www.samajalive.in
Tuesday, December 9, 2025
16.1 C
Bhubaneswar

ମନୋନୟନର ପୁନଃ ମୂଲ୍ୟାୟନ ନିର୍ଦେଶ

କଟକ : ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣାକୁ ନେଇ ଦେଖାଦେଇଥିବା ବିବାଦ ମାମଲାରେ ଉଚ୍ଚ ନ୍ୟାୟାଳୟ ବିଚାରପତି ଅରିନ୍ଦମ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ପୁରସ୍କାର ବିତରଣ ସ୍ଥଗିତ ପାଇଁ ନିର୍ଦେଶ ଦେଇଛନ୍ତି। ତେବେ ରାଜ୍ୟ ପୁରସ୍କାର ପାଇଁ ସିନେମା ମନୋନୟନ ଲାଗି ପୁନଃ ମୂଲ୍ୟାୟନ ପାଇଁ ନିର୍ଦେଶ ଦେଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ପୁନଃ ମୂଲ୍ୟାୟନ ପରେ ଜୁରୀଙ୍କ ନିଷ୍ପତ୍ତି ସମ୍ପର୍କରେ ଆବେଦନକାରୀଙ୍କୁ ଜଣାଇବାକୁ ନିର୍ଦେଶ ଦେଇଛନ୍ତି ଅଦାଲତ। ଏହି ମାମଲାରେ ଜାନୁଆରୀ ୭ରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିବାବେଳେ ମାମଲାର ଶୁଣାଣି ସରିବା ପରେ ପୁରସ୍କାର ବିତରଣ କରାଯାଇ ପାରିବ ବୋଲି ଉଚ୍ଚ ନ୍ୟାୟାଳୟ ତାଙ୍କ ନିର୍ଦେଶରେ ସ୍ପଷ୍ଟ କରିଛନ୍ତି। ଏଭଳି ସ୍ଥିତିରେ ଚଳିତ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ପୁରସ୍କାର ବିତରଣୀ ଉତ୍ସବ ଘୁଞ୍ଚାଇ ଦେବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି। ଛବିରାଣୀ ଚଳଚ୍ଚିତ୍ର ନିର୍ଦେଶକ ବବି ଇସ୍‌ଲାମଙ୍କ ତରଫରୁ ଚଳଚ୍ଚିତ୍ର ପୁରସ୍କାର ମନୋନୟନ ପ୍ରକ୍ରିୟା ତ୍ରୁଟିପୂର୍ଣ୍ଣ ବୋଲି ଦର୍ଶାଇ ଏହି ମାମଲା ଦାୟର ହୋଇଛି। ବିଦେଶୀ ଓ ରାଜ୍ୟ ବାହାରର ସିନେମାକୁ ପୁରସ୍କାର ଦିଆଯାଇଥିଲେ ସୁଦ୍ଧା ୮୦ ଦଶକର ଚର୍ଚ୍ଚିତ ଘଟଣା ଉପରେ ନିର୍ମିତ ହୋଇଥିବା ଓଡିଆ ଫିଲ୍ମ ଛବିରାଣୀକୁ ୨୭ଟି ସମ୍ମାନରୁ ଗୋଟିଏରେ ବଛାଯାଇନାହିଁ । ତୁରନ୍ତ ବିଚାରକମଣ୍ଡଳୀ ଏହାର ପୁନଃ ବିଚାର କରିବାକୁ ଆବେଦନରେ ଦର୍ଶାଯାଇଥିଲେ ଆବେଦନକାରୀ। ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯/୨୦ର ଓଡ଼ିଆ ସିନେମା ପାଇଁ ପୁରସ୍କାର ସମ୍ମାନ ଘୋଷିତ ହୋଇଛି ଏବଂ ବିଭିନ୍ନ ପୁରସ୍କାର ନିମନ୍ତେ ମନୋନୀତ ନାମ ଘୋଷଣା କରାଯାଇଥିଲା। ଏହି ମନୋନୟନ କେତେଦୂର ନିରପେକ୍ଷ ବା ଯୁକ୍ତିସଙ୍ଗତ, ସେନେଇ ଏହି ମାମଲାରେ ପ୍ରଶ୍ନ ଉଠିଥିଲା। ଏଥିରେ ଅନ୍ୟ ରାଜ୍ୟର ସିନେମାକୁ ନକଲ କରି ତିଆରି ହୋଇଥିବା ଓଡ଼ିଆ ସିନେମାକୁ ସ୍ଥାନ ଦିଆଯାଇଛି ଅଥଚ ଓଡ଼ିଆ ଘରର ବା ଓଡ଼ିଶାର ମୌଳିକ କଥାବସ୍ତୁର ଆଧାରରେ ତିଆରି ଓଡ଼ିଆ ସିନେମାକୁ ଅଣଦେଖା କରାଯାଇଛି ବୋଲି ଦର୍ଶାଯାଇଛି। ଓଡ଼ିଆ ସିନେମା