ନୂଆଦିଲ୍ଲୀ : ଅରୁଣାଚଳପ୍ରଦେଶରେ ପ୍ରକୃତ ନିୟନ୍ତ୍ରଣା ରେଖା (ଏଲ୍ଏସି) ଅତିକ୍ରମ କରି ଚୀନ୍ ସୈନ୍ୟମାନେ ଭାରତୀୟ କ୍ଷେତ୍ରର ପ୍ରାୟ ୧ କିଲୋମିଟର ଭିତରକୁ ପଶି ଆସିଥିଲେ। ଅକ୍ଟୋବର ପ୍ରଥମ ସପ୍ତାହରେ ମଧ୍ୟ ଚୀନ ସୈନ୍ୟମାନେ ଏଭଳି କାଣ୍ଡ ଭିଆଇଥିଲେ। ଭାରତୀୟ ଯବାନଙ୍କ ବିରୋଧ ଓ ପ୍ରତିରୋଧ ପରେ ଚୀନ ସୈନ୍ୟମାନେ ନିଜ ସୀମାକୁ ଫେରିଯାଇଛନ୍ତି। ଉଲ୍ଲେଖ ଯେ ପୂର୍ବରୁ ୨୦୧୭ ଜୁନ୍ ୧୬ରେ ସିକ୍କିମର ଡୋକଲାମଠାରେ ଭାରତ ଓ ଚୀନ୍ ସୈନ୍ୟ କ୍ରମାଗତ ୭୩ ଦିନ ଧରି ମୁହାଁମୁହିଁ ଅବସ୍ଥାରେ ରହିଥିଲେ। ଫଳରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ କୂଟନୈତିକସ୍ତରରେ ଆଲୋଚନା ଦ୍ୱାରା ଏହି ବିବାଦର ସମାଧାନ କରାଯାଇଥିଲା।
ମିଳିଥିବା ସୂଚନା ଅନୁସାରେ ଚୀନ୍ ସୈନ୍ୟମାନେ ୧୦ ଦିନ ପୂର୍ବେ ଅରୁଣାଚଳ ଅନ୍ତର୍ଗତ ଦିବାଙ୍ଗ ଉପତ୍ୟକାର ୧୦୦୦ ମିଟର (ଏକ କିଲୋମିଟର) ଭିତରକୁ ପ୍ରବେଶ କରିଥିଲେ। ଭାରତୀୟ ସେନା ସେମାନଙ୍କୁ ସେମାନଙ୍କ ଅବସ୍ଥିତି ବିଷୟରେ ଅବଗତ କରିବା ପରେ ଚୀନ୍ ସୈନ୍ୟ ଫେରିଯାଇଥିଲେ। ଏହି ଘଟଣାକୁ ନେଇ କୌଣସି ତୁମ୍ବିତୋଫାନ ହୋଇନାହିଁ। ଉଭୟ ପକ୍ଷ ଆପୋଷ ବୁଝାମଣା ଭିତ୍ତିରେ ଏହାର ସମାଧାନ କରିଛନ୍ତି। ଦୁଇ ଜଣ ପୂର୍ବତନ ସାମରିକ ଅଧିକାରୀ ପରାମର୍ଶ ଦେଇଛନ୍ତି ଯେ ଉକ୍ତ ସ୍ଥାନରେ ଚୀନର ଗତିବିଧି ଯାହା ସେଥିରୁ ଆଗାମୀ ଦିନରେ ପୁନଃ ଡୋକଲାମ ଭଳି ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଉକ୍ତ ସୀମାନ୍ତ ଅଞ୍ଚଳରେ ନିଜର ଭିତ୍ତିଭୂମି ବିକାଶ କରିବା ଆବଶ୍ୟକ।
ଅରୁଣାଚଳରେ ୧ କିଲୋମିଟର ଭିତରକୁ ପଶି ଆସିଲେ ଚୀନ୍ ସୈନ୍ୟ
Popular Categories



