ଭୁବନେଶ୍ୱର: ପରିପୂରକ ବନୀକରଣ ପାଣ୍ଠି ପରିଚାଳନା ଏବଂ ଯୋଜନା ପ୍ରାଧିକରଣ ବା କାମ୍ପା ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହେବା ପରେ କେନ୍ଦ୍ର ସରକାର ଆଡ୍ହକ୍ କାମ୍ପା ପାଣ୍ଠିରୁ ରାଜ୍ୟକୁ ମୋଟ୍ ୨ ହଜାର ୬୪୪ କୋଟି ୧୫ ଲକ୍ଷ ଟଙ୍କା ଦେଇଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ କହିଛନ୍ତି। ସେଥିରୁ ଚଳିତ ବର୍ଷ ଜୁନ୍ ଶେଷ ସୁଦ୍ଧା ୨ ହଜାର ୫୪୮ କୋଟି ୮୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ସେ କହିଛନ୍ତି।
ବିଜେଡ଼ି ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକଙ୍କ ମୂଳ ପ୍ରଶ୍ନ ଏବଂ ଅନ୍ୟମାନଙ୍କର ଅତିରିକ୍ତ ପ୍ରଶ୍ନ ଉତ୍ତରରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ କାମ୍ପା ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଚଳିତ ୨୦୧୯-୨୦ ଆର୍ଥିକ ବର୍ଷରେ ମୋଟ୍ ୬୧୬ କୋଟି ୯୪ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହା ବାର୍ଷିକ କାର୍ଯ୍ୟ ଯୋଜନାର ରାଜ୍ୟ ସ୍ତରୀୟ ଷ୍ଟିଅରିଂ କମିଟି ଅନୁମୋଦନ ଲାଭ କରିଛି। ଆରୁଖ କହିଛନ୍ତି ଯେ ଫୋନି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବ୍ରହ୍ମପୁର, ପୁରୀ, କଟକ ଏବଂ ଭୁବନେଶ୍ୱରରେ ବ୍ୟାପକ ବନୀକରଣ କରାଯିବ। ସେହିପରି ଭାବେ ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକର ଭୀମ ପାହାଡ଼ରେ ଏକ ହରିଣ ପାର୍କ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଲେଖାଯିବ ବୋଲି ସେ କହିଛନ୍ତି।



