ଗୌହାଟି : ସମଗ୍ର ଭାରତବର୍ଷରେ ଶିକ୍ଷା ବ୍ୟବସ୍ଥାରେ ସମାନତା ଆଣିବା ପାଇଁ ଏକ ସ୍ୱତନ୍ତ୍ର ଶିକ୍ଷା କ୍ଷେତ୍ର(ଜୋନ୍) ଗଠନ କରିବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି। ଫଳରେ ବିବିଧଭରା ରାଷ୍ଟ୍ରରେ ଶିକ୍ଷାକୁ ନେଇ ଏକପ୍ରକାର ସମାନତା ଆସିପାରିବ। ପିଳାଙ୍କ ଭିତରେ ଥିବା ଶିକ୍ଷା ସଂକ୍ରାନ୍ତ ତାରତମ୍ୟତା ହ୍ରାସ ପାଇବା ସହିତ ସେମାନେ ଜାତୀୟ ସ୍ତରର ପ୍ରତିଯୋଗିତାରେ ଅଧିକ ସଫଳ ହୋଇପାରିବେ। ଆସାମର ଗୌହାଟି ଠାରେ ଆୟୋଜିତ ଉତ୍ତର-ପୂର୍ବ ଶିକ୍ଷା ସମ୍ମିଳନୀ ୨୦୨୧କୁ ଉଦଘାଟନ କରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପରୋକ୍ତ ମନ୍ତବ୍ୟ ରଖିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଭାରତର ଶିକ୍ଷା ଦୃଶ୍ୟପଟ୍ଟରେ ନୂଆ ଜାତୀୟ ଶିକ୍ଷା ନୀତି -୨୦୨୦ ଶିକ୍ଷା କ୍ଷେତ୍ରରେ ଏକ ପରିବର୍ତ୍ତନର ଲକ୍ଷ୍ୟକୁ ନେଇ ଆଗକୁ ବଢ଼ୁଛି। ଉତ୍ତର-ପୂର୍ବରେ ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ଦିଗ ଉପରେ ବିଚାର କରାଯାଉଛି। ନୂଆ ଶିକ୍ଷା ନୀତିରେ ଛାତ୍ରଛାତ୍ରୀମାନେ ବୃହତ ଲାଭାର୍ଥୀ ହେବେ। ପ୍ରାଥମିକ ଶିକ୍ଷା ସମୟରୁ ଛାତ୍ରଛାତ୍ରୀଙ୍କୁ ସଠିକ୍ ଶିକ୍ଷା ପ୍ରଦାନ ସହ ଏକବିଂଶ ଶତାବ୍ଦୀରେ ଜ୍ଞାନ ଓ କୌଶଳ ସହିତ ପ୍ରସ୍ତୁତ କରିବାକୁ ହେବ। ଏଥିସହ ଯୁବପିଢିଙ୍କୁ ବୈଶ୍ୱିକ ନାଗରିକ ପାଇଁ ପ୍ରସ୍ତୁତ କରିବାକୁ ଜାତୀୟ ଶିକ୍ଷା ନୀତି ପ୍ରାଧାନ୍ୟ ଦେଉଥିବା ସେ କହିଛନ୍ତି।
ଜାତୀୟ ଶିକ୍ଷା ନୀତି ଭାରତୀୟ ଜ୍ଞାନ ପଦ୍ଧତି, ଆଞ୍ଚଳିକ ଭାଷା, କଳା ଏବଂ ସଂସ୍କୃତିକୁ ଏକତ୍ରୀକରଣ କରିବାରେ ଏକ ଜାଗରଣ ସୃଷ୍ଟି କରିବା ସହିତ ଆମର ବିବିଧତା ଓ ସଭ୍ୟତାକୁ ଉତ୍ସବମୁଖର କରିବା। ଉତ୍ତର-ପୂର୍ବାଞ୍ଚଳ ଭାଷାର ବିବିଧତା ଠାରୁ ବଡ଼ ସାକ୍ଷୀ କେହି ହୋଇପାରିବେ ନାହିଁ।
ଏହି ଉତ୍ତର-ପୂର୍ବାଞ୍ଚଳରେ ପ୍ରାୟ ୧୮୦ଟି ଭାଷାଭାଷୀ କହୁଥିବା ଜନଜାତି ବସବାସ କରନ୍ତି। ଜାତୀୟ ଶିକ୍ଷା ନୀତି ଶିକ୍ଷାରେ ଭାଷାର ସମ୍ଭାବନାକୁ ବୃଦ୍ଧି କରିଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି। ଭାରତରେ ମାତୃଭାଷା ଆଧାରିତ ଶିକ୍ଷା ପାଇଁ ଆସାମ ଏକ ଗନ୍ତାଘର ହେବାକୁ ଯାଉଛି। ଆସାମ ମୁଖ୍ୟମନ୍ତ୍ରୀ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ପରି ପ୍ରମୁଖ କ୍ଷେତ୍ରଗୁଡିକୁ ପ୍ରାଥମିକତା ଦେଇଛନ୍ତି ଏବଂ ସରକାରଙ୍କ ଯୋଗଦାନକୁ ଶିକ୍ଷା ପାଇଁ ଜିଡିପିର ୬ ପ୍ରତିଶତ ବୃଦ୍ଧି କରିଛନ୍ତି। ଅପାର ସମ୍ଭାବନାର ଉତ୍ତର-ପୂର୍ବ ରାଜ୍ୟ ସମୂହ ଏବଂ ଦେଶର ଶିକ୍ଷା କ୍ଷେତ୍ରରେ ଗୌହାଟି ପେଣ୍ଠସ୍ଥଳୀ ହୋଇପାରିବ। ଆୟୋଜିତ ଦୁଇଦିନିଆ ଶିକ୍ଷା ସମ୍ମିଳନୀ ଯୁବପିଢ଼ିଙ୍କ ପାଇଁ ଏକ ଉତ୍ତମ ଭବିଷ୍ୟତ ନିଶ୍ଚିତ କରିବାରେ ଫଳପ୍ରଦ ହେବ। ଶଙ୍କରଦେବ ଏଜୁକେସନ ଏବଂ ରିସର୍ଚ୍ଚ ଫାଉଣ୍ଡେସନ(ଏସଇଆରଏଫ) ଏବଂ ଆସାମ ସରକାରଙ୍କ ଦ୍ୱାରା ଏହି ଉତ୍ତର-ପୂର୍ବ ଶିକ୍ଷା ସମ୍ମିଳନୀ ଆୟୋଜନ କରାଯାଇଛି। ଏହି ଉଦଘାଟନୀ ଉତ୍ସବରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, ଆସାମ ଶିକ୍ଷା ମନ୍ତ୍ରୀ ରନୋଜ ପେଗୁ, ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ସେହିପରି ଦେଶର ଅନେକ ଶିକ୍ଷାବିତ, ଉତ୍ତର-ପୂର୍ବାଞ୍ଚଳର ୮ଟି ରାଜ୍ୟର ଶିକ୍ଷା ପରାମର୍ଶଦାତା, କେନ୍ଦ୍ରୀୟ ଏବଂ ରାଜ୍ୟ ବିଶ୍ୱବିଦ୍ୟାଳୟର ପ୍ରମୁଖ ମହାନୁଭବମାନେ ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି।
ଗଠନ ହେବ ସ୍ୱତନ୍ତ୍ର



