ହରଭଙ୍ଗା : ହରଭଙ୍ଗା-ଧଳପୁର ଐତିହାସିକ ଜଗନ୍ନାଥ ସଡକ ରାସ୍ତା ନିର୍ମାଣର ତିନିବର୍ଷ ନପୂରୁଣୁ ଏହାର ଅବସ୍ଥା ଶୋଚନୀୟ ହୋଇପଡିଛି । ଅଧିକାଂଶ ସ୍ଥାନରେ ପିଚୁ ଉଠି ଖାଲଖମାରେ ପରିଣତ ଯୋଗୁଁ ଯାତାୟତରେ ବହୁ ଅସୁବିଧା ହେଉଛି । ପ୍ରକାଶ ଯେ ବର୍ତ୍ତମାନ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ନିର୍ମାଣ କାର୍ଯ୍ୟ ଶେଷ ହେବାପରେ ଅନୁଗୁଳୁ-ବୌଦ୍ଧ ଜିଲ୍ଲାକୁ ଗମନାଗମନ ପାଇଁ ବେଶ ସୁବିଧା ହୋଇଛି । ସେତୁକୁ ସଂଯୋଗ କରୁଥିବା ହରଭଙ୍ଗା-ଧଳପୁର ଜଗନ୍ନାଥ ସଡକର ଗୁରୁତ୍ୱ ମଧ୍ୟ ବୃଦ୍ଧିପାଇଛି।ଆଠମଲ୍ଲିକ ଅଞ୍ଚଳରୁ ହରଭଙ୍ଗାକୁ ବସଚଳାଚଳ ସାଙ୍ଗକୁ ଯାନବାହାନ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ଦୁଇବର୍ଷ ତଳେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଦୀର୍ଘ ୧୭କିଲୋମିଟର ରାସ୍ତା ନିର୍ମାଣ ସରିଥିଲା।ନିମ୍ନମାନର କାର୍ଯ୍ୟ ଯୋଗୁଁ ନିର୍ମାଣର ବର୍ଷକେଇଟା ନପୂରୁଣୁ ରାସ୍ତାର ବହୁ ସ୍ଥାନରୁ ପିଚୁ ଉଠିଯାଇ ଏବେ ଖାଲଖମାରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ଗ୍ରାମସଡକ ରାସ୍ତା ନିର୍ମାଣ ପରେ ଏହାର ରକ୍ଷଣାବେକ୍ଷଣା ପାଇଁ ପାଞ୍ଚ ବର୍ଷ ମିଆଦ ରହିଛି। ମାତ୍ର ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା ମରାମତି ପ୍ରତି ଆଦୌ ଦୃଷ୍ଟି ଦିଆଯାଉନାହିଁ।ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବା ସହ ୨୦ଫୁଟ୍ ହାଇ ଲେବୁଲ ସ୍ଥାୟୀ ରାସ୍ତା ନିର୍ମାଣ କରାଯିବାକୁ ସମାଜସେବୀ ବିଶିକେଶନ ପ୍ରଧାନ ଦାବି କରିଛନ୍ତି ।
Popular Categories



