ଆଠଗଡ : ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ବ୍ରାହ୍ମଣବସ୍ତ ଗ୍ରାମରେ ଜଣେ ମହିଳାଙ୍କ ପ୍ରତି ଘଟିଥିବା ଏକ ଅସଦାଚରଣ ମାମଲାର ବିଚାର କରି ଆଠଗଡ ଏସଡିଜେଏମ ଅଭିଯୁକ୍ତକୁ ମଙ୍ଗଳବାର ଦଣ୍ଡ ବିଧାନ କରି ରାୟ ପ୍ରକାଶ କରିଛନ୍ତି । ୨୦୦୮ ମସିହା ଜୁନ ୨୭ ତାରିଖରେ ବ୍ରାହ୍ମଣବସ୍ତ ଗ୍ରାମର ଚୈତନ୍ଯ ମୁର୍ମୁ ଓରଫ ଟୁବୁ ଜଣେ ମହିଳାଙ୍କ ଘରେ କେହି ନଥିବାର ସୁଯୋଗ ନେଇ ଘରେ ପଶି ତାଙ୍କୁ ଅସଦାଚରଣ କରିଥିଲେ। ଏ ସମ୍ପର୍କରେ ପୀଡିତା ମହିଳା ଗୁରୁଡିଝାଟିଆ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା। ପୁଲିସର ଅଭିଯୋଗ ଫର୍ଦ୍ଦ, ସମସ୍ତ ସାକ୍ଷ୍ୟପ୍ରମାଣ ଓ ସରକାରୀ ଓକିଲଙ୍କ ବଳିଷ୍ଠ ଯୁକ୍ତିକୁ ଗ୍ରହଣ କରି ଏସଡିଜେଏମ ନରୋଜ କୁମାର ସାହୁ ସଂପୃକ୍ତ ଅଭିଯୁକ୍ତ ଚୈତନ୍ଯକୁ ଦୋଷୀ ସାବ୍ୟସ୍ତ କରି ମଙ୍ଗଳବାର ତାଙ୍କ ରାୟ ପ୍ରକାଶ କରିଥିଲେ । ଏସଡିଜେଏମ ଶ୍ରୀ ସାହୁ ଅଭିଯୁକ୍ତକୁ ବିଭିନ୍ନ ଦଫାରେ ଦୋଷୀ ସାବ୍ଯସ୍ତ କରି ଏକ ବର୍ଷ ସଶ୍ରମ କାରାଦଣ୍ଡ ଓ ଏକ ହଜାର ଟଙ୍କା ଜୋରିମାନା ଏବଂ ଅନାଦେୟ ଅଧିକ ତିନି ମାସ ଜେଲ ଦଣ୍ଡ ଭୋଗିବାକୁ ତାଙ୍କ ରାୟରେ ଆଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ସହକାରୀ ପିପି ଦୀପକ ପ୍ରସାଦ ମାନସିଂହ ଓ ସିଦ୍ଧାର୍ଥ ମହାନ୍ତି ମାମଲାଟିକୁ ପରିଚାଳନା କରୁଥିଲେ।
Popular Categories



