ରଣପୁରଗଡ଼: ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳରେ କୁକୁଡ଼ା ମଡ଼କ ଦେଖିବାକୁ ମିଳିଛି। ଗୁରୁବାର ରଣପୁର ମହାବିଦ୍ୟାଳୟ ପଛପଟ ଜଙ୍ଗଲରେ ୨୦୦ ଶହରୁ ଊର୍ଦ୍ଧ୍ବ ମୃତ କୁକୁଡ଼ା ପଡ଼ିଥିବା ନେଇ ନୟାଗଡ଼ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସା ଅଧିକାରୀ ବସନ୍ତ କୁମାର ବେହେରା ଖବର ପାଇଥିଲେ। ସଙ୍ଗେ ସଙ୍ଗେ ଜିଲ୍ଲା ପ୍ରାଣୀ ରୋଗ ନିରୁପଣ ଡାକ୍ତର ଶାଶ୍ୱତୀ ଅନିନ୍ଦିତାଙ୍କୁ ଘଟଣା ସ୍ଥଳକୁ ପଠାଇଥିଲେ। ରଣପୁର ବ୍ଳକ ପ୍ରାଣୀଧନ ଅଧିକାରୀ ଡ. ଚିନ୍ମୟ ଶ୍ରୀଚନ୍ଦନ ସାହୁ ଓ ରଣପୁର ପ୍ରାଣୀଧନ ଚିକିତ୍ସକ ହରେଶ କୁମାର ଦଳେଇ ମଧ୍ୟ ସାଙ୍ଗରେ ଯାଇଥିଲେ। ଦୁଇଟି ମୃତ କୁକୁଡ଼ାଙ୍କ ବ୍ୟବଚ୍ଛେଦ କରିବାସହ ସମସ୍ତ ମୃତ କୁକୁଡ଼ାଙ୍କୁ ଜେସିବି ମେସିନରେ ଗାତ ଖୋଳି ମାଟିତଳେ ବ୍ଲିଚିଂ ଆଦି ପକାଇ ପୋତି ଦେଇଥିବା ଜଣାପଡ଼ିଛି। ବ୍ଲକ ପ୍ରାଣୀଧନ ଅଧିକାରୀ ଶ୍ରୀଚନ୍ଦନ ସାହୁ କହିଛନ୍ତି, ଫାର୍ମ ମାଲିକମାନେ ମୃତ କୁକୁଡ଼ାମାନଙ୍କୁ ଏଣେ ତେଣେ ଫିଙ୍ଗନ୍ତୁ ନାହିଁ। କିଏ କେଉଁ ପରିସ୍ଥିତିରେ ଏତେ ମୃତ କୁକୁଡ଼ା ଫିଙ୍ଗିଛି, ତାହା ଜଣାପଡ଼ିନାହିଁ। ଆଖ ପାଖ ସମସ୍ତ ଫାର୍ମକୁ ସଚେତନ କରାଯାଇଛି।
Popular Categories



