ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ୭ନଂ କେନାଲରେ ପାଣି ଆସୁ ନଥିବାରୁ ଚାଷୀ ଚିନ୍ତାରେ ପଡିଛନ୍ତି। ଏହି ଅଞ୍ଚଳରେ ଅଳ୍ପ କେତେକ ଜମିକୁ ଛାଡ଼ିଦେଲେ ପ୍ରାୟ ୭୦ ପ୍ରତିଶତ ତଳି ଘେରା ଜମି ଜଳ ଅଭାବରୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି। ଧାର୍ଯ୍ୟ ସମୟରେ ଧାନ ଚାଷ ନ ହୋଇପାରିଲେ ବର୍ଷକ ଆହାର କିପରି ଯୋଗାଡ଼ କରିବେ ତାହା ଚାଷୀଙ୍କୁ ଚିନ୍ତାରେ ପକାଇଛି। ପରିଣାମ ସ୍ବରୂପ ଜଳସେଚନ ସୁବିଧା ଥାଇ ମଧ୍ୟ କେନ୍ଦେଇପଶି ପଞ୍ଚାୟତର ବିଭିନ୍ନ ଗ୍ରାମକୁ କେନାଲ ତଥା ଏହାର ଶାଖା ଓ ଉପଶାଖା କେନାଲ ରହିଥିବା କେନ୍ଦେଇପଶି, ଗମ୍ବାରିଆ, କାଶୀପୁର,ମହିଷାମୁଣ୍ଡି, ଖୁଣ୍ଟାପଡା,ସିଲିଦା,କେନ୍ଦୁଆପଡା ଆଦି ଗ୍ରାମରେ ପାଣି ଆସୁନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। କେନାଲ ଠିକ୍ ସମୟରେ ସଫେଇ କରାଯାଇନାହିଁ। ଗମ୍ବାରିଆ ମୁଣ୍ଡା ସାହିରେ ନିର୍ମିତ ଫଲ ଭାଙ୍ଗି ଯାଇଛି।
ଚାକୁଣ୍ଡାପାଳ ଗ୍ରାମ ମୁଣ୍ଡରୁ ଏକ କେନାଲ ଶାଖା ବାହାରିଥିବା ୧୨ରୁ ଊର୍ଦ୍ଧ୍ୱ ଗ୍ରାମରେ ମାତ୍ର ୧୦ ପ୍ରତିଶତ ଚାଷ କାର୍ଯ୍ୟ ହୋଇପାରିଛି। ଏ ସମ୍ପର୍କରେ କେନାଲ ଦାୟିତ୍ୱରେ ଥିବା କାଣିଝରୀ ଡ୍ୟାମର ଏସ୍ଡିଓ ଲୋକନାଥ ନାଏକ ଓ ବିଭାଗୀୟ ଯନ୍ତ୍ରୀଙ୍କ ଅବହେଳାକୁ ଦାୟୀ କରିଛନ୍ତି ଚାଷୀମାନେ। ଚାଷୀମାନଙ୍କୁ ନେଇ ନୂତନ ପାଣି ପଞ୍ଚାୟତ ଗଠନ ମଧ୍ୟ କରାଯାଇ ନଥିବା କହିଛନ୍ତି। କେନାଲ ସଫେଇ କାର୍ଯ୍ୟ ପାଣି ପଞ୍ଚାୟତ ଦାୟିତ୍ୱରେ ଥିଲେ ମଧ୍ୟ ତାଙ୍କୁ ଦାୟିତ୍ୱ ଦିଆଯାଇନାହିଁ ବୋଲି କହିଛନ୍ତି। କେନାଲ ସଫେଇ କିମ୍ବା ମରାମତି କାର୍ଯ୍ୟ କରାଯାଇନଥିବାରୁ ପାଣି ଛାଡ଼ିବାରେ ବିଳମ୍ବ ହେଇଥିବା ଅଧିକାରୀ ପ୍ରକାଶ କରିଛନ୍ତି। ଦାୟିତ୍ୱରେ ଥିବା ଯନ୍ତ୍ରୀ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରି ନ ଥିବା ଏସ୍ଡିଓ ସ୍ବୀକାର କରିଛନ୍ତି। ଜଳସମ୍ପଦ ବିଭାଗ ଏକଜିକ୍ୟୁଟିଭ ଇଞ୍ଜିନିୟର ବ୍ୟାରେଜ୍ରୁ ଆବଶ୍ୟକ ମୁତାବକ ପାଣି ଆସୁ ନ ଥିବା ଏବଂ ଏପରି ଅବସ୍ଥା ଲାଗି ରହିଲେ ଆଗାମୀ ଦିନରେ ଉତ୍କଟ ଜଳ ସମସ୍ୟା ଦେଖାଦେବ ବୋଲି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଚାଷୀମାନେ ଜଳକର ଦିଆଯାଉଥିଲେ ମଧ୍ୟ କେନାଲରେ ପାଣି ଆସୁନଥିବାରୁ ଚାଷୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜିଲାପାଳ ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି।



