ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ନୂଆ ଜାତୀୟ ଶିକ୍ଷା ନୀତି(ଏନଇପି) ବିଷୟରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ଆୟୋଜିତ ଏକ ସମ୍ମେଳନରେ ପ୍ରଧାନମନ୍ତ୍ରୀ ଉଚ୍ଚ ଶିକ୍ଷା ଉପରେ ମନ୍ଥନ କରିଛନ୍ତି। ଏହି କାର୍ଯ୍ୟକ୍ରମର ନାମ ‘କନ୍କ୍ଲେଭ ଅନ୍ ଟ୍ରାନ୍ସଫର୍ମେଶନାଲ ରିଫର୍ମ୍ସ ଇନ୍ ହାୟର ଏଜୁକେଶନ ଅଣ୍ଡର ନ୍ୟାଶନାଲ ଏଜୁକେଶନାଲ ପଲିସି’। କାର୍ଯ୍ୟକ୍ରମରେ ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ଶିକ୍ଷା ନୀତି ଉପରେ ସମ୍ବୋଧିତ କରିବା ସମୟରେ ୧୦ଟି ବଡ଼ କଥା କହିଥିଲେ। ଆସନ୍ତୁ ଜାଣିବା ସେସବୁ କ’ଣ:-
୧- ନୂଆ ଶିକ୍ଷା ନୀତିରେ କୌଣସି ଭେଦଭାବ ନାହିଁ।
୨- ନୂଆ ଶିକ୍ଷା ନୀତି ନୂଆ ଭାରତର ମୂଳଦୁଆ ପକାଇବ,
୩- ପିଲାଙ୍କ ମଧ୍ୟରେ କିଛି ନୂଆ ଶିଖିବାର ଆଗ୍ରହ ବଢ଼ିବ। ଏଥିପାଇଁ ସ୍ଥାନୀୟ ଭାଷାକୁ ଗୁରୁତ୍ଵ ଦିଆଯାଇଛି। ୫ମ ଶ୍ରେଣୀ ପର୍ଯ୍ୟନ୍ତ ନିଜ ମାତୃଭାଷାରେ ଅଧ୍ୟୟନ କରିବେ ପିଲା।
୪- ଆମକୁ ପିଲାମାନଙ୍କ ବିଶ୍ଵର ନାଗରିକ ଭାବେ ଗଢ଼ି ତୋଳିବାକୁ ପଡ଼ିବ, କିନ୍ତୁ ଏହା ସହିତ ଆମେ ଆମର ମୂଳ ସହିତ ଜଡ଼ିତ ରହିବା ମଧ୍ୟ ଜରୁରୀ।
୫- ଆମର ଶିକ୍ଷା ବ୍ୟବସ୍ଥା ବର୍ଷ ବର୍ଷ ଧରି ପୁରାତନ ଢାଞ୍ଚାରେ ଚାଲୁଥିଲା, ଯେଉଁ କାରଣରୁ ନୂତନ ଚିନ୍ତାଧାରା, ନୂତନ ଶକ୍ତିକୁ ପ୍ରୋତ୍ସାହନ ମିଳିପାରିଲା ନାହିଁ।
୬- ନୂତନ ଶିକ୍ଷା ନୀତିର ଯୁକ୍ତି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେବେ ଡାକ୍ତର, କେତେବେଳେ ଆଇନଜୀବୀ, କେବେ ଇଞ୍ଜିନିୟର ହେବା ପାଇଁ ପ୍ରତିଯୋଗିତା ହେଉଥିଲା। ଆଗ୍ରହ, କ୍ଷମତା ଏବଂ ଚାହିଦାକୁ ମ୍ୟାପିଂ ନ କରି ଛାତ୍ରମାନଙ୍କୁ ଏହି ପ୍ରତିଯୋଗିତାରୁ ବାହାର କରିବା ଆବଶ୍ୟକ ଥିଲା।
୭- ସମସ୍ତ ଦେଶ ନିଜର ଶିକ୍ଷା ବ୍ୟବସ୍ଥାକୁ ନିଜ ଦେଶର ସଂସ୍କାରଗୁଡ଼ିକ ସହିତ ଯୋଡ଼ି ଆଗକୁ ବଢ଼ିବା ଦରକାର।
୮- ନୂତନ ଶିକ୍ଷା ନୀତି ଏକବିଂଶ ଶତାବ୍ଦୀର ଭାରତର ମୂଳଦୁଆ ସୃଷ୍ଟି କରିବ। ଯୁବପିଢ଼ି ଯେଉଁ ଶିକ୍ଷା ଆବଶ୍ୟକ କରୁଛନ୍ତି, ତାହା ଉପରେ ଜାତୀୟ ଶିକ୍ଷା ନୀତିର ଏକ ବିଶେଷ ଧ୍ୟାନ ରହିଛି।
୯- ପ୍ରତ୍ୟେକ ଛାତ୍ର ତାଙ୍କ ଆଗ୍ରହକୁ ଅନୁସରଣ କରିବାର ସୁଯୋଗ ପାଇବା ଉଚିତ୍। ତାଙ୍କର ସୁବିଧା ଏବଂ ଆବଶ୍ୟକତା ଅନୁଯାୟୀ, ସେ ଯେକୌଣସି ଡିଗ୍ରୀ କିମ୍ବା ପାଠ୍ୟକ୍ରମ ଅନୁସରଣ କରିପାରନ୍ତି ଏବଂ ଯଦି ସେ ଚାହାଁନ୍ତି, ଅଧାରୁ ଛାଡ଼ିପାରନ୍ତି।
୧୦- ଏପର୍ଯ୍ୟନ୍ତ ଆମର ଯୋଉଁ ଶିକ୍ଷା ବ୍ୟବସ୍ଥା ରହିଛି ସେଥିରେ ‘କ’ଣ ଚିନ୍ତା କରିବା’(ହ୍ବାଟ୍ ଟୁ ଥିଙ୍କ୍) ଉପରେ ଧ୍ୟାନ ଦିଆଯାଇଛି। ଯେତେବେଳେ କି ଏହି ନୂଆ ଶିକ୍ଷା ନୀତିରେ ‘କିପରି ଚିନ୍ତା କରାଯାଏ’(ହାଓ ଟୁ ଥିଙ୍କ୍) ଉପରେ ଗୁରୁତ୍ୱ ଦିଆଯାଉଛି।



