ରେଳ ଧାରଣା ରକ୍ଷଣାବେକ୍ଷଣ ଓ ସୁରକ୍ଷାକୁ ଗୁରୁତ୍ବ ଦିଅ
ସବୁ ମହାପ୍ରବନ୍ଧକଙ୍କୁ ରେଳ ପରିଷଦ ସଦସ୍ୟଙ୍କ ନିର୍ଦେଶ
ଭୁବନେଶ୍ବର : ରେଳ ଧାରଣାର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ବ ଦେବାକୁ ଭାରତୀୟ ରେଳ ବିଭାଗର ସମସ୍ତ ମହାପ୍ରବନ୍ଧକଙ୍କୁ ରେଳବାଇ ପରିଷଦ (ରେଲୱେ ବୋର୍ଡ) ଭିତ୍ତିଭୂମି ସଦସ୍ୟ ରୂପନାରାୟଣ ସୁନକର ଶୁକ୍ରବାର ଚିଠି ଲେଖିଛନ୍ତି। ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରେଳ ଧାରଣାର ରକ୍ଷଣାବେକ୍ଷଣ ଓ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବ। ଯେଉଁଠି ରକ୍ଷଣାବେକ୍ଷଣ କାମ ଚାଲିଛି ସେଠାରେ ପ୍ରତିଦିନ ତଦାରଖ କରାଯିବ। କେଉଁଠି ଅସୁବିଧା ରହିଛି ତାହା ଚିହ୍ନଟ କରିବା ସହ ଏହାର କେମିତି ସମାଧାନ ହୋଇପାରିବ ସେନେଇ କ୍ଷେତ୍ର କର୍ମଚାରୀଙ୍କୁ ସହଯୋଗ କରିବାକୁ ଚିଠିରେ ମହାପ୍ରବନ୍ଧକଙ୍କୁ ପରାମର୍ଶ ଦିଆଯାଇଛି। ଏହାସହ ଯେଉଁ କର୍ମଚାରୀ ରେଳ ଧାରଣାର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଅଛନ୍ତି ସେମାନେ କେବଳ ଏହି କାମ ଉପରେ ଅଧିକ ଗୁରୁତ୍ବ ଦେବେ। ମରାମତି ସରିବା ପରେ ରେଳ ଧାରଣାକୁ ଉପରିସ୍ଥ ଅଧିକାରୀ ଯାଞ୍ଚ କରିବେ। ଯେଉଁ ସ୍ଥାନରେ ରକ୍ଷଣାବେକ୍ଷଣ କାମ ଚାଲିଛି ସେଠାରେ ସମ୍ବଳ ପହଞ୍ଚାଇବା ପାଇଁ କ୍ଷେତ୍ରୀୟ ରେଳ ପ୍ରବନ୍ଧକ (ଡିଆର୍ଏମ୍)ଙ୍କୁ ନିର୍ଦେଶ ଦିଆଯାଇଛି। ରେଳ ଧାରଣା ରକ୍ଷଣାବେକ୍ଷଣ କାମ ଚାଲିଥିବାବେଳେ କର୍ମଚାରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଅଧିକାରୀ ଏବଂ କର୍ମଚାରୀଙ୍କୁ କୁହାଯାଇଛି। ବରିଷ୍ଠ ଅଧିକାରୀ କାମ ହେଉଥିବା ସ୍ଥଳ ପରିଦର୍ଶନ କରିବା ସହ କର୍ମଚାରୀଙ୍କୁ ସେଠାରେ ପରାମର୍ଶ ଦେବେ।
କେରଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଛୁଇଁଥିବାବେଳେ ଆଗାମୀ ୧୦ରୁ ୧୨ ଦିନ ମଧ୍ୟରେ ଓଡ଼ିଶାରେ ମୌସୁମୀ ପାଦ ଥାପିବା ସମ୍ଭାବନା ରହିଛି। ମୌସୁମୀକୁ ଦୃଷ୍ଟିରେ ରଖି ରେଳ ଧାରଣା ରକ୍ଷଣାବେକ୍ଷଣ ବ୍ୟବସ୍ଥା କଡ଼ାକଡି କରିବାକୁ କୁହାଯାଇଛି। ରେଳ ଧାରଣା ପାଖରେ ଥିବା ଗଛ, ପାଣି ଜମୁଥିବା ସ୍ଥାନ ଓ ବିପଦପୂର୍ଣ୍ଣ ସ୍ଥାନ ଉପରେ ଅଧିକ ଧ୍ୟାନ ଦିଆଯିବ। ରେଲୱେ ପାଇଁ ଗଚ୍ଛିତ ସାମଗ୍ରୀ ଟ୍ରାକ୍ଠାରୁ ଯେମିତି ସୁରକ୍ଷିତ ଭାବେ ଦୂରରେ ରହିବ ତାହା ନିଶ୍ଚିତ କରିବେ ଡିଆରଏମ୍। ଯଦି ରକ୍ଷଣାବେକ୍ଷଣ କାମ ପାଇଁ ରେଳ କର୍ମଚାରୀ ଅଭାବ ହୁଅନ୍ତି, ତେବେ ବାହାରୁ କର୍ମଚାରୀ ଆଣି ତୁରନ୍ତ କାମ କରାଯାଇ ପାରିବ। ରେଳ ଧାରଣାର ସମ୍ପୂର୍ଣ୍ଣ ରକ୍ଷଣାବେକ୍ଷଣ ଓ ସୁରକ୍ଷା ଦାୟିତ୍ବ ଡିଆରଏମ୍ଙ୍କ ତତ୍ତ୍ବାବଧାନରେ ରହିବ। ଆଗକୁ କୌଣସି ସମସ୍ୟା ଉପୁଜିଲେ ଡିଆରଏମ୍ ଉତ୍ତରଦାୟୀ ରହିବେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଶ୍ରୀ ସୁନକର। ସୂଚନାଯୋଗ୍ୟ, ବାଲେଶ୍ବର ଜିଲା ବାହାନଗାରେ ଘଟିଥିବା ଭୟାନକ କରମଣ୍ଡଳ ରେଳ ଦୁର୍ଘଟଣା ପରେ ବିଭାଗ ପକ୍ଷରୁ ରେଳ ଧାରଣା ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି।
Comments are closed.