www.samajalive.in
Monday, December 8, 2025
27.1 C
Bhubaneswar

ଶାନ୍ତିଶୃଙ୍ଖଳା ଓ ଅବାଧ ନିର୍ବାଚନ ଲାଗି ପ୍ରସ୍ତୁତ: ଡିଜି

-ନିର୍ବାଚନ ବର୍ଜନ ଲାଗି ମାଓବାଦୀଙ୍କ ଧମକ,-ଗୁଳି ବିନିମୟରେ ଜଣେ ମହିଳା କ୍ୟାଡରଙ୍କ ମୃତ୍ୟୁ
ଭୁବନେଶ୍ବର : ସାଧାରଣ ନିର୍ବାଚନ ସମ୍ପର୍କରେ ନିର୍ବାଚନ କମିସନ ଘୋଷଣା କରିବା ପରେ ଗଣତାନ୍ତ୍ରିକ ପଦ୍ଧତିକୁ ବିରୋଧ କରି ଆସୁଥିବା ମାଓ ସଂଗଠନଗୁଡ଼ିକ ପକ୍ଷରୁ ନିର୍ବାଚନକୁ ବର୍ଜନ କରିବା ଲାଗି ଧମକ ଦିଆଗଲାଣି। ନକ୍ସଲ ପ୍ରଭାବିତ ଅଞ୍ଚଳରେ ଶାନ୍ତିଶୃଙ୍ଖଳା, ଅବାଧ ନିର୍ବାଚନ କରାଇବା ଲାଗି ପୁଲିସ ବାହିନୀ ଏବେ ପ୍ରସ୍ତୁତ। ସିପିଆଇ ମାଓବାଦୀ ସଂଗଠନର ସକ୍ରିୟ ସଦସ୍ୟମାନେ ଜନବସତି ନିକଟରେ ମାଓ ସମର୍ଥକଙ୍କ ମାଧ୍ୟମରେ ଆସି ଏକାଧିକ ଗୁପ୍ତ ବୈଠକ କରୁଥିବା ଜଣାପଡିଛି। ଗତ ୧୧ ତାରିଖ ରାତିରୁ କିଛି ସିପିଆଇ(ମାଓବାଦୀ) ଏକଜୁଟ୍‌ ହୋଇଥିବା ନେଇ ବୁଧବାର ଭୋର୍‌ରୁ କନ୍ଧମାଳ ଏସ୍‌ପି ଏକ ଗୁଇନ୍ଦା ସୂଚନା ପାଇଥିଲେ। ୩ ଟି ଏସ୍‌ଓଜି ଓ ଡିଭିଏଫ୍ ଟିମ୍‌ ତୁମୁଡିବନ୍ଧ ଥାନା ଅଧୀନ ନକୁଡିପଡା, ଲିଙ୍ଗରମହା, ଜନଗଡ଼ ଓ ରାମପଦର ଜଙ୍ଗଲରେ ଯାଞ୍ଚ ଆରମ୍ଭ କରିଦେଇଥିଲେ। ହଠାତ୍‌ ନକ୍ସଲଙ୍କ ପକ୍ଷରୁ ଗୁଳି ଚାଳନା ଆରମ୍ଭ ହୋଇଯାଇଥିଲା। ଏସ୍‌ଓଜି ପକ୍ଷରୁ ପାଲଟା ଗୁଳି ବିନିମୟ ହୋଇଥିଲା। ପ୍ରାୟ ଅଧଘଣ୍ଟା ଧରି ଗୁଳି ବିନିମୟ ପରେ ଜଙ୍ଗଲରେ ଖୋଜାଖୋଜି କରିବା ବେଳେ ଜଣେ ମହିଳା କ୍ୟାଡରଙ୍କର ମୃତଦେହ ମିଳିଥିଲା। ଘଟଣାସ୍ଥଳରୁ ପୁଲିସକୁ ଗୋଟିଏ ୩୦୩ ରାଇଫଲ୍‌ ଏବଂ ୩ଟି ଦେଶୀ ବନ୍ଧୁକ ମିଳିଥିଲା। ଏହାବ୍ୟତୀତ ୩ଟି ହାଣ୍ଡ ଗ୍ରେନେଡ, ଟିଫିନ୍ ବୋମା, ମାଓ ସଂଗଠନର ଅନେକ ସାମଗ୍ରୀ ଜବତ ହୋଇଛି। ଘଟଣାସ୍ଥଳରେ ୮ରୁ ୧୦ ଜଣ ମାଓବାଦୀ ସେଠାରେ ଏକତ୍ର ହୋଇ କ୍ୟାମ୍ପ କରିଥିବା ଅନୁମାନ କରାଯାଉଛି ବୋଲି ପୁଲିସ ମହାନିର୍ଦେଶକ ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ମୃତ ମହିଳା ମାଓବାଦୀଙ୍କ ପରିଚୟ ଜଣାପଡିନାହିଁ। ଚଳିତ ବର୍ଷ ଏହାକୁ ମିଶାଇ ରାଜ୍ୟରେ ୧୩ ଥର ମାଓବାଦୀଙ୍କ କାର୍ଯ୍ୟକଳାପ ଦେଖାଯାଇଛି। ଦୁଇ ଥର ଗୁଳି ବିନିମୟ ହୋଇସାରିଲାଣି। ମାଓବାଦୀମାନେ ୪ ଜଣ ସାଧାରଣ ଲୋକଙ୍କୁ ହତ୍ୟା କରିଥିବା ବେଳେ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କର ମୃତ୍ୟୁ ଘଟିଛି। ୧୫ ଜଣ ମାଓବାଦୀଙ୍କୁ ପୁଲିସ ଗିରଫ କରିଛି ଏବଂ ୩ ଜଣ ସିପିଆଇ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।
ନିର୍ବାଚନକୁ ଆଖିଆଗରେ ରଖି ନକ୍ସଲ ପ୍ରଭାବିତ ଜିଲାଗୁଡ଼ିକରେ ସିପିଆଇ ମାଓବାଦୀଙ୍କର କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଏପ୍ରିଲ୍‌ ୧୧ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୯ଟି ଜିଲା ମଧ୍ୟରୁ କେତେକ ଜିଲା ନକ୍ସଲ ପ୍ରଭାବିତ। ନକ୍ସଲ ପ୍ରଭାବିତ ଜିଲାଗୁଡ଼ିକରେ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ, ଅବାଧ ଓ ଭୟମୁକ୍ତ ଭାବେ କରାଇବା ଲାଗି ୧୫୦ କମ୍ପାନୀ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ(ସିଏପିଏଫ୍‌) ପ୍ରଦାନ କରାଯିବାକୁ ନିର୍ବାଚନ କମିସନଙ୍କୁ ସୁପାରିସ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୨୯ କମ୍ପାନୀ(ପ୍ରାୟ ୩୦୦୦) ଅର୍ଦ୍ଧସାମରିକ ବାହିନୀ ଖୁବ୍‌ଶୀଘ୍ର ଓଡ଼ିଶାରେ ପହଞ୍ଚିବେ ବୋଲି ପୁଲିସ ମହାନିର୍ଦେଶକ ସୂଚନା ଦେଇଛନ୍ତି। ନିର୍ବାଚନ ପୂର୍ବରୁ ଆଉ ଦୁଇଟି ପର୍ଯ୍ୟାୟରେ ସିଏପିଏଫ୍ ପହଞ୍ଚି ବୋଲି ଜଣାପଡିଛି। ଆନ୍ଧ୍ର, ତେଲଙ୍ଗାନା ଓ ଛତିଶଗଡ଼ରେ ନିର୍ବାଚନ ହେଉଥିବାରୁ ନକ୍ସଲ ପ୍ରଭାବିତ ସୀମାନ୍ତ ଅଞ୍ଚଳଗୁଡ଼ିକ ଉପରେ ଅଧିକ କଡ଼ା ନଜର ରଖାଯାଇଛି। ଆନ୍ତଃରାଜ୍ୟ ଅପରାଧୀଙ୍କ ଗିତିବିଧି ଉପରେ ମଧ୍ୟ ନଜର ରହିଛି।
ରାଜ୍ୟରେ ପୂର୍ବରୁ ନକ୍ସଲ ପ୍ରଭାବିତ ଅଞ୍ଚଳରେ ମୁତୟନ ହୋଇଥିବା କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ସିଆର୍‌ପିଏଫ୍ ଓ ବିଏସ୍‌ଏଫ୍ ମାଓବାଦୀଙ୍କ କାର୍ଯ୍ୟକଳାପ ସମ୍ପର୍କରେ ପ୍ରାୟତଃ ଅବଗତ ଅଛନ୍ତି। ନିର୍ବାଚନ ପାଇଁ ରାଜ୍ୟକୁ ଆସୁଥିବା ନୂତନ ଆଇଟିବିପି ଓ ସିଆଇଏସ୍‌ଏଫ୍ ଯବାନମାନଙ୍କୁ ନକ୍ସଲଙ୍କ କାର୍ଯ୍ୟଶୈଳୀ ସମ୍ପର୍କରେ ଅବଗତ କରାଯିବ ବୋଲି ମହାନିର୍ଦେଶକ ସୂଚନା ଦେଇଛନ୍ତି। ନିର୍ବାଚନ ସମୟରେ ଆକାଶ ମାର୍ଗରୁ ପାଟ୍ରୋଲିଂ କରାଯିବା ଲାଗି ୩ଟି ହେଲିକପ୍ଟର ଯୋଗାଇ ଦିଆଯିବାକୁ ନିର୍ବାଚନ କମିସନଙ୍କୁ ସୁପାରିସ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୯ ଜିଲା ମଧ୍ୟରୁ କୋରାପୁଟ, ମାଲ୍‌କାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡା ଜିଲାରେ ନକ୍ସଲ ପ୍ରଭାବିତ। ତେଣୁ ଏସବୁ ଜିଲାରେ ପୁଲିସର ପ୍ରସ୍ତୁତି, ସତର୍କ ଓ ବନ୍ଦୋବସ୍ତକୁ ମଜଭୁତ୍‌ କରାଯିବ ବୋଲି ସେ କହିଛନ୍ତି। ଗତବର୍ଷ ତୁଳନାରେ ଅଧିକ ସତର୍କତା ଅବଲମ୍ବନ କରାଯିବାକୁ ଉଦ୍ୟମ କରାଯାଇଛି। ନକ୍ସଲମାନଙ୍କ କାର୍ଯ୍ୟକଳାପକୁ ଦୃଷ୍ଟିରେ ଉଭୟ ପୁଲିସ ବାହିନୀ ଓ ରାଜନେତାଙ୍କୁ ଧାର୍ଯ୍ୟ ନିୟମାବଳୀ(ଏସ୍‌ଓପି)କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସତର୍କ କରାଯାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories