www.samajalive.in
Tuesday, December 9, 2025
16.1 C
Bhubaneswar

ସମସ୍ୟା ଘେରରେ ୭୭ ବର୍ଷର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ; ଶିକ୍ଷାଦାନ ବ୍ୟାହତ

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ଅବସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ । ଏହି ବିଦ୍ୟାଳୟଟି ୧୯୪୪ ମସିହାରେ ସ୍ଥାପିତ ହୋଇଥିଲା। ଇତି ମଧ୍ୟରେ ବିଦ୍ୟାଳୟ ତାର ପ୍ଲାଟିନମ ଜୁବୁଲି ପାଳନ କରିସାରିଲାଣି । ଜିଲ୍ଲାରେ ବିଦ୍ୟାଳୟଟି ବହୁ ପୁରୁଣା ହୋଇଥିବାବେଳେ ଏଠାରୁ ପାଠ ପଢି ଯାଇଥିବା ବହୁ ଛାତ୍ର ଛାତ୍ରୀ ଦେଶ ବିଦେଶରେ ଆଜି ପ୍ରତିଷ୍ଠିତ। ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ନେତା ଅତୀତରେ ମୁଖ୍ୟମନ୍ତ୍ରୀ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ହୋଇଛନ୍ତି । ହେଲେ ଏହି ବିଦ୍ୟାଳୟ ପ୍ରତି କାହାର ଶୁଭ ଦୃଷ୍ଟି ପଡ଼ିନାହିଁ । ଫଳରେ ବିଭିନ୍ନ ସମସ୍ୟା ଭିତରେ ଗତି କରୁଥିବା ବିଦ୍ୟାଳୟଟିର ସମସ୍ୟା ଦିନକୁ ଦିନ ବଢିଚାଲିଥିବାବେଳେ ସମସ୍ୟାର ସମାଧାନ କରିବାକୁ କେହି ଆଗେଇ ଆସିନାହାନ୍ତି । କେତେକାଂଶରେ ଦେଖିବାକୁ ଗଲେ ବେଗୁନିଆର ପୂର୍ବତନ ବିଧାୟକ ତଥା ବର୍ତମାନ ଚିଲିକାର ବିଧାୟକ ୭୪ ବର୍ଷ ତଳର ପାଣି ଗଳୁଥିବା ଟାଇଲ ଛାତକୁ ଭାଙ୍ଗି ୫ ବଖରା ଶ୍ରେଣୀ ପ୍ରକୋଷ୍ଠର ଛାତ ପକାଇ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବହୁତ ବଡ଼ କାମ କରିଥିଲେ ।କାରଣ ବର୍ଷା ଦିନେ ପ୍ରତି ଶ୍ରେଣୀ କକ୍ଷରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବସି ପାଠ ପଢିବା ସମ୍ଭବପର ହେଉନଥିଲା । ସେହିପରି ବିଦ୍ୟାଳୟରେ ଥିବା ବିରାଟ ପ୍ରେକ୍ଷାଳୟ ଗୃହଟି ଭାଙ୍ଗି ରୁଜି ଯାଇଥିବାବେଳେ ପ୍ଲାଟିନମ ଜୁବୁଲି ପାଇଁ ତାର ସେ ପୁନରୁଦ୍ଧାର କରିଥିଲେ । କିନ୍ତୁ ଏବେ ବିଦ୍ୟାଳୟ ଚାରିପଟେ ଥିବା ପାଚେରୀର ଉଚ୍ଚତା ବହୁତ କମ ଥିବା ଯୋଗୁଁ ପରୀକ୍ଷା ପରିଚାଳନା ସମୟରେ ବହୁତ ବିଭ୍ରାଟ ଦେଖାଦେଉଛି । ସେଥିପାଇଁ ବିଦ୍ୟାଳୟ କର୍ତୃପକ୍ଷ ବହୁତ ହଇରାଣ ହରକତ ହେଉଛନ୍ତି । ଏପରିକି ସନ୍ଧ୍ୟା ହେଲେ ଅସାମାଜିକ ଯୁବକମାନେ ପାଚେରୀ ଡେଇଁ ବିଦ୍ୟାଳୟ ଭିତରେ ପଶି ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ସେବନ କରୁଛନ୍ତି ।  ବିଦ୍ୟାଳୟ ପରିସର ଏବଂ ପ୍ରେକ୍ଷାଳୟ ଗୃହକୁ ଲାଗି ରହିଥିବା ମହାପୁରୁଷ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିକୁ କଦର୍ଥ କରୁଛନ୍ତି । ବାରମ୍ବାର ଏହିପରି ଘଟଣା ଘଟୁଥିଲେ ମଧ୍ୟ ଗୋପବନ୍ଧୁଙ୍କ ନାମରେ ନାମିତ ବିଦ୍ୟାଳୟ କର୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି । ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଦୀର୍ଘ ବର୍ଷ ହେବ ଏଠାରେ ଜଣେ ନିୟମିତ ପ୍ରଧାନଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଉ ନଥିବାବେଳେ ଯେଉଁମାନେ ଏଠାରେ ନିଯୁକ୍ତି ପାଉଛନ୍ତି ଏଠାରେ ଖୁବ କମ ଦିନ ମଧ୍ୟରେ ଅବସର ନେଉଛନ୍ତି ନଚେତ ଲାଗିପଡି ସେମାନଙ୍କ ସୁବିଧା ଜାଗାକୁ ବଦଳି ହୋଇ ଯାଉଛନ୍ତି । ଏବେ ନିର୍ବାଚନମଣ୍ଡଳୀର ଜଣେ ପ୍ରଧାନଶିକ୍ଷକ ବାସୁଦେବ ବେହେରା ଏଠାରେ ନୂତନ ଭାବେ ଯୋଗ ଦେଇଛନ୍ତି । କିନ୍ତୁ ଏଠାରେ ଟିଜିଟି ଆର୍ଟସ ପଦବୀରେ ୮ ଜଣ ଶିକ୍ଷକ ରହିବା ପାଇଁ ଥିବାବେଳେ ୫ ଜଣ କାର୍ଯ୍ୟରତ ଅଛନ୍ତି ।  ୩ଟି ପଦବୀ ଖାଲି ପଡ଼ିଛି । ଟିଜିଟି ପିସିଏମରେ ୨ ଜଣ ରହିବା ପାଇଁ ଥିବାବେଳେ ୨ ଟି ଯାକ ପଦବୀ ଖାଲି ପଡ଼ିଛି । ସିବିଜେଡରେ ୨ ଟି ପଦବୀ ଥିବାବେଳେ ଗୋଟିଏ ପଦବୀ ଖାଲି ପଡ଼ିଛି । ସଂସ୍କୃତ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଏଠାରେ ୧୪ ଜଣ ଶିକ୍ଷକ କାର୍ଯ୍ୟ କରିବା ପାଇଁ ଥିବାବେଳେ ୬ଟି ପଦବୀ ଖାଲି ପଡ଼ିଛି । ସେହିପରି ଗୋଟିଏ ପିଅନ ପଦବୀ ମଧ୍ୟ ଖାଲି ପଡ଼ିଛି । ବିଦ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ଗତ ମାର୍ଚ୍ଚ ମାସ ୨୧ ତାରିଖରୁ ଶିକ୍ଷକ ମାନଙ୍କର ବିଲ କରିବା ପାଇଁ ତାଙ୍କ କାର୍ଯ୍ୟାଳୟକୁ ଡେପୁଟେସନରେ ନେଇଥିବାବେଳେ ଆଉ ତାଙ୍କୁ ଏଠାକୁ ଫେରାଉନାହାନ୍ତି । ବିଦ୍ୟାଳୟରେ କାର୍ଯ୍ୟ ସମ୍ପାଦନ କରିବାରେ ଅସୁବିଧା ହେଉଥିଲେ ମଧ୍ୟ ସେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଛନ୍ତି । ବିଦ୍ୟାଳୟ ପରିସରରେ ଥିବା ବାତ୍ୟା ଆଶ୍ରୟସ୍ଥଳରେ ଲାଇବ୍ରେରୀ ଏବଂ ସାଇନ୍ସ ଲାବରେଟୋରୀ ଚାଲିଥିବାବେଳେ ସ୍ଥାନୀୟ ସରପଞ୍ଚ ଗୋଟିଏ କୋଠରୀ ତାଲା ପକାଇ ରଖିଛନ୍ତି । ନୂତନ ଭାବେ ଛାତ ପଡିଥିବା ୫ ଟି ପ୍ରକୋଷ୍ଠର ଉତ୍ତର ପଟେ ବାହାର ତାଜା ନଥିବାରୁ ବର୍ଷା ସମୟରେ ପ୍ରକୋଷ୍ଠ ଭିତରେ ପାଣି ପଶୁଛି।  ଫଳରେ ଛାତ୍ରଛାତ୍ରୀ ମାନଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ପ୍ରକୋଷ୍ଠ ଗୁଡିକରେ ରଙ୍ଗ ଦିଆଯାଇନାହିଁ । ପ୍ରେକ୍ଷାଳୟ ଗୃହରେ କରୋନା ସେଣ୍ଟର ହେଉଥିବାବେଳେ ଏବଂ ସରପଞ୍ଚ ସମ୍ପୃକ୍ତ ପ୍ରେକ୍ଷାଳୟ ଗୃହର ଚାବି ରଖୁଥିବାବେଳେ ସେଠାରୁ ଫ୍ୟାନ ଏବଂ ବଲବ ଚୋରି ହେଉଥିଲେ ମଧ୍ୟ କେହି ସେଥିପ୍ରତି ନଜର ଦେଉନାହାନ୍ତି । ଶ୍ରେଣୀ କକ୍ଷ ଗୁଡିକ ବହୁତ ଦିନର ପୁରୁଣା ହୋଇଥିବାରୁ ସେଗୁଡିକ ପ୍ଲାସ୍ଟର ଛାଡି ଅତଡା ଖସୁଛି । ସେଥିପାଇଁ ଛାତ୍ରଛାତ୍ରୀ ମାନଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି। ବିଦ୍ୟାଳୟ ପରିସର ଭିତରେ ଥିବା ବହୁ ପୁରାତନ କୂପଟିର ପାଣିକୁ ବ୍ୟବହାର କରିହେଉନାହିଁ । ଅସାମାଜିକ ଯୁବକମାନେ ମଦ ପିଇ ବଟଲ ଗୁଡିକ କୂପରେ ପକାଉଥିବାବେଳେ ମଲାକୁକୁର ଆଦି ପକାଇ ଦୂଷିତ କରୁଛନ୍ତି।
ବିଦ୍ୟାଳୟ ନାମରେ ଅନେକ ଜାଗା ବିଦ୍ୟାଳୟକୁ ଲାଗି ନୂଆସାହିରେ,ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏବଂ ଶାମୁକା ପୋଖରୀ ନିକଟରେ ଥିବାବେଳେ ତାର ପୁନରୁଦ୍ଧାର କରାଯାଉନାହିଁ । ତାକୁ ଲୋକମାନେ ଜବରଦଖଲ କରିଥିବାବେଳେ ବିଦ୍ୟାଳୟ କର୍ତୃପକ୍ଷ ସ୍ଥାନୀୟ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ବିଦ୍ୟାଳୟ ପରିସରରେ ଦୁଇଟି କ୍ୱାର୍ଟର ଥିବାବେଳେ ଗୋଟିଏ ମରାମତି ଅଭାବରୁ ବ୍ୟବହାର ଅନୁପଯୋଗୀ ହୋଇପଡିଛି । ଶିକ୍ଷକ ଏବଂ କର୍ମଚାରୀମାନଙ୍କର ଗାଡି ରଖିବା ପାଇଁ ନିର୍ଦିଷ୍ଟ ସ୍ଥାନର ଅଭାବ ରହିଛି । ବିଦ୍ୟାଳୟର ଉତ୍ତର ଦିଗରେ ଥିବା ରାସ୍ତାକୁ ଲାଗି ଲୋକମାନେ ଘର କରି ରହିବା ଯୋଗୁଁ ବିଦ୍ୟାଳୟର ଜାଗା ସଙ୍କୁଚିତ ହେବା ସହ ବିଦ୍ୟାଳୟର ପରିବେଶ ନଷ୍ଟ ହେଉଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ବିଦ୍ୟାଳୟ  ଏବଂ ଛାତ୍ରଛାତ୍ରୀ ମାନଙ୍କର ସମସ୍ୟା ପ୍ରତି ଦୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଭିବାବକ ମାନେ ଦାବି କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories