ତୈଳ ଦର ବୃଦ୍ଧି ସଂପର୍କରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
ଇନ୍ଧନ ବ୍ୟୟ ହ୍ରାସ ଲାଗି ତୈଳ ବଜାରର ଉତ୍ପାଦକ ଓ ଉପଭୋକ୍ତାଙ୍କ ମଧ୍ୟରେ ଭାଗିଦାରୀ ଉପରେ ଗୁରୁତ୍ୱାରୋପ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ତୈଳ ଏବଂ ବାଷ୍ପ କ୍ଷେତ୍ରର ବିଶେଷଜ୍ଞ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ମାନଙ୍କ ସହିତ ସୋମବାର ସାକ୍ଷାତ ଆଲୋଚନା କରିଥିଲେ। ଏହି ଅବସରରେ ଉପସ୍ଥିତ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଅମୀରତନ୍ତ୍ର (ୟୁଏଇ)ର ମନ୍ତ୍ରୀମାନଙ୍କ ସହିତ ବିଭିନ୍ନ ସଂଗଠନ ଯଥା ସାଉଦି ଆରାମକୋ, ଏଡନାକ, ବିପି, ରୋସନେଫ୍ଟ, ଆଇଏଚଏସ ମାର୍କେଟ, ପାୟୋନିୟର ନେଚୁରାଲ ରିସୋର୍ସେସ କମ୍ପାନୀ, ଏମରସନ ଇଲେକଟ୍ରୋନିକ କମ୍ପାନୀ, ତେଲୁରିୟନ, ମୁବାଦାଲା ଇନଭେଷ୍ଟମେଂଟ କମ୍ପାନୀ, ଶ୍ଲମବର୍ଗର ଲିମିଟେଡ, ଉଡ ମ୍ୟାକେଞ୍ଜି, ବିଶ୍ୱ ବ୍ୟାଙ୍କ, ଅର୍ନ୍ତଜାତୀୟ ଇନ୍ଧନ ସଂସ୍ଥା (ଆଇଇଏ), ଏନଆଇପିଏଫପି ଏବଂ ବ୍ରୁକିଙ୍ଗସ ଇଣ୍ଡିଆର ସିଇଓ ଏବଂ ବିଶେଷଜ୍ଞମାନେ ମଧ୍ୟ ସାମିଲ ଥିଲେ। ଏଥିସହିତ ତୈଳ ଏବଂ ବାଷ୍ପ ସନ୍ଧାନ, ଉତ୍ପାଦନ ଏବଂ ବିପଣନ ସହ ଜଡ଼ିତ ଭାରତୀୟ କମ୍ପାନୀଗୁଡ଼ିକର ସିଇଓ ମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀ, ଧର୍ମେନ୍ଦ୍ର ପ୍ରଧାନ ଏବଂ ନୀତି ଆୟୋଗର ଉପାଧ୍ୟକ୍ଷ ଡ. ରାଜୀବ କୁମାରଙ୍କ ବ୍ୟତୀତ କେନ୍ଦ୍ର ସରକାର ଏବଂ ନୀତି ଆୟୋଗର ବହୁ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।
ଆଲୋଚନା କାଳରେ ଅନ୍ତର୍ଜାତୀୟ ବିଶେଷଜ୍ଞ ଏବଂ ସିଇଓ ମାନେ ‘ବ୍ୟବସାୟିକ ସୁଗମତା’, ବିଶେଷ କରି ଭାରତର ଇନ୍ଧନ କ୍ଷେତ୍ରରେ ସୁଧାର ଲାଗି କେନ୍ଦ୍ର ସରକାରଙ୍କ ଦ୍ୱାରା ଗତ ଚାରି ବର୍ଷ ମଧ୍ୟରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ପ୍ରଶଂସା କରିଥିଲେ। ବିଶେଷଜ୍ଞମାନେ ଅପଷ୍ଟ୍ରିମ ନିବେଶ ଦୃଷ୍ଟିରୁ ଭାରତର ପ୍ରତିଦ୍ୱନ୍ଦ୍ୱିତା ସୂଚକାଙ୍କରେ ସୁଧାର ବିଷୟରେ ଉଲ୍ଲେଖ କରିଥିଲେ। ଭାରତର ଏହି ମାନ୍ୟତାରେ ବର୍ତମାନ ସୁଧାର ଦେଖାଦେଇ ୫୬ରୁ ୪୪ତମ ସ୍ଥାନରେ ପହଁଚିଛି। ଏହି ଅବସରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ଏଥିମଧ୍ୟରେ ଭାରତରେ ତୈଳ ଏବଂ ବାଷ୍ପ କ୍ଷେତ୍ର ସହ ଜଡ଼ିତ ମୌଳିକ ଭିତିଭୂମିର ସମ୍ପ୍ରସାରଣ, ସନ୍ଧାନ ଏବଂ ଉତ୍ପାଦନର ପରିଧି ବୃଦ୍ଧି କରିବା, ସୌର ଇନ୍ଧନ ଏବଂ ଜୈବ ଇନ୍ଧନର ସମ୍ଭାବନା ଖୋଜିବା ଏବଂ ଇନ୍ଧନ କ୍ଷେତ୍ର ଲାଗି କେନ୍ଦ୍ର ସରକାରଙ୍କ ସାମଗ୍ରୀକ ଅବଧାରଣା ସାମିଲ ଥିଲା। ବିଶେଷଜ୍ଞମାନେ ଏହିପରି ଆଲୋଚନା କରିବାର ଅଭିନବ ପଦକ୍ଷେପକୁ ପ୍ରଶଂସା କରିଥିଲେ, କାରଣ ଏହାଦ୍ୱାରା ବିଭିନ୍ନ ଅଂଶୀଦାରମାନଙ୍କୁ ନୀତିଗତ ପ୍ରସଙ୍ଗ ଉପରେ ଏକଜୁଟ ହେବାର ସୁଯୋଗ ମିଳିଥିଲା। ଇନ୍ଧନ କ୍ଷେତ୍ରରେ ବିଶ୍ୱସ୍ତରୀୟ ବିଶେଷଜ୍ଞମାନଙ୍କ ସହିତ ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ତୈଳ ଏବଂ ବାଷ୍ପ ବଜାରରେ ଭାରତର ଗୁରୁତ୍ୱପୂର୍ଣ୍ଣ ସ୍ଥିତି ଉପରେ ଆଲୋକପାତ କରିଥିଲେ। ସେ ଏହି ପ୍ରସଙ୍ଗ ଉପରେ ମଧ୍ୟ ରେଖାପାତ କରିଥିଲେ ଯେ ତୈଳ ବଜାରର ପରିଚାଳନା ଉତ୍ପାଦକମାନଙ୍କ ଦ୍ୱାରା କରାଯାଉଛି ଏବଂ ଏହାର ପରିମାଣ ଏବଂ ମୂଲ୍ୟ ଉଭୟର ନିର୍ଦ୍ଧାରଣ ମଧ୍ୟ ତୈଳ ଉତ୍ପାଦକ ରାଷ୍ଟ୍ରଗୁଡ଼ିକ କରୁଛନ୍ତି। ସେ କହିଥିଲେ ଯେ ପର୍ଯ୍ୟାପ୍ତ ପରିମାଣର ଉତ୍ପାଦନ ସତ୍ୱେ ତୈଳ କ୍ଷେତ୍ରରେ ବିପଣନ ଲାଗି ଭିନ୍ନ ଭିନ୍ନ ପଦ୍ଧତି ଅବଲମ୍ବନ କରାଯିବା ଯୋଗୁ ତୈଳ ମୂଲ୍ୟ ବଢ଼ୁଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ୟ ବଜାର ଆଧାରରେ ତୈଳ ବଜାରରେ ମଧ୍ୟ ଉତ୍ପାଦକ ଏବଂ ଉପଭୋକ୍ତାମାନଙ୍କ ମଧ୍ୟରେ ଭାଗୀଦାରୀ ସୁନିଶ୍ଚିତ କରିବା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ। ସେ କହିଥିଲେ ଏହାଦ୍ୱାରା ଉନ୍ନତି ଦିଗରେ ଅଗ୍ରସର ବିଶ୍ୱ ଅର୍ଥବ୍ୟବସ୍ଥାରେ ସ୍ଥିରତା ଆସିବ। ଭାରତ ପାଇଁ ପ୍ରାସଙ୍ଗିକ ଥିବା କେତେକ ଗୁରୁତ୍ୱପୂର୍ଣ୍ଣ ନୀତିଗତ ପ୍ରସଙ୍ଗ ଦିଗରେ ଶ୍ରୀ ମୋଦୀ ବିଶେଷଜ୍ଞମାନଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ପ୍ରଥମତଃ ପ୍ରଧାନମନ୍ତ୍ରୀ ଏଥିପ୍ରତି ମଧ୍ୟ ଆଲୋକପାତ କରିଥିଲେ ଯେ ଅଶୋଧିତ ତୈଳର ବର୍ଦ୍ଧିତ ମୂଲ୍ୟ କାରଣରୁ ଉପଭୋକ୍ତା ରାଷ୍ଟ୍ରଗୁଡ଼ିକୁ ସମ୍ବଳର ବିପୁଳ ବ୍ୟୟ ସହିତ ଅନ୍ୟ ଆର୍ଥିକ ଆହ୍ୱାନର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ୁଛି। ସେ କହିଥିଲେ ଯେ ଏହି ଶୂନ୍ୟତାକୁ ପୂରଣ କରିବା ଲାଗି ତୈଳ ଉତ୍ପାଦକ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗ ଅତ୍ୟନ୍ତ ଜରୁରୀ ଅଟେ। ସେ ତୈଳ ଉତ୍ପାଦକ ଦେଶଗୁଡ଼ିକଠାରୁ ନିଜ ନିବେଶ ଯୋଗ୍ୟ ବଳକା ରାଶିକୁ ବିକାଶଶୀଳ ଦେଶର ତୈଳ କ୍ଷେତ୍ରରେ ବାଣିଜ୍ୟିକ ଅନୁସନ୍ଧାନରେ ଲଗାଇବା ପାଇଁ ଅନୁରୋଧ କରିଥିଲେ। ଦ୍ୱିତୀୟତଃ ସେ ତୈଳ ଖନନ ଏବଂ ସନ୍ଧାନ କ୍ଷେତ୍ରର ପରିଧି ବଢ଼ାଇବା ଲାଗି ଅନୁରୋଧ କରିଥିଲେ ଏବଂ ଏଥିସହିତ ବିକଶିତ ରାଷ୍ଟ୍ରଗୁଡ଼ିକଠାରୁ ପ୍ରଯୁକ୍ତି ଏବଂ ବିସ୍ତାର ଉଭୟ କ୍ଷେତ୍ରରେ ସହଯୋଗ ପାଇଁ ଆହ୍ୱାନ କରିଥିଲେ। ତୃତୀୟତଃ ପ୍ରଧାନମନ୍ତ୍ରୀ ବାଷ୍ପ/ଗ୍ୟାସ ବିତରଣରେ ଘରୋଇ କ୍ଷେତ୍ରର ଭାଗୀଦାରୀ ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ପ୍ରଯୁକ୍ତିର ମଧ୍ୟ ଉଲ୍ଲେଖ କରି ସେହି କ୍ଷେତ୍ରରେ ସହାୟତା ଦେବା ଲାଗି ଅନୁରୋଧ କରିଥିଲେ ଯେଉଁଠି ଅଧିକ ଚାପ ଏବଂ ଉଚ୍ଚ ତାପମାତ୍ରା ସହ ଜଡ଼ିତ କୌଶଳ ପ୍ରୟୋଗକୁ ପ୍ରାକୃତିକ ବାଷ୍ପର ବାଣିଜ୍ୟିକ ଉତୋଳନ ଲାଗି ପ୍ରାସଙ୍ଗିକ ବୋଲି ବିବେଚନା କରାଯାଉଛି। ଶେଷରେ ପ୍ରଧାନମନ୍ତ୍ରୀ ପରିଶୋଧ ସର୍ତ୍ତର ସମୀକ୍ଷା କରିବା ଲାଗି ଅନୁରୋଧ କରିଥିଲେ ଯଦ୍ୱାରା ସ୍ଥାନୀୟ ମୁଦ୍ରାକୁ ଅସ୍ଥାୟୀ ଆଶ୍ୱସ୍ତି ମିଳିପାରିବ। ପ୍ରଧାନମନ୍ତ୍ରୀ ଏହି କ୍ଷେତ୍ରରେ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ନୀତିଗତ ପଦକ୍ଷେପ ଏବଂ ବିକାଶ ସମ୍ବନ୍ଧୀୟ ବିଭିନ୍ନ ଉପାୟ ବିଷୟରେ ଉଲ୍ଲେଖ କରିଥିଲେ। ସେ ବାଷ୍ପର ମୂଲ୍ୟ ନିର୍ଦ୍ଧାରଣ ଏବଂ ବିପଣନରେ ଉଦାରୀକରଣ ଉପରେ ଆଲୋକପାତ କରିଥିଲେ କାରଣ ବିଶେଷ କରି ଏହି ଦିଗରେ ଗୁରୁତର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ଏବଂ ଏଥିପାଇଁ ଉଚ୍ଚ ଚାପ ଏବଂ ଉଚ୍ଚ ତାପମାତ୍ରାରେ ଉତୋଳନ ସହ ଜଡ଼ିତ ପ୍ରଯୁକ୍ତିର ଆବଶ୍ୟକତା ପଡ଼ୁଛି। ସେ ମୁକ୍ତକ୍ଷେତ୍ର ଲାଇସେନ୍ସିଂ ନୀତି, କୋଲ ବେଡ ମିଥେନର ଶୀଘ୍ର ବ୍ୟବସାୟକରଣ କରିବା, କ୍ଷୁଦ୍ର କ୍ଷେତ୍ରରେ ସନ୍ଧାନ ଲାଗି ପ୍ରୋତ୍ସାହନ ଏବଂ ଜାତୀୟ ସ୍ତରରେ ଭୂକମ୍ପ ସର୍ବେକ୍ଷଣ କରାଯିବା ବିଷୟରେ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ବର୍ତ୍ତମାନ ଜାରି ରହିଥିବା ବାଣିଜ୍ୟିକ ଉତୋଳନ ଏବଂ ଉପଯୋଗ ଉପରେ ଆଲୋଚନା କରିବା ସହିତ ବିଶେଷକରି ଉତ୍ପାଦନ ଭାଗୀଦାରୀ ଚୁକ୍ତିର ସମ୍ପ୍ରସାରଣ କରାଯିବା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ।