ନିର୍ବାଚନ ପୂର୍ବରୁ ରାଜସ୍ଥାନରେ ୯୫ଟଙ୍କାରେ ଜିଓ ଫୋନ୍‍

0

ନୂଆଦିଲ୍ଲୀ: ରାଜସ୍ଥାନ ସରକାର ବିପିଏଲ କାର୍ଡ଼ ଧାରୀଙ୍କୁ ମାତ୍ର ୯୫ଟଙ୍କାରେ ଜିଓ ଫୋନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ରାଜ୍ୟ ସରକାରଙ୍କ ଅନୁଯାୟୀ ୩୦ ସେପ୍ଟେମ୍ବର ସୁଦ୍ଧା ସମସ୍ତ ବିଧାନସଭା କ୍ଷେତ୍ରରେ ଏହି ଫୋନ ବଣ୍ଟନ କରାଯିବ। ଏହି ଫୋନ ପାଇଁ ଗ୍ରାହକଙ୍କୁ ୧ହଜାର ୯୫ଟଙ୍କା ଦେବାକୁ ପଡ଼ିବ। ତେବେ ଫୋନ କିଣିବା ପରେ ଗ୍ରାହକଙ୍କ ଖାତାରେ ୧ହଜାର ଟଙ୍କା ଫେରସ୍ତ ହୋଇଯିବ। ଅର୍ଥାତ୍‍ ମାତ୍ର ୯୫ଟଙ୍କା ବିନିମୟରେ ଗ୍ରାହକଙ୍କୁ ମିଳିବ ଜିଓ ଫୋନ୍‍। ଏହି ଫୋନରେ ୬ମାସର ଭେଲିଡିଟି ଦେବା ସହ ୧୨୮ଜିବି ଡାଟା ଓ ୫୦୦ଏସଏମଏସ ମଧ୍ୟ ମିଳିବ। ଏଭଳି ଫୋନକୁ କିଣିବା ପାଇଁ ରାଜସ୍ଥାନରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳୁଛି। ଫୋନ ଅଟଳ ସେବା କେନ୍ଦ୍ରରେ ବିକ୍ରି ହେଉଥିବାରୁ ଏଠାରେ ବେଶ୍‍ ଭିଡ଼ ପରିଲକ୍ଷିତ ହେଉଛି। ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ଡିଜିଟାଲ କ୍ରାନ୍ତିର ରୂପ ଦେଇ ପ୍ରଚାର କରାଯାଉଛି।
ଅପରପକ୍ଷରେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧୀ ତୀବ୍ର ନିନ୍ଦା କରୁଛନ୍ତି। ରାଜ୍ୟରେ ନିର୍ବାଚନର ବିଗୁଲ ବାଜି ଯାଇଥିବାବେଳେ ରାଜ୍ୟ ସରକାର ଏଭଳି ଲୋଭନୀୟ ଯୋଜନା ଦ୍ୱାରା ମତଦାତାଙ୍କୁ ପ୍ରଲୋଭିତ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ବିରୋଧୀ ପ୍ରକାଶ କରୁଛନ୍ତି। ବିଗତ ଦିନରେ ମଧ୍ୟ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ମୂଲ୍ୟକୁ ନିୟନ୍ତ୍ରଣ କରିବାକୁ ଭାଟକୁ ୪ପ୍ରତିଶତ କମ୍‍ କରିଛନ୍ତି। ଏହା ଦ୍ୱାରା ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ୨ଟଙ୍କା ୫୦ପଇସା କମ୍‍ ହେବାର ଆକଳନ କରାଯାଉଛି। ଏହା ଦ୍ୱାରା ରାଜ୍ୟରେ ପେଟ୍ରୋଲ ୩୦ରୁ କମି ୨୬ପ୍ରତିଶତ ଓ ଡିଜେଲ ୨୨ରୁ କମି ୧୮ ପ୍ରତିଶତ ଭାଟ ନିଆଯାଉଛି। ରାଜ୍ୟର ଜନତା ଓ କୃଷକ ସୁବିଧାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରଚାର କରାଯାଉଛି। ତେବେ ରାଜ୍ୟସ୍ଥାନ ରାଜ୍ୟ ସରକାରଙ୍କ ଏଭଳି ଯୋଜନା ବିରୋଧୀଙ୍କୁ ବେଶ୍‍ ଅଡ଼ୁଆରେ ପକାଇ ଦେଇଛି।

Leave A Reply