ଏବେ ଦୁର୍ଦଶା ମଧ୍ୟରେ ଗତି କରୁଛି। ‘ପଡ଼ୋଶୀ ରାଜ୍ୟର ସିନେମାକୁ ନକଲ କରି ଓଡ଼ିଆ ଚଳଚ୍ଚିତ୍ର ପ୍ରସ୍ତୁତ କରିବା ପରମ୍ପରାକୁ ଦର୍ଶକ ଗ୍ରହଣ କରୁନାହାନ୍ତି କି ପ୍ରେକ୍ଷାଳୟକୁ ଆସି ଓଡ଼ିଆ ସିନେମା ଦେଖୁନାହାନ୍ତି। ଏହି ଦୁର୍ଦଶାରୁ ଓଡ଼ିଆ ସିନେମାକୁ ବଞ୍ଚାଇବା ପାଇଁ କିଛି ପ୍ରଯୋଜକ ଓ ନିର୍ଦେଶକ ଅବଶ୍ୟ ଅଣ୍ଟା ଭିଡ଼ିଛନ୍ତି ଏବଂ ଖାଣ୍ଟି ଓଡ଼ିଆ ଘରର କଥାକୁ ନେଇ ସିନେମା ତିଆରି କରୁଛନ୍ତି ଯାହା ସାହସିକ, ସ୍ୱାଗତଯୋଗ୍ୟ ଓ ସମୟୋଚିତ ପଦକ୍ଷେପ ; କିନ୍ତୁ ସେମାନଙ୍କୁ ହତୋତ୍ସାହ ହେବାକୁ ପଡିଛି। ଦୃଷ୍ଟାନ୍ତମୂଳକ ଭାବେ ୨୦୧୯ ସେପ୍ଟେମ୍ବରରେ ରିଲିଜ ହୋଇଥିବା ‘ଛବିରାଣୀ’ ସିନେମାକୁ ନିଆଯାଇପାରେ, ଯାହା ଏ ରାଜ୍ୟର ପ୍ରଥମ କମର୍ସିଆଲ ବାୟୋପିକ ଓଡ଼ିଆ ସିନେମା। ୧୯୮୦ ମସିହାରେ ଏ ରାଜ୍ୟରେ ଘଟିଥିବା ଏକ ମାର୍ମିକ ଘଟଣା ଉପରେ ଏହା ଆଧାରିତ। ଏହି ସିନେମାକୁ କିନ୍ତୁ ମନୋନୟନ କମିଟି ଦୃଷ୍ଟି ଦେଇନାହାନ୍ତି। ଏହି ପରମ୍ପରା ବଜାୟ ରହିଲେ ଆଉ କେହି ପ୍ରଯୋଜକ ଓ ନିର୍ଦେଶକ ଓଡ଼ିଶାର ମାଟି ଓ ସଂସ୍କୃତିର ମୌଳିକତା ରକ୍ଷା ପୂର୍ବକ ଓଡ଼ିଆ ସିନେମାଟିଏ ପ୍ରସ୍ତୁତ କରିବା ଦିଗରେ ଆଗ୍ରହ ରଖିବେ ନାହିଁ। ଏହି ମନୋନୟନ ଓଡ଼ିଆ ସିନେମାର ଭବିଷ୍ୟତ ପାଇଁ ଏକ ଅନ୍ଧାର ଦିଗକୁ ଅଙ୍ଗୁଳି ନିର୍ଦେଶ କରୁଥିବା ଆବେଦନରେ ଦର୍ଶାଯାଇଛି। ନିୟମ ଉଲ୍ଲଙ୍ଘନ କରି ଯୋଗ୍ୟତା ନ ଥିବା ଓ ନ୍ୟସ୍ତସ୍ବାର୍ଥ ବ୍ୟକ୍ତିଙ୍କୁ ମନୋନୟନ କରାଯାଇଛି ବୋଲି ପ୍ରଶ୍ନ ଉଠିଥିବାବେଳେ ଜୁରୀମାନେ ମନଇଚ୍ଛା ନିଷ୍ପତ୍ତି ନେଇଛନ୍ତି ବୋଲି ଆବେଦନରେ ଦର୍ଶାଯାଇଛି। ଓଡ଼ିଆ ସିନେମା ପୁରସ୍କାର ନିଷ୍ପତ୍ତିର ପୁନଃ ବିଚାର ପାଇଁ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଥିବାବେଳେ ଜୁରୀ କମିଟି ଏବେ କିଭଳି ଏହାର ପୁନଃ ବିଚାର କରିବ ଓ ଜାନୁଆରୀ ୭ତାରିଖରେ ଉଚ୍ଚ ନ୍ୟାୟାଳୟ କି ନିର୍ଦେଶନାମା ଦେବେ; ତାକୁ ସିନେପ୍ରେମୀ ଅପେକ୍ଷା କରିରହିଛନ୍ତି। ଆଇନଜୀବୀ ଶିବନାରାୟଣ ବିଶ୍ୱାଳ, ମାନସରଞ୍ଜନ ଦାସ, ଭକ୍ତିସୁଧା ସାହୁ ମାମଲା ପରିଚାଳନା କରୁଛନ୍ତି।
ଅପରପକ୍ଷେ ପୁରସ୍କାର ନେଇ ବିବାଦ ପରେ ମାମଲା ଅଦାଲତ ପର୍ଯ୍ୟନ୍ତ ଯାଇଥିଲା। ଆଜି ଅଦାଲତ ଦେଇଥିବା ନିଷ୍ପତ୍ତିକୁ ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯିବ। ପୁରସ୍କାର ପ୍ରଦାନ ନିମନ୍ତେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା ସହିତ ତର୍ଜମା କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories