www.samajalive.in
Monday, December 8, 2025
20.1 C
Bhubaneswar

ରେଙ୍ଗାଲି ଶିଳ୍ପାଞ୍ଚଳରେ ଜଳ ପାଳଟିଛି ଜହର, ପ୍ରଶାସନର ନିଘା ନାହିଁ

ରେଙ୍ଗାଲି: ରାଜ୍ୟର ସର୍ବାଙ୍ଗିନ ବିକାଶର ଦ୍ୱାହି ଦେଇ ଆମ ରାଜ୍ୟରେ ଚାଲିଛି ଅନ୍ଧାଧୁନିଆଁ ଶିଳ୍ପାୟନ। ଏହି କ୍ରମରେ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଗଢି ଉଠିଛି ଛତୁ ଫୁଟିଲା ଭଲି କଳ କାରଖାନା, ଖଣି ଖାଦାନ। ଏହି ଶିଳ୍ପାୟନ ପ୍ରକ୍ରିୟାରେ ରେଙ୍ଗାଲି ଅଞ୍ଚଳର ପ୍ରାକୃତିକ ସମ୍ପଦ ଏବଂ ପରିବେଶକୁ ଅବିଚାରିତ ଭାବରେ ଧ୍ୱଂସ କରି ଦିଆଯିବା ଫଳରେ ଏବେ ରେଙ୍ଗାଲି ଶିଳ୍ପାଞ୍ଚଳ ପ୍ରଦୁଷଣର ବିଷ ବଳୟରେ ପରିଣତ ହେଲାଣି। ବିକାଶର ରଙ୍ଗାରଙ୍ଗ ଚମକରେ ସରକାର ଏବଂ ପୁଞ୍ଜିପତି ବର୍ଗ ମସଗୁଲ ଥିବା ବେଳେ ଅଞ୍ଚଳର ଶିଳ୍ପ ପ୍ରଦୁଷିତ ଏବଂ କ୍ଷତିଗ୍ରସ୍ତ ଲୋକେ ଆଇରନ୍‌‌ ମିଶ୍ରିତ ଦୁଷିତ ଲାଲ୍‌‌ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଯାହାକି ଏକ ଚରମ ବିଡମ୍ବନାର ବିଷୟ ଅଟେ। ଶିଳ୍ପାୟନର ସର୍ବ ପ୍ରଥମ ମୂଳଦୁଆ ପଡ଼ିଥିବା ରେଙ୍ଗାଲି ବ୍ଲକର ଖିଣ୍ଡା ଗ୍ରାମ ପଞ୍ଚାୟତର ତଳାବିରା ଗ୍ରାମ ଲୋକେ ଗତ ଏକ ଦଶନ୍ଧିରୁ ଊର୍ଦ୍ଧ୍ବ ହେଲା ପ୍ରଚୁର ଆଇରନ୍‌‌ ଥିବା ଦୁଷିତ ଲାଲ୍‌‌ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଏଭଳି ପାଣି ବ୍ୟବହାର କରିବା ଦ୍ୱାରା ନାନପ୍ରକାର ଦୁରାରୋଗ୍ୟରେ ଲୋକେ ପୀଡିତ ହେଉଥିଲେ ମଧ୍ୟ ବିକଳ୍ପ ନଥିବାରୁ ଲାଲ୍‌‌ପାଣିକୁ ଛାଣି ସାଧ୍ୟମତେ ଫିଲଟର କରି ବ୍ୟବହାର କରୁଛନ୍ତି। ସ୍ୱଚ୍ଛ ବ୍ୟବହାର ଉପଯୋଗି ପାଣି ଯୋଗାଇ ଦେବା ପାଇଁ ଗ୍ରାମବାସୀ ଅସଂଖ୍ୟ ଥର ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବି ଜଣାଇ ଥିଲେ ବି କୌଣସି ସୁଫଳ ମିଳୁନାହିଁ।

ସମ୍ବଲପୁରକୁ କେତେ ଜିଲ୍ଲାପାଳ ବଦଳି ହୋଇ ଆସିଲେଣି ଏବଂ ଗଲେଣି କିନ୍ତୁ ତଳାବିରା ଗ୍ରାମବାସୀଙ୍କ ଲାଲ୍‌‌ ପାଣି ସମସ୍ୟାର ପ୍ରତିକାର କରିବା ପାଇଁ କାହାରି ଆନ୍ତରିକତା ନାହିଁ। ନିର୍ବାଚିତ ରାଜନେତା ମାନେ ମଧ୍ୟ ଏହି ସମସ୍ୟାର ପ୍ରତିକାର ପାଇଁ ଆଦୌ ଗୁରୁତ୍ୱ ଦେଉ ନାହାନ୍ତି। ଏହି ଗ୍ରାମର ଅତି ପାଖରେ ଥିବା ବିଶାଳ ହିରାକୁଦ ଜଳ ଭଣ୍ଡାରର ପାଣି କଳ କାରଖାନାକୁ ଦିଆଯାଉଛି। ତଳାବିରା ଗ୍ରାମରୁ ୩/୪କିମି ଦୂରରେ ଜଳଭଣ୍ଡାର ପାଖରେ ଭୂଷଣ ଷ୍ଟିଲ କମ୍ପାନି ଏକ ଜଳ ବିଶୋଧନ ପ୍ରକଳ୍ପ ସ୍ଥାପନ କରି ତଳାବିରା ଗାଁ ଦେଇ ପାଇପ୍‌‌ ଲାଇନ୍‌‌ରେ ଜଳଭଣ୍ଡାରର ସ୍ୱଚ୍ଛ ପାଣି ଟାଣି ନେଉଛି। ଭୂଷଣ କମ୍ପାନିର ଜଳ ବିଶୋଧନ ପ୍ରକଳ୍ପରୁ ଏକ ପାଇପ୍‌‌ ଲାଇନ୍‌‌ ଜରିଆରେ ଦିନକୁ ଅନ୍ତତଃ ୨/୩ଘଣ୍ଟା ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଅନେକ ଥର ଜିଲ୍ଲା ପ୍ରଶାସନ ତଥା ଏ ଅଞ୍ଚଳରୁ ନିର୍ବାଚିତ ଜନପ୍ରତିନିଧି ମାନଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ମଧ୍ୟ ଫଳ ଶୂନ୍‌‌। ଆମ ଅଞ୍ଚଳରେ ଶିଳ୍ପାୟନ ହେଲା ଜଳ ଜମି, ଜଙ୍ଗଳ.ପାଣି ସବୁ ଏଥିପାଇଁ ସ୍ୱାହା ହୋଇଗଲା ଅଥଚ ଆମକୁ ସର୍ବନିମ୍ନ ମୌଳିକ ଆବଶ୍ୟକ ହେଉଥିବା ସ୍ୱଚ୍ଛ ପାଣି ମିଳୁ ନାହିଁ। ଶିଳ୍ପାୟନର ମୋହରେ ମସଗୁଲ୍‌‌ ଥିବା ସରକାର ଏବଂ ଜିଲ୍ଲା ପ୍ରଶାସନ ଏହି ସମସ୍ୟା ପ୍ରତି ଆଖି ବୁଜି ଦେଇଥିବାରୁ ଗ୍ର।।ମବାସୀଙ୍କ ମଧ୍ୟରେ କ୍ଷୋଭ ଓ ଅସନ୍ତୋଷ ପାଉଛି।

- Advertisement -

ଅନୁସନ୍ଧାନରୁ ଜଣାପଡ଼ିଛି ଯେ ୨୦୦୮ ମସିହାରେ ସରକାରଙ୍କ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ତଲାବିରା ମୌଜାର ୩ ହଜାର ଲୋକଙ୍କ ପାଇଁ ପାଇପ୍‌‌ ଯୋଗେ ପାନୀୟ ଜଳ ଯୋଗାଣ ସକାଶେ ଏକ ପ୍ରକଳ୍ପ କାର୍ଯ୍ୟକ୍ଷମ କରିଥିଲେ। ତେବେ ଏହି ପ୍ରକଳ୍ପରୁ ବାହରୁ ଥିବା ପାଣି ଲାଲ୍‌‌ ଓ ଅତ୍ୟଧିକ ଆଇରନ୍‌‌ ଓ ଲୁଣ ଯୁକ୍ତ ହୋଇଥିବାର ଲୋକେ ଜାଣିବା ପରେ ପ୍ରସାଶନ ତଥା ବିଭାଗୀୟ କର୍ତୃପକ୍ଷଙ୍କୁ ଅବଗତ କରି ବିକଳ୍ପ ପାନୀୟ ଜଳର ବ୍ୟବସ୍ଥା କରିବାକୁ ଲଗାତାର ଦାବୀ କରି ଆସୁଛନ୍ତି। କିନ୍ତୁ ଅଦ୍ୟାବଧି କୌଣସି ସରକାର ଏବଂ ପ୍ରଶାସନ କୌଣସି ବିକଳ୍ପ ବ୍ୟବସ୍ଥା କରି ନାହାନ୍ତି। ଫଳରେ ଗ୍ରାମବାସୀ ବାଧ୍ୟ ହୋଇ ବନ୍ଧ, କଁଟାର ପାଣି ବ୍ୟବହାର କରୁଛନ୍ତି। ଆଇରନ୍‌‌ଯୁକ୍ତ ଦୁଷିତ ପାଣି ବ୍ୟବହାର କରିବା ଦ୍ୱାରା ବହୁ ସଂଖ୍ୟକ ଗ୍ରାମବାସୀଙ୍କ ମଧ୍ୟରେ ଚର୍ମରୋଗ, ଦାନ୍ତରୋଗ, କିଡନି ରୋଗ, ଖାଦ୍ୟ ହଜମକ୍ରିୟା ସମସ୍ୟା ଆଦି ନାନପ୍ରକାର ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ହେଉଥିବା ଦେଖିବାକୁ ମିଳୁଛି। ଏହି ଗ୍ରାମର ଶତକଡା ୨୦ରୁ ଅଧିକ ସ୍କୁଲ ଛାତ୍ରଛାତ୍ରୀ ପାକସ୍ଥଳିରେ ଯନ୍ତ୍ରଣା ସମସ୍ୟାରେ ଅକ୍ରାନ୍ତ ଥିବା ପ୍ରକାଶ। ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପରୁ ନିର୍ଗତ ପାଣିରେ ଲୁଗାପଟା ସଫା କଲେ ଧଳା ଲୁଗା ରଙ୍ଗ ବଦଳି ଯାଇ ଲାଲ୍‌‌ ହୋଇଯାଉଛି ବୋଲି କହନ୍ତି ଏହି ଗ୍ରାମର ବାସିନ୍ଦା ସୁନ୍ଦର ଭୋଇ। ପାନୀୟ ଜଳ ସଂଗ୍ରହ କରିବା ପାଇଁ ଗ୍ରାମର ବିଭିନ୍ନ ସ୍ଥାନରେ ତିଆରି ହୋଇଥିବା ଷ୍ଟାଣ୍ଡପୋଷ୍ଟରେ ଲାଗିଥିବା ଧଳା ଟାଇଲ୍‌‌ ମଧ୍ୟ ଲାଲ୍‌‌ପାଣିର ପ୍ରଭାବରେ ବିବର୍ଣ ହୋଇ ଲାଲ୍‌‌ ହୋଇଯାଇଥିବାର ଦେଖିବାକୁ ମିଳୁଛି। ଷ୍ଟାଣ୍ଡ୍‌‌ ପୋଷ୍ଟ ରୁ ବାହାରୁ ଥିବା ପାଣି ଧଳା କପଡ଼ା ରେ ଛାଣିଲେ ଧଳା କପଡ଼ା ଲାଲ୍‌‌ ହୋଇ ଯାଉଛି। ତଲାବିରା ଗ୍ରାମ ରେ ତଳପଡ଼ା ରେ ଅଦୌ ନଳକୂପ ନାହିଁ। ଭୂତଳ ଜଳସ୍ତର ପାତାଳଗାମି ହୋଇଥିବାରୁ ଗ୍ରାମ ର ବାକି ପଡ଼ା ରେ ଥିବା ନଳକୂପ ଶୁଷ୍କ ହୋଇ ରହୁଛି। ଗତ କିଛି ମାସ ପୂର୍ବେ କମ୍ପାନୀ ତରଫରୁ ତଲବିରା ଉପରପଡ଼ା ରେ ୮୩୦ ଫୁଟ ଗଭୀରତା ଯାଏ ନଳକୂପ ଖନନ ପରେପଭଲ ପାଣି ବାହାରୁ ଥିବାରୁ ଉପରପଡ଼ାବାସୀ ଏହା ଦ୍ୱାରା ଉପକୃତ ହେଉଥିବା ବେଳେ ଗ୍ରାମ ତଳପଡ଼ାର ଅଧିବାସୀ ପାନୀୟ ଜଳ ପାଇଂ ଦହଗଞ୍ଜ ହେଉଛନ୍ତି। ଉପରପଡ଼ା ଭଲି ତଳପଡ଼ାରେ କମ୍ପାନୀ ପକ୍ଷରୁ ୮୩୦ ଫୁଟ ଗଭୀରତା ଥିବା ଏକ ନଳକୂପ ଖନନ କରାଯାିବାକୁ ଦାବୀ ହେଉଛି। ତଲାବିରା ଗାଁ ମୁଣ୍ଡାରେ ଗତ ୪ବର୍ଷ ହେଲା ଏକ ସୌର ଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହୋଇ ଥିଲେ ମଧ୍ୟ ତାହା ଆଦୌ କାର୍ଯ୍ୟକ୍ଷମ ହୋଇ ନଥିବାରୁ ଅକାରଣରେ ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି ଖତ ଖାଉଛି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories