ସମ୍ବଲପୁର: ନୁଆଁଖାଇ ପଶ୍ଚିମ ଓଡିଶାର ୧୦ଟି ଜିଲାରେ ଧୂମଧାମରେ ଗଣପର୍ବ ରୂପେ ପାଳିତ ହୋଇଆସୁଛି । ଏହା ପଶ୍ଚିମ ଓଡିଶାର ସବୁଠାରୁ ବଡ ପର୍ବ ହୋଇଥିବା ବେଳେ ମାଁ ସମଲେଶ୍ୱରୀଙ୍କୁ ଚାଷୀ ତାର ପ୍ରଥମ ଉତ୍ପାଦିତ ଧାନର ଚାଉଳ ଅର୍ପଣ ପରେ ସାରା ପଶ୍ଚିମ ଓଡିଶାବାସୀ ନୂତନ ଧାନରୁ ଉତ୍ପାଦିତ ଚାଉଳକୁ ଭୋଗ ଲାଗି ନବାନ୍ନ ଗ୍ରହଣ କରିଥାନ୍ତି । ଏହି ଗଣପର୍ବକୁ ରାଜ୍ୟ ସରକାରଙ୍କ ଦ୍ୱାରା ଯେତିକି ଗୁରୁତ୍ୱ ଦେବା କଥା ତାହା ଆଜି ପର୍ଯ୍ୟନ୍ତ ଦିଆଯାଇ ପାରିନାହିଁ । ଏହି ପର୍ବ ପାଇଁ ଦୂରଦୁରାନ୍ତରେ ରହିଥିବା ପଶ୍ଚିମ ଓଡିଶାବାସୀ ପରିବାର ସହିତ ଏକ ସଙ୍ଗରେ ନବାନ୍ନ ଗ୍ରହଣ ପାଇଁ ଧାଇଁ ଆସୁଥିବା ବେଳେ ଏଥିପାଇଁ ରହିଥିବା ସରକାରୀ ଛୁଟିଦିନ ପର୍ଯ୍ୟାପ୍ତ ହୋଇ ପାରୁନାହିଁ । ପରିବାର ସହିତ ସମାଜକୁ ଏକତାର ସୂତ୍ରରେ ବାନ୍ଧି ରଖିବା ସହିତ ଏହାର ସାଂସ୍କୃତିକ ମହତ୍ତ୍ଵ ମଧ୍ୟ ବେଶ ରହିଛି । ଏଣୁ ନୁଆଁଖାଇ ଅବସରରେ ସରକାରୀ ଛୁଟିକୁ ୩ ଦିନ ଦେବାକୁ ପ୍ରୟାସ ପରିବାର ସମ୍ବଲପୁର ପକ୍ଷରୁ ସ୍ଥାନୀୟ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ଅନୁଷ୍ଠାନର ସଭାପତି ସ୍ୱୟଂଜିତ ପଟ୍ଟନାୟକ, ଅଭୟ ପ୍ରଧାନ, ଅର୍ପଣ କୁମାର ନାୟକ, କେଦାରନାଥ ମାଝୀ, ମହମ୍ମଦ ପରବେଜ ଅଲ୍ଲୀ ଖାନ, ରାଜ କୁମାର ଜାଲ, ଟି. ସାହୁ, ପ୍ରବୀଣ କୁମାର ସୂପକାର, ରଘୁ କୋକ, ସନତ ନାୟକ ପ୍ରମୁଖଙ୍କ ପକ୍ଷରୁ ଦାବିପତ୍ର ଦିଆଯାଇଛି।



