ଭୁବନେଶ୍ଵର : ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପତି ଆଜି ଭୁବନେଶ୍ୱରସ୍ଥିତ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ)ର କର୍ପୋରେଟ୍ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ ପରିବେଶଗତ ସ୍ଥାୟୀତ୍ୱ ଏବଂ ସବୁଜ ବିକାଶକୁ ତ୍ଵରାନ୍ୱିତ କରିବା ନିମନ୍ତେ ‘ଏକ ପେଡ୍ ମା କେ ନାମ୍’ କାର୍ଯ୍ୟକ୍ରମ ଜରିଆରେ ଏକ ବୃକ୍ଷ ରୋପଣ କରିଥିଲେ।
ନାଲକୋର ଅଧ୍ୟକ୍ଷ-ସହ-ପରିଚାଳନା ନିର୍ଦ୍ଦେଶକ ବ୍ରିଜେନ୍ଦ୍ର ପ୍ରତାପ ସିଂହ କମ୍ପାନୀର ନିର୍ଦ୍ଦେଶକ ଏବଂ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ମାନ୍ୟବର ରାଜ୍ୟପାଳଙ୍କୁ ସ୍ୱାଗତ ଜଣାଇଥିଲେ। ଗସ୍ତ ସମୟରେ, ଡକ୍ଟର କମ୍ଭମପତି ନାଲକୋର ବରିଷ୍ଠ ଅଧିକାରୀଙ୍କ ସହିତ କମ୍ପାନୀର ପରିଚାଳନା ପ୍ରସଙ୍ଗରେ ଆଲୋଚନା କରିଥିଲେ। ଓଡ଼ିଶାରେ ମୁଖ୍ୟାଳୟ ଥିବା ଏକମାତ୍ର କେନ୍ଦ୍ରୀୟ ନବରତ୍ନ ଲୋକ ଉଦ୍ୟୋଗ ଭାବରେ ନାଲକୋର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ରାଜ୍ୟର ଶିଳ୍ପ ଅଭିବୃଦ୍ଧିକୁ ଆଗେଇ ନେବାରେ ଏହାର ଅବଦାନ ପାଇଁ ସେ ପ୍ରଶଂସା କରିଥିଲେ। ‘ବିକଶିତ ଭାରତ’ ଦିଗରେ କମ୍ପାନୀର ପ୍ରୟାସ ଏବଂ ଅବଦାନ ନିମନ୍ତେ ସେ ଅଭିବାଦନ ଜଣାଇଥିଲେ ।



