ନୀଳଗିରି: ବାଲେଶ୍ୱର ଜିଲା; ନୀଳଗିରି ବ୍ଲକ ଅଧୀନ ବରହମପୁର ଥାନା ଅଞ୍ଚଳରେ ଜଣେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ସ୍ଥାନୀୟ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ତେଲିପାଳ ପଞ୍ଚାୟତ ଅଧୀନ ମଝିସାହିର କରୁଣା ମାଝୀ(୨୮) ଛତ୍ରପୁର ଅଞ୍ଚଳର ମହିଳା ଜଣକ ଏକୁଟିଆ ଥିବା ଖବରପାଇ ସେଠାକୁ କାର୍ ନେଇ ଯାଇଥିଲା । ଘରେ ପଶି ସମ୍ପୃକ୍ତ ମହିଳାଙ୍କୁ ଦୁଷ୍କର୍ମ କରିଥିଲା। କିଛି ସମୟ ପରେ ମହିଳାଙ୍କ ସ୍ୱାମୀ ପହଞ୍ଚି ଦେଖିବା ପରେ ତାଙ୍କ ସ୍ତ୍ରୀ ଜଣକ ରକ୍ତ ଜୁଡୁବୁଡୁ ହୋଇ ଚିତ୍କାର କରୁଥିଲେ।
ଅଭିଯୁକ୍ତ ଯୁବକ ନାନାଦି ବାହାନା କରି ମହିଳାଙ୍କ ସହ ତାଙ୍କ ସ୍ୱାମୀଙ୍କୁ ଉକ୍ତ କାର୍ରେ ବସାଇ ବରହମପୁର ଡାକ୍ତରଖାନାକୁ ନେଇ ଯାଇଥିଲେ । ପୀଡ଼ିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଅଭିଯୁକ୍ତ ଜଣକ ସେଠାରୁ କାର ଧରି ଚମ୍ପଟ ମାରିଥିଲା। ଏହି ଘଟଣାରେ ପୀଡ଼ିତାଙ୍କ ସ୍ୱାମୀ ବରହମପୁର ଥାନାରେ ଏତଲା ଦେବା ପରେ ଆଇଆଇସି ଆର୍ତ୍ତତ୍ରାଣ ସେଠୀ ଆଜି ଅଭିଯୁକ୍ତକୁ ଗିରଫ କରିଛନ୍ତି। ଏନେଇ ଥାନାରେ ଏକ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି।



