା କାଳି ଶନିବାର ଦିନ ସିଡିଏମ୍ଓ ଲଇଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଲାପରେ ଦିନ ପ୍ରାୟ ୧ଟା୩୦ ରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିବାର ଜଣାପଡିଛି।



