ଭୁବନେଶ୍ବର: ସେବିକା ନିହାରିକା ପାତ୍ର ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ତାଙ୍କ ପୁରୁଷ ବନ୍ଧୁ ରାଜା ଆଞ୍ଚଲ ଶୁକ୍ରବାର ପୁଲିସ ହାତରେ ଧରା ଦେଇଛି । ସେ ଜଗତସିଂହପୁରର ବିରିଡି ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ପୁଲିସ ତାକୁ ଅଟକ ରଖି ପଚରାଉଚରା ଜାରି ରଖିଛି । ରାଜାର ବୟାନ ମିଳିଲା ପରେ ଏହି ଘଟଣାର ପର୍ଦ୍ଦଫାଶ ହେବ ବୋଲି ଅନୁମାନ କରାଯାଇଛି ।
ସୂଚନାଯୋଗ୍ୟ, ଜଗତସିଂହପୁର ଜିଲା ବିରିଡି ଥାନା ଅନ୍ତର୍ଗତ ବିଲୁଆଖାଇ ନଦୀ ପଠାରୁ ଗତ ମଙ୍ଗଳବାର ସେବିକା ନିହାରିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ହାତଗୋଡ଼ ବନ୍ଧା ଅବସ୍ଥାରେ ଏକ ବସ୍ତାରୁ ତାଙ୍କ ମୃତଦେହ ପୁଲିସ ଉଦ୍ଧାର କରିଥିଲା। ପରେ ଘଟଣାକ୍ରମରେ ଜଣାପଡିଥିଲା ଯେ, ନିହାରିକା କଟକର ଏକ ନର୍ସିଂହୋମ୍ରେ ନର୍ସ ଭାବେ କାର୍ଯ୍ୟ କରନ୍ତି ଏବଂ ରାଜା ନାମକ ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। ଗତ ୮ ତାରିଖରେ ନିହାରିକା ପୁରୁଷବନ୍ଧୁ ରାଜାଙ୍କ ସହ ଏକ ନର୍ସିଂହୋମ୍ରୁ କେଉଁଆଡେ ଯାଇଥିଲେ । ନର୍ସିଂହୋମରେ ଲାଗିଥିବା ସିସିଟିଭି ଫୁଟେଜରୁ ଏହା ସ୍ପଷ୍ଟ ହୋଇଥିଲା। ତା‘ପର ଠାରୁ ନିହାରିକା ଆଉ ଫେରିନଥିଲେ । ଗତ ୯ତାରିଖରେ ନିହାରିକାର ପରିବାରଲୋକେ ଏବଂ ନର୍ସିଂହୋମ୍ କର୍ତ୍ତୃପକ୍ଷ ମଧୁପାଟଣା ଥାନାରେ ଏତଲା ଦେଇଥିଲେ । କିନ୍ତୁ ପୁଲିସ ଏହାକୁ ଗୁରୁତ୍ବ ଦେଇନଥିଲା ।


