www.samajalive.in
Sunday, December 7, 2025
15.1 C
Bhubaneswar

ଆଇନଜୀବୀଙ୍କ ଆନ୍ଦୋଳନ ସ୍ଥଗିତ, ସୋମବାରଠୁ କାର୍ଯ୍ୟରେ ଯୋଗଦେବେ

କଟକ: ସ୍ଥଗିତ ରହିଲା ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ। ହାଇକୋର୍ଟ ବାର ଆସୋସିଏସନରେ ଶୁକ୍ରବାର ସାଧାରଣ ପରିଷଦ ବୈଠକ ବସିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଆସନ୍ତା ୪ ତାରିଖରେ ଆଇନଜୀବୀମାନେ କାର୍ଯ୍ୟରେ ଯୋଗ ଦେବେ ବୋଲି ହାଇକୋର୍ଟ ବାର ଆସୋସିଏସନ ସଭାପତି ଗୋପାଳକୃଷ୍ଣ ମହାନ୍ତି ସୂଚନା ଦେଇଛନ୍ତି। ବାର୍ କାଉନସିଲ୍ ଅଫ ଇଣ୍ଡିଆର ଅନୁରୋଧ, କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ଆଶ୍ବାସନା ଓ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ଆନ୍ଦୋଳନରୁ ଆସୋସିଏସନ ଓହରିଥିବା ସଭାପତି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। କିନ୍ତୁ ଆନ୍ଦୋଳନରୁ ଓହରିଥିଲେ ମଧ୍ୟ ଦାବିରେ ଅଟଳ ରହିବୁ ବୋଲି ସେ କହିଛନ୍ତି। କଲେଜିୟମ ବ୍ୟବସ୍ଥାକୁ ବିରୋଧ ଜାରି ରହିବ ବୋଲି ସଭାପତି କହିଛନ୍ତି। ଦାବି ପୂରଣ ପାଇଁ କଣ ପଦକ୍ଷେପ ଗ୍ରହଣ କରାଯିବ ସେ ନେଇ ପରବର୍ତ୍ତୀ ସମୟରେ ବିଚାର କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଥିଲେ। ସୂଚନାଯୋଗ୍ୟ ଯେ, ଓଡ଼ିଶା ହାଇକୋର୍ଟରେ ବିଚାରପତି ନିଯୁକ୍ତି ପ୍ରସଙ୍ଗକୁ ନେଇ ଆଇନଜୀବୀମାନେ କୋର୍ଟ ବର୍ଜନ ଜାରି ରଖିଥିଲେ। ବିଚାରପତି ନିଯୁକ୍ତି ନେଇ ସୁପ୍ରିମକୋର୍ଟର କଲେଜିୟମ ନିଷ୍ପତିକୁ ହାଇକୋର୍ଟ ବାର ଆସୋସିଏସନ ତୀବ୍ର ବିରୋଧ କରିବା ସହ ହାଇକୋର୍ଟରେ ଖାଲି ଥିବା ସମସ୍ତ ବିଚାରପତି ପଦବି ପୂରଣ ନେଇ ଗତ ୧୪ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲା। ତେବେ ହାଇକୋର୍ଟ ବାରକୁ ସମର୍ଥନ ଜଣାଇ ରାଜ୍ୟର ୯୩ ଆସୋସିଏସନ ଏଥିରେ ସାମିଲ ହୋଇ ଦିନିକିଆ କାର୍ଯ୍ୟବନ୍ଦ କରିଥିଲେ। ଆଇନଜୀବୀଙ୍କ କାର୍ଯ୍ୟ ବନ୍ଦ ଫଳରେ କୋର୍ଟ କାର୍ଯ୍ୟ ଏକ ପ୍ରକାର ଠପ ହୋଇଯାଇଥିଲା। ଫଳତଃ ଅନେକ ମାମଲାର ଶୁଣାଣି ହୋଇପାରି ନଥିଲା। ସେହିପରି ହାଇକୋର୍ଟ ଵାରକୁ ସମର୍ଥନ ଜଣାଇ କଟକର ସମସ୍ତ ନିମ୍ନ ଅଦାଲତର ବାର ଆସୋସିଏସନ  କାର୍ଯ୍ୟବନ୍ଦ ଜାରି ରଖିଥିଲା। ଅନ୍ୟପକ୍ଷରେ ଅକ୍ଟୋବର ୨୪ରେ ଏ ସଂପର୍କତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ଓ ହାଇକୋ‌ର୍ଟ ବାର୍ ଆସୋସିଏସନ୍ ସଭାପତିଙ୍କୁ ନଭେମ୍ବର ୮ରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ୨୦୧୮-୧୯ ବର୍ଷରେ ହାଇକୋର୍ଟ ଓ ରାଜ୍ୟର ପ୍ରତି ଜିଲ୍ଲା ଅଦାଲତରେ କେତେ ସଂଖ୍ୟାର କାର୍ଯ୍ୟ ଦିବସ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଯୋଗୁ ନଷ୍ଟ ହୋଇଛି ସେ ନେଇ ସତ୍ୟପାଠ ଦାଖଲ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ଅବଧି ମଧ୍ୟରେ କେଉଁ କାରଣରୁ ଆଇନଜୀବୀଙ୍କ ଅନ୍ଦୋଳନ ଓ କୋର୍ଟ ବର୍ଜନ ଜାରି ରହିଛି ସେ ନେଇ ସତ୍ୟପାଠରେ ଉଲ୍ଲେଖ କରିବା ପାଇଁ ସୁପ୍ରିମକୋର୍ଟ କହିଥିଲେ। ଏଥି ସହିତ ଆଇନଜୀବୀ ଆ‌େନ୍ଦାଳନ ପ୍ରସଙ୍ଗରେ ବାର୍ କାଉନସିଲ ଅଫ ଇଣ୍ଡିଆ ଅଧ୍ୟକ୍ଷଙ୍କୁ ସୁପ୍ରିମକୋର୍ଟ ନୋଟିସ୍ ଜାରି ନଭେମ୍ବର ୮ରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବାର କାଉନସିଲ ଅଫ ଇଣ୍ଡିଆ ଏହି ପ୍ରସଙ୍ଗରେ ଆଲୋଚନା କରି କେତେକ ପ୍ରସ୍ତାବ ଗ୍ରହଣ କରିଥିଲେ। ତରୁନ୍ତ ବାର୍ ଗୁଡିକ ଜରୁରି ବୈଠକ ଡାକି ବାର୍ କାଉନସିଲ ଅଫ୍ ଇଣ୍ଡିଆ ଏ ନେଇ ଗ୍ରହଣ କରିଥିବା ପ୍ରସ୍ତାବ ଆଧାରରେ ପଦକ୍ଷେପ ଗ୍ରହଣ କରି ସଦସ୍ୟମାନେ ଜାରି ରଖିଥିବା କାର୍ଯ୍ୟବନ୍ଦକୁ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାର୍ କାଉନସିଲ ଅଫ ଇଣ୍ଡିଆ ଏ ନେଇ ହାଇକୋର୍ଟ ବାର୍ ଆସୋସିଏସନ୍, ସମ୍ବଲପୁର ବାର୍ ଆସୋସିଏସନ୍, ଭୁବନେଶ୍ବର ବାର୍ ଆସୋସିଏସନ ସମେତ ୬୮ଟି ବାର୍ ଆସୋସିଏସନର ସଭାପତି ଓ ସଂପାଦକଙ୍କୁ ଚିଠି ଲେଖିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories