www.samajalive.in
Tuesday, December 9, 2025
15.1 C
Bhubaneswar

କେନ୍ଦ୍ର ସରକାରଙ୍କ ସ୍ପଷ୍ଟୀକରଣ : ସରକାରୀ କର୍ମଚାରୀଙ୍କ ଅବସର ବୟସସୀମା ହ୍ରାସ ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ

ନୂଆଦିଲ୍ଲୀ : ସରକାରୀ କର୍ମଚାରୀଙ୍କ ଅବସର ବୟସସୀମା ୬୦ ବର୍ଷରୁ ହ୍ରାସ କରି ୫୦ବର୍ଷ କରିବା ଲାଗି କେନ୍ଦ୍ର ସରକାର ଯୋଜନା କରୁଥିବା ସମ୍ପର୍କରେ କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରକୁ ସରକାରଙ୍କ ପକ୍ଷରୁ ଦୃଢ଼ ଭାବେ ଖଣ୍ଡନ କରାଯାଇଛି । ଅବସର ବୟସ ସୀମା ହ୍ରାସ କରିବା ଲାଗି କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ତଥା କୌଣସି ସରକାରୀ ସ୍ତରରେ ଏଭଳି ପ୍ରସ୍ତାବ ଉପସ୍ଥାପନ କିମ୍ବା ଆଲୋଚନା କରାଯାଇ ନାହିଁ ବୋଲି  ଜୋର ଦେଇ କହିଛନ୍ତି କେନ୍ଦ୍ର ଉତର ପୂର୍ବାଞ୍ଚଳ ବିକାଶ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କାର୍ମିକ, ସାଧାରଣ ଅଭିଯୋଗ, ପେନସନ ପ୍ରଶାସନ, ଆଣବିକ ଶକ୍ତି ଓ ମହାକାଶ ରାଷ୍ଟ୍ର ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ ।
ଡ. ସିଂ କହିଛନ୍ତି ଯେ କେତେକ ମନ୍ଦ ଉଦ୍ଦେଶ୍ୟ ସମ୍ପନ୍ନ ବ୍ୟକ୍ତିବିଶେଷ ସରକାରୀ ସୂତ୍ର କିମ୍ବା କାର୍ମିକ ଓ ତାଲିମ ବିଭାଗରୁ ସୂଚନା ପାଇଥିବା ଦର୍ଶାଇ କିଛି ଗଣମାଧ୍ୟମ ଜରିଆରେ ଏଭଳି ମିଥ୍ୟା ଓ ବିଭ୍ରାନ୍ତିକର ସୂଚନାର ପ୍ରସାର କରୁଛନ୍ତି । ବାରମ୍ବାର ଅଂଶୀଦାରଙ୍କ ମନରେ ସୃଷ୍ଟି ହେଉଥିବା ଦ୍ୱନ୍ଦ୍ୱକୁ ଦୂର କରିବା ଲାଗି ସରକାରଙ୍କ ପକ୍ଷରୁ ପ୍ରୟାସ କରାଯାଉଛି। ସେ ଆହୁରି କହିଛନ୍ତି ଯେ ବର୍ତମାନ ଦେଶ କରୋନା ମହାମାରୀ ଜନିତ ସଙ୍କଟଜନକ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛି। ମହାମାରୀ ମୁକାବିଲା ନିମନ୍ତେ ସକ୍ରିୟ ପଦକ୍ଷେପ ନିମନ୍ତେ ସାରା ବିଶ୍ୱ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରୁଛି। କିନ୍ତୁ କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଗଣମାଧ୍ୟମରେ ଏଭଳି ବିଭ୍ରାନ୍ତିକର ଖବର ଛାପି ସରକାରଙ୍କ ଭଲ କାମକୁ ନିନ୍ଦିତ କରିବାର ଅପଚେଷ୍ଟା କରୁଛନ୍ତି ।
ଏହାର ବିପରୀତ, କରୋନା ସଂକଟ ଆରମ୍ଭ ହେବା ପରଠାରୁ କର୍ମଚାରୀଙ୍କ ସ୍ୱାର୍ଥ ସୁରକ୍ଷା ନିମନ୍ତେ ସରକାର ଏବଂ କାର୍ମିକ ଓ ତାଲିମ ବିଭାଗ କର୍ମଚାରୀଙ୍କ ସ୍ୱାର୍ଥ ସୁରକ୍ଷା ନିମନ୍ତେ ନିରନ୍ତର ପ୍ରୟାସ କରିଆସୁଛନ୍ତି । ସେ କହିଥିଲେ ଯେ ବିଧିବଦ୍ଧ ଭାବେ ଲକଡାଉନ ଜାରି ହେବାର ଯଥେଷ୍ଟ ପୂର୍ବରୁ ସର୍ବନିମ୍ନ କର୍ମଚାରୀଙ୍କୁ ନେଇ ଅତି ଜରୁରି କାମ କରିବା ଲାଗି ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା। ଯଦିଓ ଜରୁରି ସେବାକୁ କଟକଣାରୁ ବାଦ ଦିଆଯାଇଥିଲା, ତଥାପି ଦିବ୍ୟାଙ୍ଗ କର୍ମଚାରୀମାନଙ୍କୁ ଜରୁରି ସେବାରୁ ବାଦ ଦେବାକୁ ଡିଓପିଟି ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଥିଲା ।
ଲକଡାଉନ କାରଣରୁ ଜାରି କଟକଣାକୁ ଦୃଷ୍ଟିରେ ରଖି ସରକାରୀ ଅଧିକାରୀଙ୍କ ଦ୍ୱାରା ବାର୍ଷିକ ପ୍ରଦର୍ଶନ ଅବଗତ ରିପୋର୍ଟ ଦାଖଲ କରିବାର ଶେଷ ତାରିଖକୁ ଘୁଂଚାଇ ଦିଆଯାଇଥିଲା। ଆଇଏଏସ/ପ୍ରଶାସନିକ ସେବା ସାକ୍ଷାତକାର/ବ୍ୟକ୍ତିଗତ ପରୀକ୍ଷା ଏବଂ ପ୍ରଶାସନିକ ସେବା ପ୍ରାରମ୍ଭିକ ପରୀକ୍ଷା ଘୁଂଚାଇ ଦେବାକୁ ୟୁପିଏସସି ପକ୍ଷରୁ ନିଷ୍ପତି ନିଆଯାଇଥିଲା। ସେହିପରି ଏସଏସି ମଧ୍ୟ ନିଯୁକ୍ତି ପ୍ରକ୍ରିୟାକୁ ଘୁଂଚାଇ ଦେଇଥିଲା ।
ଡ. ଜିତେନ୍ଦ୍ର ସିଂ ଆହୁରି କହିଛନ୍ତି ଯେ ଗତ ସପ୍ତାହରେ ମଧ୍ୟ ଏକ ମିଥ୍ୟା ଖବର କେତେକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ଏଥିରେ ଅପପ୍ରଚାର କରାଯାଇଥିଲା ଯେ ସରକାର ୩୦% ପେନସନ ହ୍ରାସ କରିବା ଲାଗି ନିଷ୍ପତି ନେଇଛନ୍ତି ଏବଂ ଯେଉଁମାନଙ୍କର ବୟସ ୮୦ ବର୍ଷରୁ ଊର୍ଦ୍ଧ୍ବ ହୋଇଯାଇଛି ସେମାନଙ୍କ ପେନସନ ବନ୍ଦ କରି ଦିଆଯିବ। ମାତ୍ର ଏହାର ବିପରୀତ, ୩୧ ମାର୍ଚ୍ଚ ଦିନ ଏମିତି ଜଣେ ହେଲେ ପେନସନଭୋଗୀ ନଥିବେ ଯାହାଙ୍କ ଆକାଉଂଟରେ ପେନସନ ଟଙ୍କା ଜମା ହୋଇନଥିବ। ଖାଲି ସେତିକି ନୁହେଁ, ଯେଉଁଠି ଆବଶ୍ୟକ ଡାକ କର୍ମଚାରୀମାନେ ପେନସନଭୋଗୀମାନଙ୍କୁ ସେମାନଙ୍କ ଘରେ ପେନସନ ଯୋଗାଇ ଦେଇଥିଲେ।
କାର୍ମିକ ବିଭାଗ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଗତ ୪ ସପ୍ତାହ ମଧ୍ୟରେ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଦେଶର ୨୦ଟି ସହରରେ ପେନସନଭୋଗୀ ଓ ବରିଷ୍ଠ ନାଗରିକମାନଙ୍କ ପାଇଁ ଭିଡିଓ କନଫରେନ୍ସ ଜରିଆରେ ଚିକିତ୍ସା ପରାମର୍ଶ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ଭଳି ବିଶେଷଜ୍ଞ ଡାକ୍ତରମାନେ ଶ୍ୱାସକ୍ରିୟା ଜନିତ ପରାମର୍ଶ ଦେଇଥିଲେ। ସେହିପରି ଯୋଗ ଅଧିବେଶନ ଓ ସେମିନାର ମଧ୍ୟ ଆୟୋଜନ କରାଯାଉଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories