ଭୁବନେଶ୍ବର: ଓଡିଶା ଉପକୂଳ ନିକଟସ୍ଥ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଗୁରୁଚାପ ହେତୁ ଆଗାମୀ ୫ଦିନ ମଧ୍ୟରେ ରାଜ୍ୟରେ ଦିନ ଓ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଏହି ସମୟ ପରିଧି ମଧ୍ୟରେ କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବା ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।
ଶୁକ୍ରବାର ରାଜଧାନୀ ଏବଂ ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ଛୁଇଁଛି। ମଧ୍ୟାହ୍ନରେ ଭୁବନେଶ୍ବରରେ ଟାଣଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି। ୫ଟି ସହରରେ ଦିନ ତାପମାତ୍ରା ୩୭ଡିଗ୍ରୀ ଉପରେ ରେକର୍ଡ ହୋଇଛି। ଅନୁଗୋଳ ଏବଂ ସମ୍ବଲପୁରରେ ଦିନ ତାପମାତ୍ରା ୩୭.୩ ଡିଗ୍ରୀ ଥିବାବେଳେ ତାଳଚେର ୩୭.୬ଡିଗ୍ରୀ, ବଲାଙ୍ଗୀର ୩୭.୧ଡିଗ୍ରୀ ଏବଂ ବୌଦ୍ଧ ୩୭.୬ଡିଗ୍ରୀ ରହିଛି। ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେବାର ଆଶଙ୍କା ରହିଛି।



