www.samajalive.in
Tuesday, December 9, 2025
15.1 C
Bhubaneswar

ଶ୍ରୀକ୍ଷେତ୍ରରେ ଚନ୍ଦନଯାତ୍ରା ଆରମ୍ଭ ; ମନ୍ଦିର ବେଢ଼ାରେ ରଥ ନିର୍ମାଣ ଅନୁକୂଳ

ପୁରୀ: ପବିତ୍ର ଅକ୍ଷୟ ତୃତୀୟା ତିଥିରେ ରବିବାର ଶ୍ରୀମନ୍ଦିର ବେଢାରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଚନ୍ଦନଯାତ୍ରା। ଗ୍ରୀଷ୍ମଦାଉରୁ ରକ୍ଷାପାଇଁ ଶ୍ରୀମଦନମୋହନ, ରାମକୃଷ୍ଣ, ଲକ୍ଷ୍ମୀ ସରସ୍ବତୀ ଏବଂ ପଞ୍ଚମହାଦେବ ଜଳକ୍ରୀଡା କରିଛନ୍ତି। ଲକ୍‌ଡାଉନ କଟକଣା ଯୋଗୁଁ ନରେନ୍ଦ୍ର ପୁଷ୍କରିଣୀ ପରିବର୍ତ୍ତେ ଜଳକ୍ରୀଡା ମଣ୍ଡପରେ ଚଳିତବର୍ଷ ଶ୍ରୀଜୀଉଙ୍କ ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଛି। ଏଥିପାଇଁ ମନ୍ଦିର ବେଢାରେ ୨ଟି ଜଳକୁଣ୍ଡ ସ୍ଥାପନ କରାଯାଇଛି। ପରମ୍ପରା ଅନୁଯାୟୀ ରତ୍ନସିଂହାସନରେ ଦାରୁବ୍ରହ୍ମଙ୍କ ମଧ୍ୟାହ୍ନଧୂପ ନୀତି ସମ୍ପନ୍ନ ହେବା ପରେ ୩ଜଣ ପୂଜାପଣ୍ଡା ସେବକ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ଲାଗି ଆଜ୍ଞାମାଳ ଧରି ରଥନିର୍ମାଣ ଅନୁକୂଳ ନିମନ୍ତେ ସ୍ନାନବେଦୀ  ନିକଟସ୍ଥ ଚାହାଣିମଣ୍ଡପ ପାଖରେ ନିର୍ମିତ ଅସ୍ଥାୟୀ ରଥଖଳାକୁ ଯାଇଥିଲେ। ସେହି ସମୟରେ ମଦନମୋହନ, ରାମକୃଷ୍ଣ, ଲକ୍ଷ୍ମୀସରସ୍ବତୀଙ୍କୁ ମହାଜନ ସେବକମାନେ ମଣିବିମାନ ଏବଂ ପାଲିଙ୍କିକୁ ବିଜେ କରାଇଥିଲେ। ଜଳକ୍ରୀଡା ମଣ୍ଡପ ସମେତ ଅନ୍ୟ ଏକ ଜଳକୁଣ୍ଡରେ ଠାକୁରଙ୍କ ଚନ୍ଦନଯାତ୍ରା ହୋଇଥିଲା। ଶ୍ରୀଲୋକନାଥ, ଶ୍ରୀମାର୍କଣ୍ଡେଶ୍ବର, ଶ୍ରୀଜମେଶ୍ବର, ଶ୍ରୀକପାଳମୋଚନ ଏବଂ ଶ୍ରୀନୀଳକଣ୍ଠେଶ୍ବର ଅନ୍ୟ ଏକ କୁଣ୍ଡରେ ଜଳକ୍ରୀଡା କରିଥିଲେ। ପ୍ରଭୁଙ୍କୁ ସେଠାରେ ସେବକମାନେ ବେଶ, ଭୋଗ ଏବଂ ବନ୍ଦାପନା କରିଥିଲେ। ନରେନ୍ଦ୍ର ପୁଷ୍କରିଣୀ ପରି ସେଠାରେ ଠାକୁରଙ୍କୁ ଚନ୍ଦନଲାଗି କରାଯିବା ସହ ଚନ୍ଦନକୁଣ୍ଡରେ ବିଜେ କରାଯାଇଥିଲା। ଜଳକ୍ରୀଡା ପରେ ପ୍ରଭୁ ମନ୍ଦିର ଭିତରକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ସେହିପରି ରଥ ନିର୍ମାଣ ଅନୁକୂଳ ପାଇଁ ଦେଉଳ ପୁରୋହିତ ଏବଂ ଶ୍ରୋତ୍ରିୟ ବ୍ରାହ୍ମଣଙ୍କ ଦ୍ବାରା ଚାହାଣିମଣ୍ଡପ ନିକଟସ୍ଥ ଅସ୍ଥାୟୀ ରଥଖଳାରେ ହୋମ କରାଯାଇଥିଲା। ତିନିଖଣ୍ଡ ୧୨ଫୁଟିଆ ଧଉରାକାଠ ସେଠାରେ ରଖାଯାଇଥିଲା। ହୋମ ଶେଷହେବା ପରେ ପୂଜାପଣ୍ଡା ସେବକ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗଲାଗି ଆଜ୍ଞାମାଳ ରଥକାଠରେ ଲାଗି କରିଥିଲେ। ପରମ୍ପରା ଅନୁଯାୟୀ ତିନୋଟି ସୁନା କୁରାଢିରେ ରଥ ନିର୍ମାଣ ଅନୁକୂଳ କରାଯାଇଥିଲା। ଏହାପରେ ମନ୍ଦିର ପ୍ରଶାସନ ପକ୍ଷରୁ ରଥ ନିର୍ମାଣ କାର୍ଯ୍ୟ ନିମନ୍ତେ ମହାରଣା ସେବକଙ୍କ ମୁଣ୍ଡରେ ଶାଢି ବାନ୍ଧିଥିଲେ। ଶ୍ରୀମନ୍ଦିର ପ୍ରଶାସକ (ନୀତି) ଜିତେନ୍ଦ୍ର କୁମାର ସାହୁ, ପ୍ରଶାସକ (ଉନ୍ନୟନ) ଅଜୟ କୁମାର ଜେନା, ପରିଚାଳନା କମିଟି ସଭ୍ୟ ମାଧବଚନ୍ଦ୍ର ମହାପାତ୍ର, ରାମଚନ୍ଦ୍ର ଦାସମହାପାତ୍ର, ତଳୁଚ୍ଛ ନୀଳକଣ୍ଠ ମହାପାତ୍ର, ମାଧବ ପୂଜାପଣ୍ଡା, ଡଃ ସିଦ୍ଧେଶ୍ବର ମହାପାତ୍ର ଏବଂ ଅନନ୍ତ ତିଆଡି ଉପସ୍ଥିତ ଥିଲେ। ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଅନୁଯାୟୀ ୨୧ଦିନ ଧରି ଶ୍ରୀମନ୍ଦିର ଭିତରେ ଠାକୁରଙ୍କ ଚନ୍ଦନଯାତ୍ରା ବିଧି ପାଳନ କରାଯିବ। ରଥ ନିର୍ମାଣ ଅନୁକୂଳ ହୋଇଥିଲେ ମଧ୍ୟ ମେ ୩ତାରିଖ ଲକ୍‌ଡାଉନ ଅବଧି ଶେଷହେବା ପରେ ବଡ଼ଦାଣ୍ଡସ୍ଥିତ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ। ଏଥିପାଇଁ ଏପର୍ଯ୍ୟନ୍ତ ୩୨୧ଖଣ୍ଡ କାଠ ବଡ଼ଦାଣ୍ଡରେ ଆସି ପହଞ୍ଚି ସାରିଛି। ଶ୍ରୀନଅର ସମ୍ମୁଖ ରଥଖଳାରେ ଛାମୁଣ୍ଡିଆ କରାଯାଇଛି। ରଥନିର୍ମାଣ କାର୍ଯ୍ୟ ଆରମ୍ଭ ନିମନ୍ତେ ମହାରଣା, ଭୋଇ, ଓଝା, ଦରଜି, ଚିତ୍ରକାର ଓ ରୂପକାର ସେବକ ଅପେକ୍ଷା କରି ରହିଛନ୍ତି। କରୋନା ବିପତ୍ତି ଯୋଗୁଁ ଚଳିତବର୍ଷ ରଥଯାତ୍ରା କରାଯିବ କି ନାହିଁ ଲକ୍‌ଡାଉନ ଅବଧି ଶେଷହେବା ପରେ ନିଷ୍ପତ୍ତି ଗ୍ରହଣ କରାଯିବ।

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories