ରେଙ୍ଗାଲି : ଜଳସେଚନ ବିଭାଗର ଖାତା ଖତିୟାନରେ ଜଳ ସେଚିତ ବୋଲି ଉଲ୍ଲେଖ ଥିବା ଚାଷ ଜମିରେ ପାଣି ମାଡୁ ନଥିବାରୁ ଭୟାବହ ମରୁଡିରେ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି । ତେଣୁ ଜଳ ସେଚନ ପଏଣ୍ଟ କାଢି ନେଇ ଗଭୀର ନଳକୂପ ଖନନ ପାଇଁ ଅନୁମିତି ଦେବାକୁ ଆଜି ଗ୍ରାମବାସୀ ଜିଲ୍ଲାପାଳ ଏବଂ ବିଧାୟକଙ୍କ ଠାରେ ଫେରାଦ୍ ହୋଇଛନ୍ତି । ସୂଚନାରୁ ପ୍ରକାଶ ଯେ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଳକ୍ ପାଖରେ ଥିବା ହୀରାକୁଦ ଜଳ ଭଣ୍ଡାରରୁ ମେଗା ଜଳ ସେଚନ ପ୍ରକଳ୍ପ ଜରିଆରେ କତରବଗା ପଞ୍ଚାୟତ ଅଞ୍ଚଳର ଚାଷ ଜମିକୁ ଜଳ ସେଚନ କରାଯାଉଛି ବୋଲି ବୋଲି ବିଭାଗୀୟ ରେକର୍ଡ କହୁଛି । ଜଳ ସେଚନ ବିଭାଗର ରେକର୍ଡ ଅନୁସାରେ ୧୧୬.୪୬ ହେକ୍ଟର ଜମି ଜଳ ସେଚିତ ବୋଲି ଦର୍ଶାଯାଇଛି। କିନ୍ତୁ ଠୁରୋପାଲି ଗ୍ରାମ ପାଖରେ ଥିବା ମେଗା ଜଳ ସେଚନ ପଏଣ୍ଟରୁ ଗୋଟିଏ ଦିନ ମଧ୍ୟ ପାଣି ଆସି ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଠିକ୍ ସ୍ଥାନରେ ଆଉଟ୍ ପଏଣ୍ଟ ଛାଡି ନଥିବାରୁ ଗ୍ରାମର କୌଣସି ଚାଷ ଜମିରେ ଜଳ ସେଚନ ଯୋଜନାର ପାଣି ମାଡୁ ନାହିଁ।
ଚଳିତ ବର୍ଷ ବର୍ଷାର ଘୋର ଅଭାଭ ଫଳରେ ଭୟାବହ ମରୁଡି ଯୋଗୁଁ ଧାନ ଫସଲ କ୍ଷତିଗ୍ରସ୍ତ ହେବା ନିଶ୍ଚିତ । ଜଳ ସେଚନ ବିଭାଗର ଖାତା ଖତିୟାନରେ ଠୁରୋପାଲି ଗ୍ରାମ ଜଳ ସେଚିତ ବୋଲି ଉଲ୍ଳେଖ ଥାଇ ଚାଷ ଜମିକୁ ପାଣି ଆସୁ ନଥିବାରୁ ପାଣି ଅଭାବରେ ଧାନ ଫସଲ ମରୁଡିଗ୍ରସ୍ର ହେଉଛି । ଅପର ପକ୍ଷରେ ଠୁରୋପାଲି ଗ୍ରାମ ମେଗା ଜଳ ସେଚନ ପ୍ରକଳ୍ପର ତାଲିକା ଭୁକ୍ତ ହୋଇଥିବାରୁ ଗ୍ରାମର ଚାଷୀ ଗଭୀର ନଳକୂପ ଖନନରୁ ବଞ୍ଚିତ ହେଉଛନ୍ତି । ସରାକାରୀ ରେକର୍ଡର କାଗଜ କଳମରେ ଠୁରୋପାଲି ଗ୍ରାମ ଜଳ ସେଚିତ ବୋଲି ଉଲ୍ଳେଖ ଥିବାରୁ ଗଭୀର ନଳକୂପ ପାଇଁ ଏହି ଗ୍ରାମର ଚାଷୀ ଆବେଦନ କଲେ ଆବେଦନ ନାକଚ କରି ଦିଆଯାଉଛି। ଏଭଳି ଅଭାନୀୟ ପରିସ୍ଥତି ଯୋଗୁଁ ଠୁରୋପାଲି ଗ୍ରାମର ବହୁ ପରିମାଣର ଚାଷ ଜମି ପଡିଆ ପଡିଛି ବୋଲି ଗ୍ରାମବାସୀ ଅଭିଯୋଗ କରି ଏହାର ତଦନ୍ତ କରି ଗାଁ ପାଖରେ ବସାଯାଇଥିବା ଜଳସେଚନ ପଏଣ୍ଟ ଗୁଡିକୁ ଶୀଘ୍ର କାଢି ନେଇ ଗ୍ରାମର ଚାଷୀ ମାନଙ୍କୁ ମେଗା ଜଳ ସେଚନରୁ ମୁକ୍ତ କରି ଗଭୀର ନଳକୂପ ଖନନ କରିବା ପାଇଁ ଅନୁମତି ଦେବାକୁ ଆଜି ଜିଲ୍ଲାପାଳ ଏବଂ ରେଙ୍ଗାଲି ବିଧାୟକଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ଦାବୀପତ୍ରରେ କତରବଗା ସରପଞ୍ଚ କୁମୋଦିନି ସାହୁ , ବିଜେପି ମଣ୍ଡଳ ସଭାପତି ପ୍ରକାଶ ପୃଷ୍ଟି, ଅଜୟ ମହାପାତ୍ରଙ୍କ ସମେତ ଗ୍ରାମ ଶତାଧିକ ଚାଷୀ ଙ୍କ ସ୍ୱାକ୍ଷର ରହିଛି।



