www.samajalive.in
Monday, December 8, 2025
27.1 C
Bhubaneswar

୧୨ ଜିଲାରେ ୨୭ ଶିଳ୍ପ ପ୍ରକଳ୍ପ ଶିଳାନ୍ୟାସ

ଭୁବନେଶ୍ବର: ନୂଆ ସରକାର ମାତ୍ର ୧୫ ମାସ ହେବ ଓଡ଼ିଶାର ଶାସନ ଦାୟିତ୍ବ ନେଇଛି। ଏହି ଅଳ୍ପ ସମୟ ମଧ୍ୟରେ ସରକାର ୨୬୦ଟି ଶିଳ୍ପ ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଯାହାଦ୍ୱାରା ୫.୬ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବା ସହିତ ୩.୬ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି। ଏହି ସମୟ ମଧ୍ୟରେ ୮୪ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏହାଦ୍ୱାରା ଓଡ଼ିଶାରେ ୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ ହୋଇପାରିଛି। ୧ ଲକ୍ଷ ୬୪ ହଜାର ନିଯୁକ୍ତି ସୃଷ୍ଟି କରାଯାଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓୟୁଏଟିସ୍ଥିତ କନ୍‌ଭେନସନ ସେଣ୍ଟରଠାରେ ଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ୧୨ଟି ଜିଲାରେ ସମୁଦାୟ ୨୭ଟି ନୂତନ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ଉପରୋକ୍ତ ସୂଚନା ଦେଇଛନ୍ତି। ଏହି ୨୭ଟି ନୂତନ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପାଇଁ ସମୁଦାୟ ୨୫ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ ପୁଞ୍ଜି ବିନିଯୋଗ କରାଯାଉଛି। ଏହାଦ୍ୱାରା ୫୨ ହଜାରରୁ ଅଧିକ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଥିଲେ ଯେ, ଯେତେବେଳେ ଓଡ଼ିଶାକୁ କିଛି ନିବେଶ ଆସୁଛି, ସେତେବେଳେ ଓଡ଼ିଶା ପ୍ରତି ଶିଳ୍ପ ଜଗତର ଭରସା ବୃଦ୍ଧି ପାଉଛି। ଶିଳ୍ପ ସ୍ଥାପନ ପାଇଁ ଓଡ଼ିଶା ସରକାରଙ୍କ ନୀତି ଓ ନିଷ୍ଠା ପ୍ରତି ନିବେଶକଙ୍କ ଆସ୍ଥା ବୃଦ୍ଧି ପାଉଛି। ଓଡ଼ିଶାକୁ ପୂର୍ବ ଭାରତର ମାନୁଫାକ୍‌ଚରିଂ ହବ୍ (ବିନିର୍ମାଣ ପୁଞ୍ଜ) କରିବା ପାଇଁ ବିଭିନ୍ନ ହାଇ ଭାଲ୍ୟୁ ପ୍ରଡକ୍ଟ (ଉଚ୍ଚ ମୂଲ୍ୟ ଉତ୍ପାଦ) ଉତ୍ପାଦନ ଦିଗରେ ନିବେଶକଙ୍କୁ ଆକୃଷ୍ଟ କରୁଛୁ। ମାନୁଫାକ୍‌ଚରିଂ ଭାଲ୍ୟୁ ଚେନ୍‌ (ବିନିର୍ମାଣ ମୂଲ୍ୟ ଶୃଙ୍ଖଳ)ରେ ଆହୁରି ଉପରକୁ ଉଠି ସାରା ବିଶ୍ବର ବଜାରରେ ପ୍ରତିଯୋଗିତା କରିପାରୁଥିବା ଭଳି ଉତ୍ପାଦ ନିର୍ମାଣ କରୁଛୁ। ଓଡ଼ିଶାରେ ଶିଳ୍ପ ସ୍ଥାପନ ପାଇଁ ଉପଯୁକ୍ତ ନୀତି ସହିତ ପ୍ରତ୍ୟେକ କ୍ଷେତ୍ରକୁ ସ୍ବତନ୍ତ୍ର ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ସରକାରୀ ବ୍ୟବସ୍ଥାରେ ଅମଲାତାନ୍ତ୍ରିକ ପ୍ରତିବନ୍ଧକକୁ ହଟାଯାଇଛି। ଶିଳ୍ପ ପ୍ରତିଷ୍ଠା ଯାତ୍ରାରେ ଶିଳ୍ପପତିଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ଆମେ ସବୁ ସମୟରେ ଉପସ୍ଥିତ ଅଛୁ। ଯେକୌଣସି ଅସୁବିଧାରେ ଶିଳ୍ପପତିଙ୍କ ସମସ୍ୟା ଦୂର ପାଇଁ ଆମ ସରକାର ପ୍ରସ୍ତୁତ ଅଛି।

- Advertisement -

‘ଏକ୍ ପେଡ୍‌ ମା’ କି ନାମ୍’ ୨.୦ ଅଭିଯାନକୁ ସଫଳ କରିବା ପାଇଁ ସମସ୍ତ ଉଦ୍ୟୋଗୀ ତଥା ଶିଳ୍ପାନୁଷ୍ଠାନ ନିଜ ନିଜ ଅଞ୍ଚଳରେ ଯେତେ ଅଧିକ ସମ୍ଭବ ଚାରାରୋପଣ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମଦିବସ ପାଳନ ହେବ। ଓଡ଼ିଶାବାସୀ ସେହି ଗୋଟିଏ ଦିନରେ ୭୫ ଲକ୍ଷ ଚାରା ଲଗାଇବା ପାଇଁ ନିଷ୍ପତ୍ତି କରିଛନ୍ତି। ଏହି ଅଭିଯାନରେ ଶିଳ୍ପସଂସ୍ଥାଗୁଡ଼ିକ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶିଳ୍ପପତିଙ୍କୁ ସମ୍ବର୍ଦ୍ଧିତ କରିବା ସହ ଗଞ୍ଜାମ, ଖୋର୍ଦ୍ଧା, ଝାରସୁଗୁଡ଼ା, କୋରାପୁଟ ଓ ଅନୁଗୋଳଠାରେ ଆଭାସି ମାଧ୍ୟମରେ ସେ ଅଞ୍ଚଳରେ କାର୍ଯ୍ୟକାରୀ ହେବାକୁ ଥିବା ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଥିଲେ ଯେ, ସୁଦକ୍ଷ ପ୍ରଶାସନିକ ବ୍ୟବସ୍ଥା ଏବଂ ଶିଳ୍ପ ଅନୁକୂଳ ପରିବେଶ ଓଡ଼ିଶାକୁ ଶିଳ୍ପ ସମୃଦ୍ଧ ଭାବେ ଏକ ପ୍ରମୁଖ ସମ୍ଭାବନାର ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ସକ୍ଷମ କରିଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଥିଲେ ଯେ, କିପରି ଗ୍ରାଉଣ୍ଡ ଜିରୋ (କ୍ଷେତ୍ରସ୍ତରରୁ) ସଫଳତା ମିଳିବ, ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟା ସର୍ବଦା ରହିଆସିଛି। ରାଜ୍ୟ ସରକାର ଶିଳ୍ପକ୍ଷେତ୍ରରେ ଅଗ୍ରଗତି କରୁଛନ୍ତି। କାର୍ଯ୍ୟକ୍ରମରେ ଉନ୍ନୟନ ଆୟୁକ୍ତ ଅନୁ ଗର୍ଗ ଏବଂ ପ୍ରମୁଖ ଶିଳ୍ପପତିମାନେ ମଞ୍ଚାସୀନ ଥିଲେ। ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ସ୍ବାଗତ ଭାଷଣ ଦେଇଥିଲେ। ଦକ୍ଷତା ବିକାଶ ବିଭାଗର ସଚିବ ଭୂପେନ୍ଦ୍ର ସିଂ ପୁନିଆ ଧନ୍ୟବାଦ ଦେଇଥିଲେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories