ୱାଶିଂଟନ୍ : କର୍ଣ୍ଣାଟକରେ କଂଗ୍ରେସର ବିପୁଳ ବିଜୟ ପରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆତ୍ମବିଶ୍ବାସ ବୃଦ୍ଧି ପାଇଛି। ଏଇ କ୍ରମରେ ଆମେରିକା ଗସ୍ତରେ ଥିବା ରାହୁଲ ଗାନ୍ଧୀଙ୍କ ଗୋଟିଏ ପରେ ଗୋଟିଏ ବିସ୍ଫୋରକ ବୟାନ ସମଗ୍ର ଦେଶରେ ରାଜନୈତିକ ଚମକ ସୃଷ୍ଟି କରିଛି। ସେ କହିଛନ୍ତି ଯେ କଂଗ୍ରେସ ଆଗାମୀ ନିର୍ବାଚନରେ ଭଲ କରିବ ଏବଂ ଏହା ସମସ୍ତଙ୍କୁ ଆଶ୍ଚର୍ୟ୍ୟଚକିତ କରିବ। ବିଜେପି ସରକାର ଉପରେ ଲୋକେ ଅତିଷ୍ଠ ହୋଇଗଲେଣି। ଆଗାମୀ ନିର୍ବାଚନରେ ଜନତା ସେମାନଙ୍କୁ ଏହାର ଉଚିତ୍ ଜବାବ ଦେବେ ବୋଲି ଆଶା କରୁଛୁ। ପୂର୍ବରୁ ମୋଦୀ ତଥା ବିଜେପିକୁ ବିଦେଶୀ ମାଟିରେ ରାହୁଲ ଗାନ୍ଧୀ କଡ଼ା ସମାଲୋଚନା କରୁଛନ୍ତି। ଗୁରୁବାର ୱାଶିଂଟନରେ ନ୍ୟାସନାଲ ପ୍ରେସ୍ କ୍ଲବକୁ ସମ୍ବୋଧନ କରି ରାହୁଲ ଗାନ୍ଧୀ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ଏକ ଅନ୍ତର୍ନିହିତ ବିଦ୍ୟୁତ୍ ପ୍ରବାହିତ ହେଉଛି। ଦେଶରେ ବିରୋଧୀ ଗୋଷ୍ଠୀ ଏକାଠି ହୋଇ ଦିନକୁ ଦିନ ଅଧିକ ଶକ୍ତିଶାଳୀ ହେଉଛନ୍ତି। ଏହାର ଫଳାଫଳ ଆଗାମୀ ଦିନରେ ଆସିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
Popular Categories



