ପାଟଣା: ପ୍ରାଥମିକ ଶିକ୍ଷକଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ବିରୋଧରେ ରାଜ୍ୟ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ରଣହୁଙ୍କାର । ସଂଘ ପକ୍ଷରୁ ଦାବି ନେଇ ଆଗାମୀ ଦିନରେ ଘଟଗାଁ ବ୍ଳକ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ପୁଣି ଆନ୍ଦୋଳନକୁ ମଜଭୁତ୍ କରିବା ପାଇଁ ଘଟଗାଁ ଠାରେ ଶିକ୍ଷକ-ଶିକ୍ଷୟିତ୍ରୀ ମାନେ ଗତକାଲି ଏକ ସମ୍ମିଳିତ ଆଲୋଚନା ପ୍ରସ୍ତୁତି ବୈଠକରେ ଯୋଗ ଦେଇଥିଲେ ।
କେନ୍ଦୁଝର ଜିଲ୍ଲା ସଂଘ ସଭାପତି ଦିଲ୍ଲୀପ କୁମାର ରାଉତ ଭିଡିଓ ବାର୍ତ୍ତାରେ ଯୋଗ ଦେଇ ଓଡ଼ିଶାର ସବୁବର୍ଗର ସବୁ ଗୋଷ୍ଠୀର ଶିକ୍ଷକ ସଂଘକୁ ଓ ରାଜ୍ୟର ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଭାବନାକୁ ସମ୍ମାନ ଦେଇ ହକ୍ ଦାବି ଓ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଆହ୍ୱାନ ଦେବା ସହ ଘଟଗାଁ ମା’ ତାରିଣୀ ପୀଠରୁ ରାଜ୍ୟର ସମସ୍ତ ଶିକ୍ଷକ ନେତା ମାନଙ୍କୁ ଏକାଠି ହେବାକୁ କେନ୍ଦୁଝର ଜିଲ୍ଲାସଂଘ ପକ୍ଷରୁ ବୈଠକରେ ନିବେଦନ କରାଯାଇଥିଲା । କଣ୍ଟ୍ରାକ୍ଟଚୁଆଲ ଉଚ୍ଛେଦ, ଶିକ୍ଷା ସହାୟକ ଓ ଜୁନିଅର ଟିଚର ଛଅ ବର୍ଷ ଅବଧିକୁ ଚାକିରି କାଳରେ ଗଣା , ୬ଟି ବର୍ଦ୍ଧିତ ଦରମା ତୁରନ୍ତ ପ୍ରଦାନ ଓ ପୁରୁଣା ପେନସନ୍ ଯୋଜନା ଲାଗୁ ଭଳି ବହୁ ପ୍ରସଙ୍ଗର ବିସ୍ତୃତ ଆଲୋଚନା ରଖି ଆଗାମୀ ଆନ୍ଦୋଳନରେ ସମସ୍ତେ ଏକ୍ ହେବା ଲାଗି ନିବେଦନ କରାଯାଇଥିଲା ।
ଅଲଗା ଅଲଗା ଲଢେଇ ଓ ଅହଂକାର ଛାଡି ଶକ୍ତି ପ୍ରଦର୍ଶନ ସହ ସମସ୍ତେ ଗୋଟିଏ ଛତା ତଳେ ଏକ ହୋଇ ଦାବି ହାସଲ କରିବାକୁ ସମସ୍ତ ଶିକ୍ଷକ ନେତାମାନଙ୍କୁ ବୈଠକରେ ଆହ୍ୱାନ ଦିଆଯାଇଥିଲା । ଘଟଗାଁ ବ୍ଳକ ଶିକ୍ଷକ ସଂଘର ନେତା ସର୍ବଶ୍ରୀ ନବକୃଷ୍ଣ ରାଉତ, ଗୋଲକ ଚନ୍ଦ୍ର ବେହେରା, ଅଶୋକ କୁମାର ଦେଓ, କମଳାକାନ୍ତ ପଣ୍ଡା, ମମତା ସ୍ୱାଇଁ, ମନୋରମା ପତି, ଡମ୍ବରୁଧର ବେହେରା, ଅସିତ୍ କୁମାର ବେହେରା, ଶ୍ରୀନିବାସ ଶତପଥୀ, ବିଦ୍ୟାଧର ମହାନ୍ତ, ଯତୀନ୍ଦ୍ର କୁମାର ପଲେଇ, ଦଇତାରୀ ଘଣା, ଏସ.କେ ଏମଡି ଆଶ୍ରଫ୍ ଅଲ୍ଲୀ, ଆଶିଷ ବେହେରା, ପ୍ରଦୀପ ନାୟକ, ଚିତ୍ରସେନ, ହୃଷିକେଶ, ଯୁଗଳ କିଶୋର ରାଉତ, ବୀଣାପାଣି ପଟ୍ଟନାୟକ ଓ କପିଳେନ୍ଦ୍ର ମଳେଇ ପ୍ରମୁଖ ମତ ବିନିମୟ କରି ବୈଠକ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଆଗାମୀ ଦିନରେ ଜିଲ୍ଲା ତଥା ରାଜ୍ୟ ନେତୃତ୍ବକୁ ଶକ୍ତି ଦେବାକୁ ଘଟଗାଁ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତାମାନେ ସଂକଳ୍ପ ନେଇଥିଲେ ।



