ଗତବର୍ଷ ଶେଷଦିନ ପର୍ଯ୍ୟନ୍ତ ଅନିର୍ଦିଷ୍ଟ ଥିଲା ଯେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଗଡିବ ନା ନାହିଁ। ପ୍ରଭୁଙ୍କ ଇଚ୍ଛା ଏବଂ ଭକ୍ତଙ୍କ ଅଭିଳାଷ ବଳବତ୍ତର ରହିଲା। ସବୁ ନୀତିକାନ୍ତି ସହ ବଡ ଦାଣ୍ଡେ ବିନା ଭକ୍ତରେ ସରକାରୀ ଅଧିକାରୀ ଏବଂ ସେବାୟତଙ୍କ ସହଯୋଗରେ ଅତି ସୁନ୍ଦର ଏବଂ ସୁଚାରୁରୂପେ ରଥଯାତ୍ରା ଅନୁଷ୍ଠିତ ହେଲା। ଅନେକଙ୍କ ଦୃଷ୍ଟିରେ ଏହା ଏକ ଅନନ୍ୟ ରଥ ଯାତ୍ରା। ଏହି ବର୍ଷ ମଧ୍ୟ ସେପରି ହେବାର ଆଶା ସମସ୍ତଙ୍କ ଅଛି। ମହାପ୍ରଭୁଙ୍କ କୃପା ପୁଣି ଥରେ ବରଷିବ ଏବଂ ତିନି ରଥ ନିଜ ନିଜ ପ୍ରଭୁଙ୍କୁ ଧରି ଗୁଣ୍ଡିଚା ଅଭିମୁଖୀ ହେବେ।
କୋଭିଡ୍ ମହାମାରୀ ସମୟରେ ଲୋକେ ଇଲେକ୍ଟ୍ରୋନିକ୍ସ (ଇ) -ପ୍ରଣାଳୀକୁ ଆବୋରିଛନ୍ତି, ଯଥା ଇ-ଶିକ୍ଷା , ଇ-ସ୍ୱାସ୍ଥ୍ୟ ,ଇ-ବ୍ୟାଙ୍କିଙ୍ଗ, ଇ -ସମ୍ମିଳନୀ , ଇ-ବାଣିଜ୍ୟ ଇତ୍ୟାଦି। ସେହି ଦୃଷ୍ଟିରେ ଏହି ବର୍ଷ ମଧ୍ୟ ଲୋକେ ବିଭିନ୍ନ ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ, ଯଥା ରେଡିଓ , ଟେଲିଭିଜନ, କମ୍ପ୍ୟୁଟର ,ଲାପଟପ ,ଟାବଲେଟ ଏବଂ ସର୍ବ-ବିରାଜିତ ଏବଂ ସର୍ବ-ଗୁଣ ସମ୍ପନ୍ନ ମୋବାଇଲ ଦ୍ୱାରା ମହାପ୍ରଭୁଙ୍କ ରଥଯାତ୍ରା ଅବଲୋକନ କରିବେ।
ଆମେ ଭଗବାନଙ୍କ ନିକଟରେ ସତତ ପ୍ରାର୍ଥନାରତ ଯେ ସେ ଆମର ଦୁଃଖ ମୋଚନ କରନ୍ତୁ ଏବଂ ଅନେକ ବିପଦରୁ ରକ୍ଷା କରନ୍ତୁ। କିନ୍ତୁ ଗତ ପ୍ରାୟ ଦେଢ଼ ବର୍ଷ ଧରି ଆମେ କୋଭିଡ୍ ମହାମାରୀ ପ୍ରକୋପରୁ ନିଜକୁ ଏବଂ ଭଗବାନଙ୍କୁ ରକ୍ଷା କରୁଛେ ସାମାଜିକ ଦୂରତ୍ୱ ଏବଂ ଅନ୍ୟାନ୍ୟ କୋଭିଡ୍ ନିର୍ଦେଶାବଳୀ ଅନୁସାରେ। ପଦାର୍ଥ ବିଜ୍ଞାନରେ ଗୋଟିଏ ନିୟମ ଅଛି। ଗୋଟିଏ କଣିକାକୁ ଆମେ ବାନ୍ଧି ରଖିବା ପାଇଁ ଯେତିକି ଚେଷ୍ଟା କରିବା, ସେ ମୁକ୍ତ ହେବା ପାଇଁ ସେତିକି ଚେଷ୍ଟା କରିବ। ଏହା ମନୁଷ୍ୟ ଏବଂ ଭଗବାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ମନେହେଉଛି । ଆମେ ଭଗବାନଙ୍କୁ ତାଙ୍କ ଶ୍ରୀମନ୍ଦିରେ ଯେତିକି ବାନ୍ଧି ରଖିବାକୁ ଚାହୁଁଛୁ, ସେ ତାହାଠାରୁ ଅଧିକ ଉତ୍ସାହରେ ଭକ୍ତଙ୍କୁ ଭେଟିବାକୁ ଶ୍ରୀମନ୍ଦିରରୁ ବାହାରକୁ ଆସିବାକୁ ଚାହୁଁଛନ୍ତି। ଭାଇଦ୍ୱୟ ଏବଂ ଭଉଣୀଙ୍କ ଉତ୍ସାହ ପ୍ରବଳ, ଏବଂ ତାଙ୍କୁ କିଏ ବାନ୍ଧି ରଖି ପାରିବ ? ସେମାନେ ଆସିବେ ଏବଂ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ସହ ମିଶିବେ। ଏହାହିଁ ଜଗନ୍ନାଥ ମହିମା। ଏହି ମହିମା ପ୍ରେମମୟ।
ଆମେ ପୁରାଣରେ ପଡ଼ିଛେ ଯେ ଶ୍ରୀକୃଷ୍ଣ , ଯାହାଙ୍କ ସତ୍ତାର ସ୍ୱରୂପ ହେଉଛନ୍ତି ଶ୍ରୀଜଗନ୍ନାଥ, ବନ୍ଦୀଶାଳାରେ ଜନ୍ମ ଗ୍ରହଣ କରିଥିଲେ। କିନ୍ତୁ ସେ ଜନ୍ମ ହେବା ମାତ୍ରେ ବନ୍ଦୀଶାଳାର ଦ୍ୱାର ଆପେ ଆପେ ଖୋଲି ଯାଇଥିଲା ଏବଂ ତାଙ୍କ ପିତା ବସୁଦେବ ତାଙ୍କୁ ନିରାପଦ ନନ୍ଦାଳୟକୁ ନେଇ ଯାଇ ଥିଲେ। ଯିଏ ସମସ୍ତଙ୍କୁ ବନ୍ଧନ ମୁକ୍ତ କରୁଛନ୍ତି , ତାଙ୍କୁ କିଏ ଅବା ବାନ୍ଧି ପାରିବ ?
ଯେତେବେଳେ ଭଗବାନ ଦେବକୀଙ୍କ ଗର୍ଭରେ ଥିଲେ, ସ୍ୱର୍ଗରୁ ଦେବତାମାନେ ଆସି ତାଙ୍କୁ ପ୍ରାର୍ଥନା କରିଥିଲେ, “ଆମେ ସେହି ପରମାତ୍ମାଙ୍କ ପ୍ରାର୍ଥନା କରୁଛୁ ଯିଏ ସତ୍ୟସନ୍ଧ, ସମସ୍ତ ଆପେକ୍ଷିକ ସତ୍ୟପରେ ପରମସତ୍ୟ, ତ୍ରିସତ୍ୟ- ସୃଷ୍ଟି ସ୍ଥିତି ଏବଂ ବିଲୟ- ର ଆଧାର, ସମସ୍ତ ସତ୍ୟର ଉତ୍ସ, ସର୍ବ-ଜଗତ ଯାହା ସତ୍ୟରୂପ, ସତ୍ୟାମୃତ, ସତ୍ୟଦୃଷ୍ଟି ଏବଂ ସତ୍ୟାବତାର। ସେହି ସତ୍ୟରୂପୀ ଅଚିନ୍ତନୀୟ ଜଗନ୍ନାଥ କେମିତି ଲୁଚି ରହିବେ ?
କିଛି ଭକ୍ତି ଦ୍ୱାରା, କିଛି ଜ୍ଞାନ ଦ୍ୱାରା ଏବଂ ଅନ୍ୟ କିଛି କର୍ମ ଦ୍ୱାରା ତାଙ୍କୁ ଜାଣିବାକୁ ଚେଷ୍ଟା କରନ୍ତି। ମାର୍ଗ ଭିନ୍ନଭିନ୍ନ , କିନ୍ତୁ ଲକ୍ଷ ଏକ। ସେହି ପରମ ସତ୍ତାକୁ ଅନୁଭବ କରିବା, ସେହି ଅଚିନ୍ତ୍ୟ ରୂପକୁ ରୂପ ଦେବା ଏବଂ ସେହି ପରମାତ୍ମାଙ୍କ ନିକଟରେ ପୂର୍ଣ୍ଣ ସମର୍ପଣ ମାଧ୍ୟମରେ ଦିବ୍ୟ ଚେତନା ଏବଂ ଆନନ୍ଦ ଲାଭ କରିବା, ଏହାହିଁ ଜୀବନର ଅନ୍ତିମ ସତ୍ୟ। ଭଗବଦ ଗୀତାରେ କୁହା ଯାଇଛି, ଯିଏ ଯୋଉ ମାର୍ଗ ଅନୁସରଣ କରିବ, ସିଏ ସେହି ମାର୍ଗରେ ହିଁ ତାଙ୍କୁ ପାଇବ। ସୁତରାଂ ମାର୍ଗ ପାଇଁ ଏତେ ବାଦ ବିବାଦ କାହିଁକି ?
ଭଗବାନଙ୍କୁ ଆମେ ଅସୀମ ବୋଲି ଭାବୁ। ଜଗନ୍ନାଥ ହେଉଛନ୍ତି ଜଗତର ନାଥ। ଜଣେ ସାଧାରଣ ବ୍ୟକ୍ତିଙ୍କ ପାଇଁ ଜଗତ ଅସୀମତାର ପ୍ରତୀକ। ଅର୍ଜୁନ ଯେତେବେଳେ ଶ୍ରୀକୃଷ୍ଣଙ୍କ ବିଶ୍ବରୂପ ଦେଖିଲେ, ସେ ପ୍ରାର୍ଥନା କଲେ , “ ପୃଥିବୀ ଏବଂ ସ୍ୱର୍ଗ ଏବଂ ଚଉଦିଗରେ ଆପଣ ହିଁ ଭରି ରହିଛନ୍ତି। ସମସ୍ତଙ୍କ ଭିତରେ ଆପଣ ହିଁ ଅଛନ୍ତି। ଆପଣ ହିଁ ସାକ୍ଷୀ, ଅନୁମୋଦନକାରୀ , ଭରସା, ଦିବ୍ୟଭୋଗୀ, ନିର୍ଣ୍ଣାୟକ ନିୟନ୍ତ୍ରଣକାରୀ ଏବଂ ପରମାତ୍ମା। ମୁଁ ଆପଣଙ୍କ ଆଦି ଅନ୍ତ ଦେଖିପାରୁନାହିଁ। ଅଥଚ ମୁଁ ଆପଣଙ୍କୁ ସୀମିତ ଭାବେ ଦେଖୁଛି । ଆପଣଙ୍କଠାରୁ ଅଧିକ ରହସ୍ୟମୟ କେହି ନୁହନ୍ତି”। ଜଗନ୍ନାଥଙ୍କ ଅସମ୍ପୂର୍ଣ୍ଣ ସୀମିତ ରୂପ ପ୍ରକୃତରେ ଅସୀମତାର ଆଭାସ ଦିଏ।
ଜଗନ୍ନାଥଙ୍କ ଏକ ପ୍ରେମମୟ ରୂପ ଅଛି। ଏହାଦ୍ୱାରା ଜଗତ ତାଙ୍କ ପାଖରେ ବାନ୍ଧି ହୋଇ ରହିଛି। ଭକ୍ତର ସଂଗୀତ ଭରା ପ୍ରାର୍ଥନାରେ ସେ ମୁଗ୍ଧ ହୁଅନ୍ତି। କିଏ କିଏ ତାଙ୍କର ସୁନ୍ଦର ଚକାଡୋଳାକୁ ବର୍ଣ୍ଣନା କରନ୍ତି , ଆଉ କିଏ ତାଙ୍କର କଳାବର୍ଣ୍ଣର ବିଶେଷ ବଖାଣନ୍ତି , ଅନ୍ୟ କିଏ ଲଲାଟର କସ୍ତୂରୀ ତିଳକର ସୌନ୍ଦର୍ଯ୍ୟ ଦ୍ୱାରା ହର୍ଷିତ ହୁଅନ୍ତି ତ ଅନ୍ୟ କେହି ନାସାଗ୍ରେ ରହିଥବା ମୁକ୍ତା ଦ୍ୱାରା ପ୍ରଭାବିତ ହୁଅନ୍ତି। ବକ୍ଷର କୌସ୍ତୁଭମଣି ଦ୍ୱାରା ଅନ୍ୟ କେତେ ମୁଗ୍ଧ ହୁଅନ୍ତି। ବହୁତ ଭକ୍ତ ତାଙ୍କୁ ଗୋପିକାମାନଙ୍କ ଦ୍ୱାରା ପରିବେଷ୍ଟିତ ମୁରଲୀ ମନୋହର ଭାବେ ଦେଖନ୍ତି।
ବଡ଼ଦାଣ୍ଡେ ଦର୍ଶନ ଅଥବା ଇଲେକ୍ଟ୍ରୋନିକ ଦର୍ଶନ କିମ୍ବା ମାନସିକ ଦର୍ଶନ, ସମସ୍ତ ଦର୍ଶନରେ ଭକ୍ତି ହିଁ ମୂଳ। ଭକ୍ତର ଗହଳି ବିହୁନେ ସମସ୍ତ ଦୃଷ୍ଟି କେବଳ ସେହି ଦିବ୍ୟ ସ୍ୱରୂପରେ ଆବଦ୍ଧ ରହେ। ସେ ଅନ୍ତ୍ରର୍ଯ୍ୟାମୀ, ତେଣୁ ତାଙ୍କୁ କିଛି ଅଜଣା ନାହିଁ। ସୁତରାଂ ଯୋଉଦିନ ସେ ଯୋଉ ଭାବରେ ଦେଖାଦେବେ ତାହା ତାଙ୍କ ଇଚ୍ଛା ଏବଂ ଏହା ଆମପାଇଁ ଗ୍ରହଣୀୟ ଏବଂ ସ୍ବୀକାର୍ଯ୍ୟ । ନନ୍ଦିଘୋଷ ଗଡୁଥାଉ। ଜୟ ଜଗନ୍ନାଥ ।
ଡ. ଗୌରୀ ଶଙ୍କର ତ୍ରିପାଠୀ
ଅବସରପ୍ରାପ୍ତ ପ୍ରଫେସର , ପଦାର୍ଥ ବିଜ୍ଞାନ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ । ମୋବାଇଲ: ୭୩୭୭୧ ୫୯୫୦୫



