ପିପିଲି: ପିପିଲି ଅଞ୍ଚଳର ଜଣେ ଆଦର୍ଶ ଶିକ୍ଷକ ଭାବେ ପରିଚିତ ଗୋବିନ୍ଦପୁର ହାଇସ୍କୁଲର ବିଜ୍ଞାନ ଶିକ୍ଷକ ବିବେକାନନ୍ଦ ଦାସଙ୍କର ୫୬ ବର୍ଷ ବୟସରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ସୋମବାର ପରଲୋକ ଘଟିଛି। ସେ ଗୁରୁତର ଅସୁସ୍ଥ ହୋଇ ଗତ ୨ଦିନ ତଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।
୧୯୯୨ ମସିହାରେ ପିପିଲି ହାଇସ୍କୁଲରେ ବିଜ୍ଞାନ ଓ ଗଣିତ ଶିକ୍ଷକ ଭାବେ ସେ ନିଜର ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ପରେ ୨୦୦୨ ମସିହାରେ ଗୋବିନ୍ଦପୁର ହାଇସ୍କୁଲକୁ ତାଙ୍କର ବଦଳି ହୋଇଥିଲା। ସେ ଜଣେ ଛାତ୍ରବତ୍ସଳ, ସ୍ନେହୀ, ମେଳାପି, ପରୋପକାରୀ ଓ ଜ୍ଞାନୀ ଶିକ୍ଷକ ଭାବେ ଉଭୟ ବିଦ୍ୟାଳୟରେ ବେଶ୍ ପରିଚିତ। ଭଲ କ୍ରିକେଟ୍ ଓ ଭଲିବଲ ଖେଳାଳି ଭାବେ ମଧ୍ୟ ତାଙ୍କର ବେଶ୍ ସୁନାମ ରହିଛି। ପିପିଲି ଅଞ୍ଚଳର ଅନେକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହ ସେ ପ୍ରତ୍ୟକ୍ଷ ଭାବେ ଜଡିତ ଥିବା ବେଳେ ଅଞ୍ଚଳରେ ବିଭିନ୍ନ ସମାଜସେବା କାର୍ଯ୍ୟରେ ସେ ସର୍ବଦା ନିଜକୁ ନିୟୋଜିତ ରଖୁଥିଲେ। ତାଙ୍କ ପରଲୋକରେ ସମଗ୍ର ପିପିଲି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଶତାଧିକ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ପିପିଲି ପଦାସାହିସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ତାଙ୍କର ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ଏକ ଶୋଭାଯାତ୍ରାରେ ତାଙ୍କ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ସେଠାରେ ଶେଷକୃତ୍ୟ ସଂପନ୍ନ କରାଯାଇଛି।



