କଟକ : ପଞ୍ଚାୟତ ଓ ପୌର ନିର୍ବାଚନରେ ତୃତୀୟ ଲିଙ୍ଗ (ଥାର୍ଡ ଜେଣ୍ଡର)ଙ୍କୁ ସଂରକ୍ଷଣ ପ୍ରସଙ୍ଗ ନେଇ ଦାୟର ମାମଲାରେ ମୁଖ୍ୟ ବିଚାରପତି ଡକ୍ଟର ଏସ.ମୁରଲୀଧର ଓ ବିଚାରପତି ବିଭୁପ୍ରସାଦ ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ପଞ୍ଚାୟତିରାଜ ବିଭାଗ ସଚିବଙ୍କୁ ଜବାବ ତଲବ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୨କୁ ଧାର୍ଯ୍ୟ କରାଯାଇଥିବା ବେଳେ ଏହା ପୂର୍ବରୁ ଜବାବ ଦାଖଲ ପାଇଁ ପ୍ରତିପକ୍ଷଙ୍କୁ ଉଚ୍ଚନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି। ସମାଜିକ କର୍ମୀ ମୀରା ବେଉରାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦେଶ ଦେଇଛନ୍ତି। ଲିଙ୍ଗ ପରିବର୍ତ୍ତନକାରୀଙ୍କୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ ସପକ୍ଷରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ରହିଛି। ୨୦୦୯ରେ ଭାରତର ନିର୍ବାଚନ କମିସନ୍ ମଧ୍ୟ ତୃତୀୟ ଲିଙ୍ଗଙ୍କୁ ସ୍ବୀକୃତି ଦେଇଥିଲେ। ଅନୁସୂଚିତ ଜାତି ଓ ଜନଜାତିଙ୍କ ଭଳି ତୃତୀୟ ଲିଙ୍ଗଙ୍କୁ ପୌର ଓ ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ ପ୍ରଦାନ କରାଯିବା କଥା; କିନ୍ତୁ ଏପରି କରାଯାଉ ନାହିଁ। ସ୍ଥାନୀୟ ନିର୍ବାଚନରେ ତୃତୀୟ ଲିଙ୍ଗଙ୍କୁ ସଂରକ୍ଷଣ ପ୍ରଦାନ ପାଇଁ ନିର୍ଦେଶ ପ୍ରଦାନ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଓମକାର ଦେବଦାସ ମାମଲା ପରିଚାଳନା କରୁଛନ୍ତି।
Popular Categories



