www.samajalive.in
Tuesday, December 9, 2025
17.1 C
Bhubaneswar

ଭାରତର ଦମଦାର ବିଜୟ ; ଓ୍ଵେଷ୍ଟଇଣ୍ଡିଜ ଏକ ଇନିଂସ ୨୭୨ ରନରେ ପରାସ୍ତ

ରାଜକୋଟ : ଆଶା ଅନୁସାରେ ୱେଷ୍ଟଇଣ୍ଡିଜ୍‍ ଦଳ ଘରୋଇ ଭାରତ ନିକଟରେ ଆତ୍ମସମର୍ପଣ କରିଛି। ପ୍ରଥମ ଟେଷ୍ଟର ୩ୟ ଦିନରେ ମ୍ୟାଚ୍‍ ସମାପ୍ତ ହୋଇଥିବା ବେଳେ ଭାରତ ଏହାକୁ ଇନିଂସ ଓ ୨୭୨ ରନ୍‍ରେ ଜିତିନେଇଛି। ଭାରତର ଏହା ସର୍ବବୃହତ୍‍ ଟେଷ୍ଟ ବିଜୟ। ଚଳିତବର୍ଷ ପ୍ରାରମ୍ଭରେ ବାଙ୍ଗାଲୋରରେ ଆଫ୍‍ଗାନିସ୍ତାନକୁ ଇନିଂସ ଓ ୨୬୨ ରନ୍‍ରେ ଭାରତ ପରାସ୍ତ କରିଥିଲା। ଭାରତୀୟ ସ୍ପିନରଙ୍କ ବିପକ୍ଷରେ ୱେଷ୍ଟଇଣ୍ଡିଜ୍‍ର ବ୍ୟାଟ୍‍ସମ୍ୟାନ୍‍ ମେରୁଦଣ୍ଡହୀନ ପ୍ରଦର୍ଶନ କରିଛନ୍ତି। ଉଭୟ ଇନିଂସକୁ ମିଶାଇ ୱେଷ୍ଟଇଣ୍ଡିଜ୍‍ ଏହି ମ୍ୟାଚ୍‍ରେ ୧୦୦ ଓଭର ମଧ୍ୟ ବ୍ୟାଟିଂ କରି ପାରିନାହିଁ। ଶନିବାର ୩ୟ ଦିନ ଭୋଜନ ବିରତି ପୂର୍ବରୁ ଇଣ୍ଡିଜ୍‍ ପ୍ରଥମ ଇନିଂସରେ ୧୮୧ ରନ୍‍କରି ଅଲ୍‍ଆଉଟ ହେବା ପରେ ଏହାକୁ ଭାରତ ୨ୟ ଇନିଂସରେ ଫଲୋଅନ୍‍ର ନିର୍ଦେଶ ଦେବା ପରେ ମଧ୍ୟ ବ୍ୟାଟିଂରେ କୌଣସି ଉନ୍ନତି ହୋଇନଥିଲା। ଚା’ପାନ ବିରତି ପରେ ୨ୟ ଇନିଂସରେ ୱେଷ୍ଟଇଣ୍ଡିଜ୍‍ରେ ୧୯୬ ରନ୍‍ରେ ଅଲ୍‍ଆଉଟ ହୋଇ ଯାଇଥିଲା। ୱେଷ୍ଟଇଣ୍ଡିଜ୍‍ର ଏହା ୨ୟ ସର୍ବବୃହତ୍‍ ଟେଷ୍ଟ ପରାଜୟ। ୨ୟ ଇନିଂସରେ କୁଲଦୀପ ଯାଦବ ୫ଟି ୱିକେଟ ନେଇ ଇଣ୍ଡିଜ୍‍ର ବ୍ୟାଟିଂକୁ ଧ୍ୱସ୍ତ କରିଥିଲେ। ଏହି ବିଜୟ ସହ ଘରୋଇ ଭାରତ ୨ ମ୍ୟାଚ୍‍ର ଟେଷ୍ଟ ସିରିଜ୍‍ରେ ଅପରାଜେୟ ୧-୦ରେ ଆଗୁଆ ହୋଇଛି। ହାଇଦରାବାଦରେ ୧୨ରୁ ୨ୟ ଟେଷ୍ଟମ୍ୟାଚ୍‍ ଖେଳାଯିବ।
ଭାରତର ପ୍ରଥମ ଇନିଂସ ସ୍କୋର ୯/୬୪୯ ଜବାବରେ ୨ୟ ଦିନ ଶେଷରେ ୱେଷ୍ଟଇଣ୍ଡିଜ୍‍ ୯୪ ରନ୍‍କରି ୬ଟି ୱିକେଟ ହରାଇଥିଲା। ରୋଷ୍ଟନ୍‍ ଚେଜ୍‍ ଓ କିମୋ ପଲ୍‍ ୭ମ ୱିକେଟ ପାଇଁ ୭୩ ରନ୍‍ ଯୋଗ କରିଥିଲେ। ଏହି ଯୋଡ଼ି ଭାଙ୍ଗିବା ସହ ୨୪ ରନ୍‍ରେ ଇଣ୍ଡିଜ୍‍ ଶେଷ ୪ଟି ୱିକେଟ ହରାଇ ଅଲ୍‍ଆଉଟ ହୋଇ ଯାଇଥିଲା। କିମୋ ପଲ୍‍ ୪୯ ବଲ୍‍ରୁ ୨ଟି ଛକା ଓ ୭ଟି ଚୌକା ସହ ୪୭ ରନ୍‍ କରିଥିବା ବେରେ ଚେଜ୍‍ ୭୯ ବଲ୍‍ରୁ ୮ଟି ଚୌକା ସହ ୫୩ ରନ୍‍ କରିଥିଲେ। ରବିଚନ୍ଦ୍ରନ ଅଶ୍ୱିନ ୪ଟି ଓ ମହମ୍ମଦ ସାମି ୨ଟି ୱିକେଟ ପାଇଥିଲେ।


୪୬୮ ରନ୍‍ ପଛରେ ରହିବା ପରେ ଫଲୋଅନ୍‍ ହୋଇ ୱେଷ୍ଟଇଣ୍ଡିଜ୍‍ ୨ୟ ଇନିଂସ ଆରମ୍ଭ କରିଥିଲା। ଅଧିନାୟକ କ୍ରେଗ୍‍ ବ୍ରାଥ୍‍ୱେଟ ୧୦ ରନ୍‍କରି ଆଉଟ ହୋଇଥିଲେ। ପରେ ସାଇ ହୋପ୍‍ ଓ ଓପ୍‍ନର କୈରନ୍‍ ପୱେଲ ସ୍କୋର୍‍କୁ ୭୯ ରନ୍‍ରେ ପହଞ୍ଚାଇଥିଲେ। ହୋପ୍‍ ୧୭ ରନ୍‍କରି ବିଦାୟ ନେଇଥିଲେ। ସିମ୍ରନ୍‍ ହେତ୍‍ମେୟର ୧୧ ଓ ସୁନୀଲ ଆମ୍ବ୍ରିସ୍‍ ବିନା ସ୍କୋର୍‍ରେ ଆଉଟ ହୋଇଥିଲେ। ଗୋଟିଏ ପଟେ କୈରନ୍‍ ପୱେଲ ଚମତ୍କାର ଷ୍ଟ୍ରୋକ୍‍ ଖେଳିବା ଜାରି ରଖିଥିବା ବେଳେ ଅନ୍ୟପଟୁ ୱିକେଟ ପଡ଼ି ଚାଲିଥିଲା। ରୋଷ୍ଟନ୍‍ ଚେଜ୍‍ ୨୦ ଓ କିମୋ ପଲ୍‍ ୧୫ ରନ୍‍ କରିଥିଲେ। କୈରନ୍‍ ପୱେଲ ୯୩ ବଲ୍‍ରୁ ୪ଟି ଛକା ଓ ୮ଟି ଚୌକା ସହ ୮୩ ରନ୍‍କରି ୬ଷ୍ଠ ବ୍ୟାଟ୍‍ସମ୍ୟାନ ଭାବେ ଆଉଟ ହୋଇଥିଲେ। ୬୧ ରନ୍‍ରେ ୱେଷ୍ଟଇଣ୍ଡିଜ୍‍ ଶେଷ ୬ଟି ୱିକେଟ ହରାଇଥିଲା। କୁଲଦୀପ ପ୍ରଥମଥର ପାଇଁ ଏକ ଇନିଂସରେ ୫ଟି ୱିକେଟ ନେଇଥିବା ବେଳେ ରବୀନ୍ଦ୍ର ଜାଡ଼େଜା ୩ଟି ଆର୍‍. ଅଶ୍ୱିନ ୨ଟି ୱିକେଟ ପାଇଥିଲେ। ଜୀବନର ପ୍ରଥମ ଟେଷ୍ଟରେ ଶତକ ମାରିଥିବା ପୃଥ୍ୱୀ ସ’ ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ।

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories