www.samajalive.in
Monday, December 8, 2025
27.1 C
Bhubaneswar

ସମସ୍ୟା ଘେରରେ ମୋହନା ବ୍ଲକବାସୀ, ପ୍ରଶାସନର ନିଘା ନାହିଁ

ମୋହନା: ଗଜପତି ଜିଲ୍ଲାର ମୋହନା ବ୍ଲକ ଓଡ଼ିଶାର ଦ୍ଵିତୀୟ ବୃହତ୍ତମ ବ୍ଲକ ଭାବେ ପରିଚିତ । ଏଠିକାର ବିକାଶ ସାତ ସପନ। କେବଳ ମୋହନାରେ ରହିଛି ଅନେକ ସମସ୍ୟା। ବର୍ଷା ଦିନ ହେଉ କି ଅଦିନିଆ ଲଘୁଚାପ ଜନିତ ବର୍ଷା ହେଲେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ମୋହନା ପାତ୍ର ସାହିରେ ଦୀର୍ଘ ୨୦ବର୍ଷ ହେଲା ଭଲ ରାସ୍ତା ଖଣ୍ଡେ ନିର୍ମାଣ ହୋଇପାରୁନି। ଡ୍ରେନେଜ ବ୍ୟଵସ୍ଥା କହିଲେ ନସରେ । ଯାହାଫଳରେ ଅଦିନିଆ ବର୍ଷା ହେଲେ ବର୍ଷା ଜଳ ଓ ଘରର ଆବର୍ଜନା ପୂର୍ଣ୍ଣ ଦୂଷିତ ଜଳ ଡ୍ରେନ ଉପର ଦେଇ ରାସ୍ତାରେ ଭାସି ଘରେ ପଶୁଛି। ରାସ୍ତା ପାଲଟୁଛି ମରଣଜନ୍ତା । ବହୁବାର ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ ସୁଫଳ ମିଳୁନି। ଜଗନ୍ନାଥ ମନ୍ଦିରଠାରୁ ମାଣିକେଶ୍ୱରୀ ମନ୍ଦିର ପର୍ୟ୍ୟନ୍ତ ରାସ୍ତା ଶୋଚନୀୟ ହୋଇ ପଡିଛି। ଭଲ ରାସ୍ତା ନଥିବାରୁ ରାସ୍ତାରେ ଜମି ରହୁଛି ପାଣି । ଖ୍ରୀଷ୍ଟିଆନ ସାହିରେ ମଧ୍ୟ ଡ୍ରେନେଜ କି ପକ୍କା ରାସ୍ତା ନାହିଁ । ଯାହାଫଳରେ ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ । ପ୍ରତ୍ୟେକ ସାହି, ଛକ ଓ ପରିତ୍ୟକ୍ତ ଡ୍ରେନେଜରେ ବର୍ଷା ପାଣି ଜମି ରହୁଛି। ଏଣୁ ଡେଙ୍ଗୁ, ଡାଇରିଆ ଭଳି ଅନେକ ରୋଗରେ ଲୋକେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି।

ପାନୀୟ ଜଳର ଘୋର ଅଭାବ ଯୋଗୁଁ ଲୋକେ ନଦୀର ଦୂଷିତ ଜଳକୁ ବ୍ୟବହାର କରିବା ପାଇଁ ବାଧ୍ୟ ହେଉଛନ୍ତି। ବିଦ୍ୟାଳୟର ଗୃହଗୁଡିକ ମଧ୍ୟ ବହୁ ପୁରୁଣା ହୋଇଥିବାରୁ ଛାତରୁ ପାଣି ଗଳୁଛି। ଯାହାକୁ ନେଇ ପାଠ ପଢ଼ାରେ ବାଧା ସୃଷ୍ଟି ହେଉଛି । ବ୍ଲକର କୋଠାରୁ ମଧ୍ୟ ବର୍ଷା ଦିନେ ପାଣି ଝରୁଥିବା ଦେଖିବାକୁ ମିଳୁଛି। ଜରୁରୀ ଆବଶ୍ୟକୀୟ କାଗଜପତ୍ର ମଧ୍ୟ ନଷ୍ଟ ହେବାରେ ଲାଗିଛି। ଏହି ବ୍ଲକକୁ ବିଧାୟକ ଏବଂ ସାଂସଦ ବିଭିନ୍ନ ସମୟରେ ଗସ୍ତରେ ଆସୁଥିଲେ ମଧ୍ୟ ନଜର ପଡୁନି । ଏପରିକି ସ୍ଥାନୀୟ ବ୍ଲକ ଅଧ୍ୟକ୍ଷାଙ୍କ ମଧ୍ୟ ଏଥିପ୍ରତି ନଜର ପଡ଼ୁନି କି ମୋହନାର ଉନ୍ନତିକରଣ ପାଇଁ ନିଘା ନାହିଁ। କିଛି ମାସ ତଳେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ପଞ୍ଚାୟତ ଗୃହ, ପାଣି ଟାଙ୍କି ଓ ଅନ୍ୟାନ୍ୟ ପ୍ରକଳ୍ପଗୁଡ଼ିକୁ ଉଦଘାଟନ କରିଥିଲେ କିନ୍ତୁ ମୌଳିକ ସୁବିଧା ଲାଗି ରହିଥିବା ଗ୍ରାମଗୁଡିକର ସମସ୍ୟା ଆଜି ପର୍ୟ୍ୟନ୍ତ ସମାଧାନ ହୋଇ ପାରୁନି। ସ୍ଥାନୀୟ ପଞ୍ଚାୟତ ସମେତ ବ୍ଲକର ବିଭିନ୍ନ ପଞ୍ଚାୟତରେ ଲାଗି ରହିଥିବା ବିବିଧ ମୌଳିକ ସମସ୍ୟାର ସମାଧାନ ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Hot this week

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

Related Articles

Popular Categories